ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାକୁ ସପ୍ତାହେରୁ ଅଧିକ ବିତିଲାଣି। ମୁଖ୍ୟ ଅଭିଯୁକ୍ତ ତଥା ଓଏଏସ୍‌ ଅଫିସର ପ୍ରମୋଦ ପୃଷ୍ଟିଙ୍କ ଶ୍ୱଶୁର ପ୍ରଫୁଲ୍ଲ ମହାପାତ୍ରଙ୍କୁ ପୋଲିସ ଗିରଫ କରିଛି । ଆଦିବାସୀ ନାବାଳିକାଙ୍କୁ ଘରେ ଖଟାଉଥିବା ପ୍ରମୋଦଙ୍କୁ ଛୁଇଁବାକୁ ପୋଲିସକୁ ଡର ଲାଗୁଛି । ଭୁବନେଶ୍ୱର ମହାନଗର ନିଗମ(ବିଏମସି)ଠାରୁ ଛୁଟି ନେଇଥିବା ପ୍ରମୋଦ କେଉଁଠି ଛୁଟି କାଟୁଛନ୍ତି, କାହା ଛତ୍ରଛାୟା ତଳେ ଲୁଚିଛନ୍ତି, ତାହା ଏବେ ବି ରହସ୍ୟରେ ।

ଘଟଣାର ତଦନ୍ତ ପାଇଁ କମିଶନରେଟ୍‌ ପୋଲିସକୁ ନୋଟିସ୍‌ ପଠାଇଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ। ଜଣେ ନାବାଳିକାଙ୍କୁ କେଉଁ ସ୍ଥିତିରେ ଓଏଏସ୍‌ ଅଫିସର ପ୍ରମୋଦ ଘରେ ରଖିଥିଲେ? କେବେଠୁ ନାବାଳିକା ଜଣକ ତାଙ୍କ ଘରେ କାମ କରୁଥିଲେ? ନାବାଳିକାଙ୍କୁ କିଛି ନିର୍ୟାତନା ଦିଆଯାଉଥିଲା କି? ଏସବୁ ଦିଗର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ପୋଲିସକୁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଆଦେଶ ଦେଇଛନ୍ତି । ପୁଲିସର ଏକ ଟିମ୍‌ ଏହାର ତଦନ୍ତ କରୁଛି । ଏନେଇ ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି, ସମସ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେପଟେ ଯାଜପୁର ବାଲିଚନ୍ଦ୍ରପୁର ଥାନା ପୁଲିସ ଦଲାଲ ବ୍ରହ୍ମାନନ୍ଦ ଜେନାକୁ ଶନିବାର ରାତିଅଧିଆ ଉଠାଇଥିଲା । ସୋମବାର ରାତିଅଧରେ ଛାଡ଼ି ଦେଇଛି । ତଦନ୍ତକାରୀ ଅଧିକାରୀ ସଂଗ୍ରାମ ଟୁଡୁ ଦିନ ତମାମ ବ୍ରହ୍ମାନନ୍ଦଙ୍କୁ ଜେରା କରିଥିଲେ। ନାବାଳିକା ଅର୍ଥାତ ପୀଡ଼ିତାକୁ ଓଏଏସ୍‌ ପ୍ରମୋଦ ପୃଷ୍ଟିଙ୍କ ଘରେ କାମରେ ଲଗାଇଥିବା ବ୍ରହ୍ମାନନ୍ଦ ସ୍ୱୀକାର କରିଥିବା ପୁଲିସ କହିଛି । ପୁଲିସ କେବଳ ନୋଟିସ୍‌ ଦେଇ ବ୍ରହ୍ମାନନ୍ଦକୁ ଛାଡ଼ି ଦେଇଛି । ପ୍ରତି ସପ୍ତାହରେ ଥରେ ଥାନାରେ ହାଜର ହେବାକୁ ନୋଟିସ୍‌ରେ ସର୍ତ୍ତ ରହିଛି। ଏହି ସର୍ତ୍ତରେ ସେ ରାଜି ହେବାରୁ ତାକୁ ଛଡ଼ାଯାଇଥିବା ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ର କହିଛନ୍ତି ।

ପରିବାର ଲୋକଙ୍କୁ ନା ନା ପ୍ରଲୋଭନ ଦେଖାଇ ଦଲାଲ ସାଜି ନାବାଳିକାଙ୍କୁ ଚାକରାଣୀ ଭାବେ ଖଟାଇବାକୁ ଓଏଏସ୍‌ ଅଫିସରଙ୍କ ଘରେ ଛାଡି଼ଥିଲେ ବ୍ରହ୍ମାନନ୍ଦ । ଏଭଳି ସମ୍ବେଦନଶୀଳ ଘଟଣାରେ ବ୍ରହ୍ମାନନ୍ଦକୁ ନୋଟିସ ଦେଇ ଛାଡ଼ିଦେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହା ଚାପରେ ପୁଲିସ ଏଭଳି କରିଛି, ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନା ଥାଉ କି, ବିଭିନ୍ନ ସଂଗଠନ ପକ୍ଷରୁ ଚାପ ପକାଯିବା ପରେ ଶୁକ୍ରବାର ବିଳମ୍ବିତ ରାତିରେ ବାଲିଚନ୍ଦ୍ରପୁର ଓ ମାହାଙ୍ଗା ପୁଲିସ ମିଳିତ ଭାବେ ମାହାଙ୍ଗା ବ୍ଳକ୍ ଅନ୍ତର୍ଗତ ଜଇପୁର ନିକଟସ୍ଥ ଏକ ଗ୍ରାମରେ ଚଢଉ କରି ବ୍ରହ୍ମାନନ୍ଦ ଜେନାଙ୍କୁ ଉଠାଇ ଆଣିଥିଲା । ତାଙ୍କୁ ବାଲିଚନ୍ଦ୍ରପୁର ଥାନାରେ ପୋଲିସ ଅଟକ ରଖିଥିଲା ।

ଦଲାଲ ବ୍ରହ୍ମାନନ୍ଦଙ୍କୁ ଛାଡ଼ି ଦେବା ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ନ କରିବାକୁ ନେଇ ଆଶଙ୍କା ବ୍ୟକ୍ତି କରିଛନ୍ତି ପୀଡ଼ିତାଙ୍କ ମାଆ । ଝିଅର ଜୀବନ ପ୍ରତି ବିପଦ ଥିବା ସେ ଦର୍ଶାଇଛନ୍ତି । ଜଣେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଓ ୫ମାସ ଅନ୍ତସତ୍ତ୍ୱା ଭଳି ସମ୍ବେଦନଶୀଳ ଘଟଣାରେ ପୋଲିସର ଧୀମା ତଦନ୍ତକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି ।

ଘଟଣାର ନିରପେକ୍ଷ ତଦନ୍ତ, ବଳାତ୍କାରୀ ପ୍ରଫୁଲ୍ଲ ପୃଷ୍ଟି ଓ ନାବାଳିକାକୁ କାମରେ ଲଗାଇଥିବା ଭଳି ଅପରାଧରେ ଜ୍ୱାଇଁ ପ୍ରମୋଦ ପୃଷ୍ଟିକୁ ତୁରନ୍ତ ଗିରଫ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ଦଳିତ ସଂଗଠନଙ୍କ ପକ୍ଷରୁ ଦାବି ହେଉଛି । ମାତ୍ର ସୁଦ୍ଧା ପୋଲିସ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ ବୋଲି ଅଭିଯୋଗ ଉଠିଛି ।

Leave a Reply

Your email address will not be published. Required fields are marked *