SIR BJD MEETING PORTAL_UP

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଖୁବଶୀଘ୍ର ବିଜୁ ଜନତା ଦଳ ରାଜନୀତିରେ ଗୋଟେ ବଡ଼ ଅଘଟଣା ଘଟିବାକୁ ଯାଉଛି । କାରଣ ୧୬ ତାରିଖରେ ଭୁବନେଶ୍ୱର ସ୍ଥିତ ମେ ଫେୟାର ହୋଟେଲରେ ଏକ ଗୁପ୍ତ ବୈଠକ ବସିଥିଲା । ଏହି ବୈଠକରେ ସାମିଲ ହେଇଥିବା ନେତାମାନଙ୍କ ନାଁ ଶୁଣିଲେ, ନବୀନଙ୍କ ହୋସ ଉଡ଼ିବା ଥୟ ।

ଅକ୍ଟୋବର ୧୬ ତାରିଖର ବିଳମ୍ବିତ ରାତି । ନବୀନଙ୍କ ଜନ୍ମଦିନ ଯେଉଁଦିନ । ଅନେକ ସମୟରେ ନବୀନ ପଟ୍ଟନାୟକ ତାଙ୍କ ଜନ୍ମଦିନ ଅତ୍ୟନ୍ତ ନିରାଡମ୍ବର ଭାବେ ପାଳନ କରିଥାନ୍ତି । କିନ୍ତୁ ଏଥର ଜନ୍ମଦିନ ବେଶ ଆଡମ୍ବରରେ ପାଳନ କରିଥିଲେ । ଯେତେବେଳେ ନବୀନଙ୍କ ଜନ୍ମଦିନ ପାଇଁ ପାର୍ଟିର କିଛି ନେତା, ତାଙ୍କ ପରମ ଶିଷ୍ୟମାନେ ବ୍ୟସ୍ତ ଥିଲେ, ସେତେବେଳେ ସେହି ରାତିରେ ମେ ଫେୟାରରେ ହେବାକୁ ଥିବା ଗୁପ୍ତ ବୈଠକ ପାଇଁ ଖସଡ଼ା ପ୍ରସ୍ତୁତ କରୁଥିଲେ । ଜନ୍ମ ଦିନ ପାଳନରେ ବ୍ୟସ୍ତ ଥିବା ନବୀନ ଜାଣୁନଥିଲେ ଯେ ଆରପଟେ ଏମିତି ଏକ ବ୍ଲୁ ପ୍ରିଣ୍ଟ ରେଡି ହେଉଛି ।

ଏହି ଗୁପ୍ତ ବୈଠକରେ ଥିଲେ ଦିଲ୍ଲୀପ ରାୟ, ବିଜୟ ମହାପାତ୍ର ଏବଂ ପ୍ରଭାତ ତ୍ରିପାଠୀ । ପ୍ରଥମେ ଏହି ତିନି ଜଣ ହୋଟେଲେରେ ପହଁଚିଲେ । ଦିଲ୍ଲୀପ ରାୟଙ୍କ ହୋଟେଲ, ତେଣୁ ସେ ସେଠି ଆଗରୁ ଥିଲେ । ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ । ଦି ଜଣଯାକ ଅତି ଅପମାନଜନକ ଭାବେ ଦଳଠାରୁ ଦୂରେଇ ରହିଛନ୍ତି । ବିଜୟ ମହାପାତ୍ରଙ୍କ ସହିତ ଯାହା ହେଇଥିଲା, ତାହା ରାଜ୍ୟବାସୀ ଜାଣିଛନ୍ତି । ଦିଲ୍ଲୀପ ରାୟ ମଧ୍ୟ ଏକା ଦଶା ଭୋଗିଛନ୍ତି । ପ୍ରସନ୍ନ ଆଚାର୍ଯ୍ୟ ଏହି ବୈଠକର ସବୁଠୁ ଅଧିକ ଅପେକ୍ଷିତ ନେତା ଥିଲେ । ପ୍ରସନ୍ନ ଆଚାର୍ଯ୍ୟ ଯେହେତୁ ବିଧାନସଭାରେ ଦଳର ଉପନେତା ଅଛନ୍ତି, ତେଣୁ ସେ ଏହି ବୈଠକରେ ସିଧାସଳଖ ଯୋଡ଼ି ହେଲେ ନାହିଁ । ଏହା ସଂପୂର୍ଣ୍ଣ ଭାବେ ପ୍ଲାନ ଥିଲା । ପ୍ରସନ୍ନଙ୍କ ପାଇଁ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଏହି ବୈଠକକୁ ଆସିଥିଲେ । ପ୍ରସନ୍ନଙ୍କ ଏହି ବନ୍ଧୁ ବରଗଡ଼ର ଏବଂ ସେ ରାଇସ ମିଲର ମାଲିକ । ବିଜେଡିକୁ ଭାଙ୍ଗିବା ପାଇଁ ହେଲେ, ପ୍ରସନ୍ନଙ୍କ ସମ୍ମତି ଆବଶ୍ୟକ, ଏକଥା ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଭଲ ଭାବେ ଜାଣିଛନ୍ତି । ସେଥିପାଇଁ ପ୍ରାରମ୍ଭିକ ସ୍ତରରେ ପ୍ରସନ୍ନଙ୍କୁ ମନେଇବାରେ ସଫଳ ହେଇଥିଲେ ଏହି ଦୁଇନେତା ।

ପ୍ରସନ୍ନଙ୍କ ବ୍ୟତିତ ଏହି ବୈଠକକୁ ଡକା ହେଇଥିଲେ ଦେବୀ ମିଶ୍ର । ସେ କିନ୍ତୁ ବୈଠକରେ ଯୋଗ ଦେଇନଥିଲେ । ସୁଶାନ୍ତ ସିଂହ ଅସୁସ୍ଥତା ହେତୁ ତାଙ୍କର ଜଣେ ପ୍ରତିନିଧିଙ୍କୁ ପଠେଇଥିଲେ । ସୁଶାନ୍ତଙ୍କର ପାଣ୍ଡିିଆନ ଏବଂ ବବି ଦାସଙ୍କ ସହ ଭଲ ସଂପର୍କ ନାହିଁ । ତାଙ୍କୁ ଗୋଟେ ସମୟରେ ନବୀନଙ୍କ ଠାରୁ ଦୂରେଇ ରଖାଯାଇଥିଲା । ଏସବୁ ପାଂଡିଆନଙ୍କ ନିଦେ୍ର୍ଦଶରେ ହେଇଥିଲା ବୋଲି ସେ ଭାବନ୍ତି । ରାଗ ଶୁଝାଇବାକୁ ଚାହୁଁଛନ୍ତି ସୁଶାନ୍ତ ସିଂହ । ତେଣୁ ଏହି ଯୋଜନା ପ୍ରତି ତାଙ୍କର ସମ୍ମତି ଥିବା କୁହାଯାଉଛି ।

ବାଙ୍କି ନେତା ତଥା ଦଳର ଅନ୍ୟତମ ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ଦୀର୍ଘ ଦିନ ହେଲା ଦଳ ଭିତରେ କୋଣଠେସା ହେଇ ରହିଛନ୍ତି । ବିଜୟ ମହାପାତ୍ର-ଦିଲ୍ଲୀପ ରାୟଙ୍କ ସହ ଏହି ବିଦ୍ରୋହର ଅନ୍ୟ ଜଣେ ସୂତ୍ରଧର ହେଉଛନ୍ତି ପ୍ରଭାତ ତ୍ରିପାଠୀ ।

ଏହି ବୈଠକରେ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ପୁତ୍ର ତଥା ବାସୁଦେବପୁରର ପୂର୍ବତନ ବିଧାୟକ ବିଷ୍ଣବ୍ରତ ରାଉତରାୟ ଥିବା ଜଣାପଡ଼ିଛି । ପ୍ରତାପ ଜେନା ଏହି ଯୋଜନାକୁ ସ୍ୱୀକୃତି ଦେଇଥିଲେ କିନ୍ତୁ ଯୋଜନା ମୁତାବକ ବୈଠକରୁ ଦୂରେଇ ରହିଥିଲେ । ପ୍ରତାପ ଭାବୁଛନ୍ତି, ତାଙ୍କ ଟିକେଟ କଟିବା ଏବଂ ତାଙ୍କ ପୁଅକୁ ହରେଇବାରେ ବବି-ପାଣ୍ଡିଆନ ଯୋଡ଼ିଙ୍କ ଭୂମିକା ଅଛି ।

ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ କିଶୋର ତରେଇ, ଜଗତସିଂହପୁରର ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ବିଜେଡି ବିଭାଜନ ଯୋଜନା ପାଇଁ ସମ୍ମତି ରହିଛି । ଦଳର ଜଣେ ବଡ଼ ନେତା ହିସାବରେ ଅମର ଶତପଥୀ ଭାଗ ନେଇଥିବା ଖବର ମଧ୍ୟ ଅଛି । ସେ ଏଇ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି । ବଡ଼ଚଣା ନେତା ଅମର ଶତପଥୀ ହେଉଛନ୍ତି ଏକମାତ୍ର ନେତା ଯିଏ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଦଳର ନେତା ହେଉଛନ୍ତି ନବୀନ ପଟ୍ଟନାୟକ । ତେଣୁ ଦଳର ଏ ସ୍ଥିତି ପାଇଁ ନବୀନ ଉତ୍ତର ଦେବା ଦରକାର । ସେ ଗୋଟେ କଥା ଅତି ଜୋର ଦେଇ କହିଛନ୍ତି କି, ଆଗାମୀ ଦିନରେ ବିଜେଡିରେ ବଡ଼ ଅଘଟଣ ଘଟିବାକୁ ଯାଉଛି । ଅମର ଶତପଥୀଙ୍କ ଏହି କଥା ସହିତ ମେ ଫେୟାରରେ ଏହି ଗୁପ୍ତ ବୈଠକ ମେଳ ଖାଉଛି । ଅର୍ଥାତ୍ ଏହି ବୈଠକର ତାରିଖ କିଛି ଦିନ ଆଗରୁ ସ୍ଥିର ହେଇସାରିଛି ।

ପ୍ରସନ୍ନ ଆଚାର୍ଯ୍ୟଙ୍କ ଏହି ଗୁପ୍ତ ବୈଠକ ପାଇଁ ସମ୍ମତି ଗୁରୁତ୍ୱ ରଖୁଛି । ପ୍ରସନ୍ନ ଆଚାର୍ଯ୍ୟ ଅତୀତରେ ନବୀନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ । ୨୦୦୨ ମସିହାରେ ପ୍ରସନ୍ନ ଆଚାର୍ଯ୍ୟ ନବୀନଙ୍କ ନେତୃତ୍ୱ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ । ସେତେବେଳେ ଲୋକସଭାରେ ବିଜେଡିର ୧୦ ଜଣ ସାଂସଦ ଥିଲେ । ୧୦ରୁ ୬ ଜଣ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସମର୍ଥନ କରି ଅଲଗା ଗୋଷ୍ଠୀ ଗଠନ କରିଥିଲେ । ପ୍ରସନ୍ନ ଆଚାର୍ଯ୍ୟଙ୍କ ଏହି ଗୋଷ୍ଠୀରେ ଭତ୍ତୃହରି ମହତାବ, ପ୍ରସନ୍ନ ପାଟ୍ଟଶାଣୀ, ଜଗନ୍ନାଥ ମଲ୍ଲିକ, ପ୍ରଭାତ ସାମନ୍ତରାୟ, କୁମୁଦିନୀ ପଟ୍ଟନାୟକ ରହିଲେ । ବାକି ୪ ଜଣ ଯେଉଁମାନେ ନବୀନଙ୍କ ସାଙ୍ଗରେ ରହିଲେ ସେମାନେ ହେଲେ ବାଜପେୟୀ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ଅର୍ଜୁନ ସେଠୀ ଏବଂ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ, ପଦ୍ମନାଭ ବେହେରା ଏବଂ ତ୍ରିଲୋଚନ କାନୁନଗୋ । ଏହି ବିଦ୍ରୋହକୁ ନବୀନ ଡରିବା ସ୍ୱାଭାବିକ ଥିଲା । ସେଥିପାଇଁ ରାଜ୍ୟ କ୍ୟାବିନେଟରେ ତ୍ରିଲୋଚନ କାନୁନଗୋଙ୍କ ଭାଇ ପଂଚାନନ କାନୁନଗୋ ଏବଂ ପଦ୍ମନାଭ ବେହେରାଙ୍କ ପତ୍ନୀ ବିଷ୍ଣପ୍ରିୟା ବେହେରାଙ୍କୁ ସାମିଲ କରିଥିଲେ । ଲୋକସଭାରେ ସେତେବେଳର ବାଚସ୍ପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଗୋଷ୍ଠୀକୁ ତୁରନ୍ତ ସ୍ୱୀକୃତି ଦେଇଥିଲେ । ପରେ ପରେ ନବୀନ ତରବରିଆ ଭାବେ ୪ ଲୋକସଭା ସାଂସଦ ଏବଂ ରାଜ୍ୟସଭା ସାଂସଦଙ୍କୁ ନେଇ ବିଜେଡି ପାର୍ଲାମେଣ୍ଟାରୀ ପାର୍ଟି ଗଠନ କଲେ । ପରବର୍ତ୍ତୀ ମୁହୂର୍ତରେ ନବୀନ ଏହି ବିଦ୍ରୋହକୁ ସମ୍ଭାଳିବାକୁ ସକ୍ଷମ ହେଲେ । ପ୍ରସନ୍ନ ଆଚାର୍ଯ୍ୟଙ୍କ ଗୋଷ୍ଟୀର ବିଜେଡିରେ ମିଶ୍ରଣ ହେଲା ଏବଂ ବିଜେଡି ପୁଣି ପୂର୍ବ ଅବସ୍ଥାକୁ ଫେରିଥିଲା ।

ବୈଠକରୁ ସୂଚନା ଯାହା ଆସିଛି, କୌଣସି ମୁହୂର୍ତରେ ଦଳରେ ବିଭାଜନ ହେଇପାରେ । ଯୋଜନା ଅନୁସାରେ ଯେଉଁ କାରଣ ପାଇଁ ବିଜେଡି ହାରିଲା, ସେହି କାରଣକୁ ନେଇ ଦଳ ବିଭାଜିତ ହେବ । ଓଡିଆ ଅସ୍ମିତା ପ୍ରସଙ୍ଗ ବିଜେଡିକୁ ହରେଇଲା ଏବଂ ତାର ମୂଳ କାରଣ ହେଉଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ । ନବୀନ ଯଦି ପାଣ୍ଡିଆନଙ୍କୁ ଛାଡିବେ ନାହିଁ, ତାହାହେଲେ ସେ ପାଣ୍ଡିଆନ ବିଜେଡିରେ ରହିଯିବେ । ବାକି ସମସ୍ତେ ଏହି ବିଭାଜିତ ଗୋଷ୍ଠୀରେ ରହିବେ । ଏଭଳି ସ୍ଥିତିରେ ବିଜେଡିର ବଡ଼ ଅଂଶ ଏମାନଙ୍କ ପାଖରେ ରହିବ ଏବଂ ନବେ ପ୍ରତିଶତ ନେତା ତଥା କର୍ମୀ ଏମାନଙ୍କୁ ସମର୍ଥନ କରିବେ । ଏଭଳି ସ୍ଥିତିରେ ଦଳର ନାଁ ଏବଂ ଦଳର ଶଂଖ ଚିହ୍ନ ଉପରେ ଏହି ଗୋଷ୍ଠୀ ନିଜର ଅଧିକାର ଦାବି କରିବେ । ଯାହା ମହାରାଷ୍ଟ୍ରରେ ଉଦ୍ଧବ ଏବଂ ଶରଦ ପାୱାରଙ୍କ କ୍ଷେତ୍ରରେ ହେଲା ।

ବଡ ଖବରର ଆକଳନ କିଛି ଦିନ ଭିତରେ ବିଜେଡିର ବିଭାଜନ ହେବ । ଏହି ଗୋଷ୍ଠୀ ହାତରେ ମୂଳ ବିଜେଡି ଏବଂ ଦଳର ଶଂଖ ଚିହ୍ନ ରହିବ ।

Leave a Reply

Your email address will not be published. Required fields are marked *