ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ବାରିପଦା ସହରର ତଳିଆ ଅଞ୍ଚଳରେ ବନ୍ୟା । ୭ ଓ ୮ ନଂ ୱାର୍ଡର ନଦୀକୂଳିଆ ଅଞ୍ଚଳରେ ପଶିଲା ପାଣି । ପ୍ରଭାବିତଙ୍କୁ ସ୍ଥାନାନ୍ତର ପାଇଁ ପ୍ରୟାସ । ବୁଢାବଳଙ୍ଗ ନଦୀରେ ବଢୁଛି ଜଳସ୍ତର । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସୁରକ୍ଷା ଦୃଷ୍ଟିରୁ ଶୁକ୍ରବାର ଅଗଷ୍ଟ ୧୪ତାରିଖରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକୁ ଛୁଟିଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଏହି ଘୋଷଣା କରିଛନ୍ତି ।
ତେବେ ବୁଢ଼ାବଳଙ୍ଗ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ବାରିପଦା ତଳିଆ ଅଞ୍ଚଳ ମଧୁବନର ୭,୮ଓ ୯ନମ୍ବର ୱାର୍ଡରେ ପାଣି ପଶିବା ଫଳରେ ଲୋକଙ୍କ ଦୁର୍ଦ୍ଦଶା ବଢିଛି। ଜିଲ୍ଲାପ୍ରଶାସନ ତରଫରୁ ପ୍ରଦାନ କରାଯାଇଥିବା ସୂଚନା ଅନୁସାରେ, ଜିଲ୍ଲାର ୨୨ ଟି ବ୍ଲକ ,୨୮ ଟି ପଞ୍ଚାୟତ ,୪୫ ଟି ଗ୍ରାମ ସହିତ ବାରିପଦା ମୁନସୀପାଲଟିର ୬ ଟି ୱାର୍ଡର ମୋଟ ୧୭୦୦ ରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛି।ସୁରକ୍ଷା ଦୃଷ୍ଟିରୁ ତଳିଆ ଅଞ୍ଚଳରୁ ଅନେକ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳକୁ ଅଣା ଯାଇ ଥଇଥାନ କରାଯାଇଛି।
ତେବେ ବିଳମ୍ବିତ ରାତି ତଥା ଆଜି ବର୍ଷା ପରିମାଣ କମିଥିବାରୁ ବିଭିନ୍ନ ସ୍ଥାନରୁ ବନ୍ୟାଜଳ କମିଯାଇଥିବାର ଦେଖିବାକୁ ମିଳିଛି।ତେବେ ବାଙ୍ଗିରିପୋଷି ଓ ବାରିପଦା ଠାରେ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ସ୍ଥିର ଏହି ଥିବାବେଳେ,ବଡ଼ସାହି ବେତନଟୀ ବାଲେଶ୍ୱର ଅଞ୍ଚଳରେ ଆଜି ବହୁ ଅଞ୍ଚଳ ଜଳମଗ୍ନ ହେଇଥିବାର ସୂଚନା ମିଳିଛି।
ଅନ୍ୟପକ୍ଷରେ, ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଦେଖିବାକୁ ମିଳିଛି । ଦଶରଥପୁର ବ୍ଲକର ଅହିୟାସ ବଜାର, କସପା, ତରପଦା, ଜୟନ୍ତରା, ଦୁଦୁରାଅଣ୍ଟା, ଦତ୍ତପୁର, ଶୁଶୁଆ ପଞ୍ଚାୟତ ଗୁଡିକ ବନ୍ୟା ଜଳରେ ବନ୍ଧୀ ହୋଇ ଯୋଗାଯୋଗ ବିଛିନ୍ନ ହୋଇଛି । ଦଶରଥପୁରରେ ବର୍ଷା ଆଉ ବନ୍ୟା ଲୋକଙ୍କ ଦୁଃଖ ଦ୍ବିଗୁଣିତ ବଢିଯାଇଛି । ଆଜି ସକାଳ ସମୟରୁ ତରପଦା ପାଟଣା ନିକଟରେ ସୃଷ୍ଟି ହୋଇଥିବା ଘାଇ ନିର୍ମାଣଧୀନ ଅବସ୍ଥାରେ ଚାଲିଥିବା ବେଳେ ବୈତରଣୀ ଏବଂ କାଣୀ ନଦୀର ସ୍ରୋତରେ ସମ୍ପୂର୍ଣ୍ଣ ଭାବେ ଭସାଇ ନେଇଛି । ନଦୀର ଚତୁର୍ଥ ବନ୍ୟା ଆସିବା ପରେ ବୋଝ ଉପରେ ଲଳିତାବିଡା ସାଜିଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
