Before Header

ନିଜ ଏରିୟାରେ ଚେଲ୍ଲା ଫେଲ, ହାତରୁ ଯିବ ଓଡ଼ିଶା ଦାୟିତ୍ଵ !

0 662

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ତାମିଲନାଡୁ ନିର୍ବାଚନର ପ୍ରଭାବ, ହଟିପାରନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର। ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ କିଛି ଏଭଳି ସଙ୍କେତ ଆସୁଛି । ଓଡିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଏ ଚେଲ୍ଲା କୁମାରଙ୍କ ପାଇଁ ଏହି ନିର୍ବାଚନ ଏସିଡ ଟେଷ୍ଟ ସଦୃଶ ଥିଲା। ଏଥିରେ ସେ ବିଫଳ ହୋଇଛନ୍ତି। କ୍ରିଷ୍ଣାଗିରି ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ଚେଲ୍ଲା କୁମାର ନିଜ ଲୋକସଭା ଆସନରେ ଡିଏମକେ- କଂଗ୍ରେସ ମେଣ୍ଟକୁ ଜନମତ ଦେବାରେ ବିଫଳ ହୋଇଛନ୍ତି ।

ଛଅ ଆସନରୁ ଏଆଇଏଡିଏମକେ ୩ ଆସନରେ ବିଜୟୀ ହୋଇଥିବା ବେଳେ ଡିଏମକେ ମେଣ୍ଟକୁ ୨ଟି ଆସନ ଓ ସିପିଆଇକୁ ଗୋଟିଏ ଆସନ ମିଳିିଛି । ଖୋଦ୍ ଚେଲ୍ଲା କୁମାର ନିଜ ସଂସଦୀୟ କ୍ଷେତ୍ରରେ ଆସନ ହାତେଇବାରେ ବିଫଳ ହୋଇଥିବା ବେଳେ ତାଙ୍କର ପ୍ରଦର୍ଶନ ନୈରଶ୍ୟଜନକ ରହିଛି । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ବେଳଠାରୁ ହିଁ ସେଠାରେ ଦୁର୍ବଳ ସାଙ୍ଗଠନିକ ଦକ୍ଷତା ଦେଖିବାକୁ ମିଳିଥିଲା । ସ୍ଥିତି ଏଭଳି ଥିଲା ଯେ ତାଙ୍କୁ ଦାୟିତ୍ୱ ମଧ୍ୟ ଦିଆଯାଇନଥିଲା । ୬ ଆସନ ମଧ୍ୟରୁ କଂଗ୍ରେସ କେବଳ ଉତ୍ଥାନଗିରି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲା । ଏହି ଆସନରେ ଏଆଇଏଡିଏମକେ ପ୍ରାର୍ଥୀ ତାମିଲ ସେଲଭମ୍ ବିଜୟୀ ହୋଇଥିବା ବେଳେ ତାଙ୍କୁ ୫୨. ୯୬ ପ୍ରତିଶତ ଭୋଟ ମିଳିଛି । କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଏସ୍ ଅରୁମୁଗମ୍ ମାତ୍ର ୩୭.୮୭ ପ୍ରତିଶତ ଭୋଟ ପାଇଛନ୍ତି । ନିର୍ବାଚନ ଫଳକୁ ନେଇ ଏଆଇସିସି ବେଶ ଗୁରୁତର ଭାବେ ଏହାକୁ ନେଇଛି । ଦେଶରେ ଯେଉଁଭଳି ସ୍ଥିତି ବର୍ତ୍ତମାନ ରହିଛି ସେହି ସମୟରେ କଂଗ୍ରେସ ଦଳ ଛୋଟ ଛୋଟ ଭୁଲକୁ ସୁଧାରିବା ପାଇଁ ପଦକ୍ଷେପ ନେଉଥିବା ଜଣାପଡ଼ିଛି ।

ଯେଉଁଠି ନିଜ ରାଜ୍ୟରେ ଚେଲ୍ଲା କୁମାର ନିଜର ଦକ୍ଷତା ଦେଖାଇ ପାରୁନାହାଁନ୍ତି ସେଠି ଅତ୍ୟନ୍ତ ସମ୍ବେଦନଶୀଳ ଓଡ଼ିଶାରେ କିଭଳି ନେତୃତ୍ୱ ନେବେ ବୋଲି ଏଆଇସିସି ଭିତରେ ଚର୍ଚ୍ଚା ହେଉଛି । ପ୍ରଭାରୀ ଭାବେ ଚେଲ୍ଲା କୁମାର ଦାୟିତ୍ୱ ନେବା ପରେ ରାଜ୍ୟରେ ହୋଇଥିବା ଦୁଇ ଉପନିର୍ବାଚନରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ସେହିଭଳି ପିପିଲି ଉପନିର୍ବାଚନରେ ମଧ୍ୟ ଦଳର ନେତୃତ୍ୱ ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଛି । ଖବର ଏୟା ମଧ୍ୟ ଆସୁଛି ଯେ ଏନେଇ ଦଳର କିଛି ନେତା ଏଆଇସିସିରେ ଅଭିଯୋଗ କରିଛନ୍ତି ।

ରାଜ୍ୟ ଯୁବ କଂଗ୍ରେସ ଓ ପିସିସି ସଭାପତିଙ୍କ ମଧ୍ୟରେ ଯେଉଁ ତିକ୍ତତା ରହିଛି ସେହି ପ୍ରସଙ୍ଗରେ ଚେଲ୍ଲା କୁମାରଙ୍କ ନକରାତ୍ମକ ଭୂମିକା ନେଇ ,ସର୍ବଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେଣୁ ବର୍ତ୍ତମାନ ଯେଉଁ ଭଳି ପରିସ୍ଥିତି ରହିଛି ଶୀଘ୍ର ଏଆଇସିସି ପକ୍ଷରୁ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ଖବର ଆସୁଛି

Leave A Reply

Your email address will not be published.