Before Header

ଜାଣନ୍ତୁ କେଉଁ ଦେଶ ପୃଥିବୀରେ ଅଧିକ କରୋନା ଟିକା କିଣିବାକୁ ଯାଉଛି

0 48

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ବର୍ଷେ ହେବ କରୋନା ମହାମାରୀ ସମଗ୍ର ବିଶ୍ୱକୁ ଏକ ପ୍ରକାର ପଙ୍ଗୁ କରିଦେଇଛି । ସମଗ୍ର ବିଶ୍ୱ ବର୍ତ୍ତମାନ ଟିକା ଅପେକ୍ଷାରେ । ପ୍ରାୟ ୧୭୨ଟି ଦେଶରେ ବିଭିନ୍ନ କରୋନା ଟିକାକୁ ନେଇ ପରୀକ୍ଷଣ ଜାରି ରହିଛି । ଭାରତରେ ମଧ୍ୟ କୋଭାକ୍ସିନ୍ ଟିକାର ଅନ୍ତିମ ଚରଣ ପରୀକ୍ଷଣ କରାଯାଉଛି । ତେବେ ମହାମାରୀ ପୁନରୁଦ୍ଧାରରେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଭାରତ, କୋଭିଡ ଟିକା କିଣିବାରେ ମଧ୍ୟ ପ୍ରଥମ ରହିଛି । ବିଶ୍ୱରେ କୋଭିଡ ଟିକା କିଣିବାରେ ସର୍ବବୃହତ ଗ୍ରାହକ ହେଉଛି ଭାରତ ।

ବିଶ୍ୱରେ କାୟା ବିସ୍ତାର କରିଥିବା ମହାମାରୀ ଭାରତରେ ବ୍ୟାପକ କ୍ଷତି ପହଞ୍ଚାଇଛି, ଅର୍ଥନୀତିର ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ମାତ୍ର ବର୍ତ୍ତମାନ ଭାରତ ଦୁଇ ଗୁଣା ଗତିରେ ଆଗକୁ ବଢିବାରେ ଲାଗିଛି । ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ଆଗୁଆ ଟିକା ପାଇଁ ପ୍ରିବୁକିଂ କରିବା ଆରମ୍ଭ କରିଦେଇଥିଲେ । ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକା ମିଳିତ ଭାବେ ପ୍ରସ୍ତୁତ କରୁଛନ୍ତି ଟିକା । ଏହାସହ ଆମେରିକା ଟିକା କମ୍ପାନୀ ନୋଭାକ୍ସ ନାମକ ଟିକା ପରୀକ୍ଷଣ କରୁଥିବା ବେଳେ ରୁଷ୍ ପ୍ରସ୍ତୁତ କରୁଛି ସ୍ପୁଟନିକ୍-ଭି । ଏହି ୩ ଗୋଟି ଟିକାର ପ୍ରାୟ ୧.୬ ବିଲିୟନ ଡୋଜ୍ ପ୍ରିବୁକ୍ କରିଛି ଭାରତ ଓ ଏହାପରେ ୟୁରୋପିଆନ୍ ୟୁନିଅନ ୧.୫ ବିଲିୟନ ଡୋଜ୍ ର ବୁକିଂ କରିଛି । ଅନ୍ୟପକ୍ଷେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଆମେରିକା କିନ୍ତୁ ଟିକା କିଣିବାରେ ବହୁ ପଛରେ ।

୩ ଗୋଟି ଟିକା ମଧ୍ୟରୁ ରୁଷିଆର ସ୍ପୁଟନିକ-ଭି ପକ୍ଷରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି । ସ୍ପୁଟନିକ-ଭି ପ୍ରାୟ ୯୨ ପ୍ରତିଶତ ସଫଳ ହୋଇଥିବା ସୂଚନା ମିଳିଛି । ଏହାସହ ଏହି ଟିକା ପାଇଁ ଭାଲଦିମିର୍ ପୁଟିନ୍ ଅନଲାଇନ୍ ରେଜିଷ୍ଟ୍ରେସନ କରିବା ମଧ୍ୟ ଆରମ୍ଭ କରିସାରିଲେଣି । ଭାରତ ସ୍ପୁଟନିକ-ଭି ଟିକାର ପ୍ରାୟ ୧୦୦ ମିଲିୟନ ଡୋଜ୍ ପ୍ରିବୁକ୍ କରିଛି । ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଧନ କହିଛନ୍ତି, ପ୍ରାୟ ୪୦୦-୫୦୦ ମିଲିୟନ ଡୋଜ୍ ୨୦-୩୦ କୋଟି ଲୋକଙ୍କୁ ୨୦୨୧ ଜୁଲାଇ-ଅଗଷ୍ଟ ସୁଦ୍ଧା ଉପଲବ୍ଧ ହେବ । ଭାରତରେ ନୋଭାକ୍ସ ଓ ଅକ୍ସଫୋର୍ଡ ୟୁନିଭର୍ସିଟି-ଆଷ୍ଟ୍ରାଜେନେକା ଟିକା ସେରମ୍ ଇନଷ୍ଟିଚ୍ୟୁଟରେ ପରୀକ୍ଷଣ ଚାଲିଥିବା ବେଳେ ହାଇଦ୍ରାବାଦରେ ସ୍ପୁଟନିକ-ଭିର ପରୀକ୍ଷଣ ଚାଲିଛି ।

ତେବେ ବର୍ତ୍ତମାନ ଦେଶୀ କରୋନା ଟିକା କୋଭାକ୍ସିନକୁ ନେଇ ଆଶଙ୍କା ଦେଖାଦେଇଛି । ଅନିଲ୍ ଭିଜଙ୍କ କରୋନା ସଂକ୍ରମଣ, ଭାରତ ବାୟୋଟେକ୍ ଦ୍ୱାରା ପରୀକ୍ଷଣ କରାଯାଉଥିବା ଏହି ଟିକାକୁ ନେଇ ସନ୍ଦେହ ଜାତ କରିଛି । କାରଣ ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଏହି ଟିକାର ପରୀକ୍ଷଣ କରାଯାଇଥିଲା । ଅନ୍ୟପକ୍ଷେ ଅନିଲ୍ ଭିଜ୍ ସଂକ୍ରମିତ ହେବା ପରେ ଭାରତ ବାୟୋଟେକ୍ ସଫେଇ ଦେଇଛି । ଟୀକାକରଣର ଦ୍ୱିତୀୟ ଡୋଜର ୧୪ ଦିନ ପରେ ହିଁ ଟିକାର ପ୍ରଭାବ ବିଷୟରେ ଜଣାପଡିବ ବୋଲି ସଂସ୍ଥା କହିଛି । ଅନେକ ବୈଜ୍ଞାନିକଙ୍କ ମତ ଅନୁସାରେ, ଭାରତର ପ୍ରାୟ ୬୦ ପ୍ରତିଶତ ଲୋକଙ୍କ ମଧ୍ୟରେ ଇମ୍ୟୁନିଟି ବଢାଇବାର ଆବଶ୍ୟକତା ରହିଛି । ତେବେ ପ୍ରଥମ ଭାଗରେ ଭାରତର ପ୍ରାୟ ୮୦ କୋଟି ଲୋକଙ୍କୁ ଟିକାକରଣ କରାଯିବ ।

 

Leave A Reply

Your email address will not be published.