Before Header

ଶିମିଳିପାଳରେ ବାଥୁଡି ସମ୍ପ୍ରଦାୟର ଅଠର ଦେଉଳ ପୂଜା

0 714

ଶିମିଳିପାଳ (ବଡ଼ ଖବର ବ୍ୟୁରୋ): ଶିମିଳିପାଳ ଜୈବ ମଣ୍ଡଳର କୋର ଏରିଆ ନଅଣା (ଦକ୍ଷିଣ) ରେଞ୍ଜ ଅଧିନସ୍ଥ ବକୁଆ ଫରେଷ୍ଟ ସେକ୍ସନ କ୍ୟାମ୍ପ ଠାରୁ କିଛି ଦୂରରେ ଅବସ୍ଥିତ ବାଥୁଡି ସମ୍ପ୍ରଦାୟର ଆଦି ଉପାସନା ପୀଠ ଅଠର ଦେଉଳରେ ବାର୍ଷିକ ବଡାମ୍ ପୂଜା ନିରାଡ଼ମ୍ବର ଭାବେ ପାଳିତ ହୋଇଛି । ଶିମିଳିପାଳ ଜୈବ ମଣ୍ଡଳର ବିଭିନ୍ନ ସ୍ଥାନର ପ୍ରାକୃତିକ ଗୁମ୍ଫା ଓ ଗହ୍ୱରରେ ବାଥୁଡି ମାନଙ୍କର ବିଭିନ୍ନ ଦେବାଦେବୀ ପୂଜା ପାଇଥାନ୍ତି। ଏଠାରେ ଅଠରଟି ଦେଉଳ ରହିଥିବାର ବିଶ୍ୱାସ କରାଯାଏ । ସମସ୍ତ

ଦେଉଳ ପ୍ରକୃତିରୁ ସୃଷ୍ଟି ହୋଇ ଥିବାବେଳେ ତନ୍ମଧ୍ୟରୁ ଗୋଟିଏ ଦେଉଳ ମାନବକୃତ । ଏହି ମାନବକୃତ ଦେଉଳକୁ ‘ମାନବ ଦେଉଳ‘ କୁହାଯାଏ । ବର୍ତ୍ତମାନ ଏହା ପ୍ରାୟ ଭଗ୍ନ ଅବସ୍ଥାରେ । ଏହି ମନ୍ଦିରର ବିଶେଷତ୍ୱ ହେଲା ଏହା ସମ୍ପୂର୍ଣ୍ଣ ମାଙ୍କଡ଼ା ପଥରରେ ନିର୍ମିତ ହୋଇ ଥିଲାବେଳେ ଏଠାରେ ପଥରକୁ ପଥର ଯୋଡିବା ପାଇଁ ଚୂନ କିମ୍ବା ଅନ୍ୟ କୌଣସି ସାମଗ୍ରୀ ବ୍ୟବହାର ହୋଇ ନାହିଁ । ଏହି ମନ୍ଦିରର ନିର୍ମାଣକୁ ନେଇ ବିଭିନ୍ନ କିମ୍ବଦନ୍ତୀ ଶୁଣିବା ପାଇଁ ମିଳୁ ଥିବାବେଳେ ଏହାର ନିର୍ମାଣ ଶୈଳୀ ହିଁ ଏହାର ପୁରାତନତା କୁ ଦର୍ଶାଇ ଥାଏ । ଏହି ମନ୍ଦିରଟିକୁ ଶିମିଳିପାଳ ଗଡ଼ର ବାଥୁଡି ରାଜା ବେଣୁ ମହାପାତ୍ର ଯଶିପୁର ଗଡ଼ ଅକ୍ତିଆର କରିବା ପରେ ବିଜୟ ସ୍ମୃତି ରେ ଖି.ପୂ ୪୫୪ ରେ ନିର୍ମାଣ କରାଇ ଥିବାର ବାଥୁଡି କିମ୍ବଦନ୍ତୀ ରହି ଥିଲା ବେଳେ ଏଥି ପାଇଁ ଆହୁରି ଗବେଷଣାର ଆଵଶ୍ୟକତା ରହିଛି ବୋଲି ଅଞ୍ଚଳର ଯୁବ ଗବେଷକ ଆଦିତ୍ୟ କୁମାର ନାଏକ ମତ ରଖିଛନ୍ତି ।

ପ୍ରତିବର୍ଷ ବାଥୁଡି ସମ୍ପ୍ରଦାୟର ଲୋକେ ଚୈତ୍ର ମାସରେ ଶିମିଳିପାଳରେ ପ୍ରବେଶ କରି ଖାଲି ପାଦରେ ଚାଲି ଚାଲି ଦ୍ୱାରଶୁଣି ପୀଠ , ଗଣେଶ୍ୱର ଗଡ଼ , ଯୋରନ୍ଦା , ବାରେହି ପାଣି , ଅନ୍ଧାରୀ ଶାଳ , ଶଙ୍ଖେଇ ଶାଳ , ମହା ବୃକ୍ଷ ଶାଳ ବୃକ୍ଷ , ମହା ବୃକ୍ଷ ଚମ୍ପାବତୀ ଆଦି ସ୍ଥାନରେ ପୂଜାର୍ଚ୍ଚନା କରି ମାନବ ଦେଉଳରେ ଏକତ୍ରୀତ ହୋଇ ରାତ୍ରୀ ରହଣୀ କରିଥାନ୍ତି । ମାନବ ଦେଉଳ ପ୍ରାଙ୍ଗଣରେ ପ୍ରାୟ ଏକ ସପ୍ତାହ ବ୍ୟାପି ପତ୍ର କୁଡ଼ିଆ କରି ରହିବା ସହ ସେଠାରୁ ଈଶ୍ୱର ଦେଉଳ , ଲଷ୍ମୀ ଭଣ୍ଡାର , ବାଉଳି ଦେଉଳ ଆଦି ସ୍ଥାନକୁ ଗମନ କରି ପୂଜା କରିଥାନ୍ତି ।

ଏହା ବାଦ ବର୍ଷ ସାରା ସୁଆଁପାଳ ଗ୍ରାମରେ ପୂଜା ପାଉଥିବା ମା’ ବାଉଳି ଠାକୁରାଣୀ ମଧ୍ୟ ଅଠର ଦେଉଳକୁ ଯାଇ ଏହି ଏହି ପୂଜାରେ ସାମିଲ ହୋଇଥାନ୍ତି । ମାନବ ଦେଉଳରେ ରହଣୀ ଅବସରରେ ବାଥୁଡିମାନେ ଉଦ୍ଧବ ଶୀଳାରେ ଅଙ୍ଗ ମର୍ଦ୍ଦନ କରି କ୍ଷୀର ଶୌଚ ହେବା ସହ ଗୋମୂତ୍ର ଗୋମୟ ପାନ କରି ପବିତ୍ର ହୋଇ ପୂଜାରେ ସାମିଲ ହେବା ସହ ଚାଙ୍ଗୁ ଖଳା ପ୍ରସ୍ତୁତ କରି ଅସଂଖ୍ୟ ନରନାରୀ ଭକ୍ତି ଭାବନାରେ ଶ୍ୱେତ ବସ୍ତ୍ର ପରିହିତ ହୋଇ ରାତି ତମାମ୍ ଚାଙ୍ଗୁ ନୃତ୍ୟ କରି ପ୍ରଭୁ ବଡାମ୍ ଓ ମାତା ବଡାମଣୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିଥାନ୍ତି । ଦେବ ବାଦ୍ୟ ଚାଙ୍ଗୁର ଶବ୍ଦରେ ନିସ୍ତବ୍ଧ ବନ ମୁଲକ ପ୍ରକମ୍ପିତ ହୋଇଥାଏ। ପୂଜା ର ଶେଷ ଦିନରେ ମାନବ ଦେଉଳ ପ୍ରାଙ୍ଗଣରେ ବିଶେଷ ପୂଜାର ଆୟୋଜନ ହୋଇ ଥାଏ , ଏହାକୁ ବଡ଼ ପୂଜା ବା ମେଢ଼ ପୂଜା ବୋଲି କୁହାଯାଏ ।

ଏହି ପୂଜାରେ ସମସ୍ତେ ଧଳା ପୋଷକ ପିନ୍ଧିବା ସହ ପତ୍ର କୁଡ଼ିଆ କରି ରହିବା ଅବସରରେ ପ୍ରକୃତି କୋଳରେ ନିଜକୁ ହଜେଇ ଦେଇଥାନ୍ତି । ଏଠାରେ ତେଲ , ସାବୁନ , ଗହଣା ଗାଣ୍ଠି ଆଦି ସୌଖିନ ପଦାର୍ଥର ବ୍ୟବହାର ବର୍ଜନୀୟ ଅଟେ । ପ୍ରକୃତି କୋଳରେ ରହି ବିଭିନ୍ନ ଔଷଧୀୟ ବୃକ୍ଷ ସଂସ୍ପର୍ଶରେ ଆସି ଲୋକେ ବର୍ଷ ତମାମ୍ ନିରୋଗ ରହିଥାନ୍ତି ବୋଲି କହିଥାନ୍ତି । ବିଗତ ବର୍ଷ କୋଭିଡ ପାଇଁ ଅଠର ଦେଉଳ ପୂଜାରେ ବାଧା ସୃଷ୍ଟି ହୋଇଥିବାବେଳେ ଚଳିତ ବର୍ଷ ଏହି ପୂଜା କୋଭିଡ଼ କଟକଣା ମଧ୍ୟରେ ଦୁଇଟି ପର୍ୟ୍ୟାୟରେ ଅଳ୍ପ ଅଳ୍ପ ଭକ୍ତଙ୍କ ସମାଗମ ମଧ୍ୟରେ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ପର୍ଯ୍ୟାୟ ପୂଜା ମାର୍ଚ୍ଚ ୧୮ ରୁ ଆରମ୍ଭ ହୋଇ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଭକ୍ତମାନେ ମାର୍ଚ୍ଚ ୨୭ ରେ ଅଠର ଦେଉଳକୁ ପ୍ରବେଶ କରିଛନ୍ତି । ଏହି ପୂଜା ମାର୍ଚ୍ଚ ୨ ତାରିଖ ରେ ମେଢ଼ ପୂଜା ହୋଇ ମାର୍ଚ୍ଚ ୩ ତାରିଖରେ ଶେଷ ହେବ ।

ଏହି ପୂଜାରେ ମୟୂରଭଞ୍ଜର ଭଞ୍ଜ ଭୂମି ଗଡ଼ , ଯଶିପୁର ଗଡ଼ , କରଞ୍ଜିଆ ଗଡ଼ ତଥା ପୋଡ଼ଶୀ ବାଲେଶ୍ଵର ଓ କେନ୍ଦୁଝର ଜିଲ୍ଲାର ବହୁ ବାଥୁଡି ଲୋକେ ସାମିଲ ହୋଇଥିଲେ । ଯଶିପୁର ସ୍ଥିତ ଅଠର ଦେଉଳ ଟ୍ରଷ୍ଟ୍ରର ମାନ ଗୋବିନ୍ଦ ନାୟକ , ଜିତେନ୍ଦ୍ର ନାଏକ , ସୁବାସ ନାଏକ , ଗୋବିନ୍ଦ ନାଏକ , ଯଶବନ୍ତ ନାଏକ , ସୁନୀଲ ନାଏକ , ପଙ୍କଜ ନାଏକ ପ୍ରମୁଖ କର୍ମକର୍ତ୍ତା ପୂଜା ରେ ସକ୍ରିୟ ଅଂଶ ଗ୍ରହଣ କରି ପୂଜା କାର୍ୟ୍ୟ ସମ୍ପାଦନାରେ ସହଯୋଗ କରି ଥିଲେ । ଏହି ବିଶେଷ ପୂଜାରେ ବନ ବିଭାଗର ମଧ୍ୟ ବିଶେଷ ଭୂମିକା ରହି ଥିବାରୁ ବନ ବିଭାଗକୁ ମଧ୍ୟ ବାଥୁଡି ସମ୍ପ୍ରଦାୟ ପକ୍ଷରୁ ସାଧୁବାଦ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.