Before Header

ଚାଷୀ ଆନ୍ଦୋଳନ: ଟ୍ୱିଟରକୁ କେନ୍ଦ୍ରର ନୋଟିସ୍

0 18

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଚାଷୀଙ୍କ ଆନ୍ଦୋଳନ ସମ୍ପର୍କିତ ହ୍ୟାସଟ୍ୟାଗ ଉପରେ କୌଣସି ପଦକ୍ଷେପ ନେଇ ନଥିବାରୁ କେନ୍ଦ୍ର ସରକାର ଟ୍ୱିଟରକୁ ନୋଟିସ ଜାରି କରିଛନ୍ତି । ଟ୍ୱିଟରରେ କେତେକ ଲୋକ #ModiPlanningFarmerGenocide (ମୋଦୀ କୃଷକମାନଙ୍କ ନରସଂହାର କରିବାକୁ ଯୋଜନା କରୁଛନ୍ତି) ବୋଲି ଏକ ହ୍ୟାସଟ୍ୟାଗ ଲଞ୍ଚ କରିଥିଲେ । ସରକାର ଟ୍ୱିଟରକୁ ଏହି ହ୍ୟାସଟ୍ୟାଗ ବ୍ୟବହାର କରି ଟ୍ୱିଟ୍‌ ବା ରିଟ୍ୱିଟ୍‌ କରୁଥିବା ଆକାଉଣ୍ଟଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ, କିନ୍ତୁ ଟ୍ୱିଟର ନିଜେ ସେହି ଆକାଉଣ୍ଟଗୁଡ଼ିକୁ ପୁନଃସ୍ଥାପନ କରିଥିଲା । ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଯଦି ଟ୍ୱିଟର କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଶୀଘ୍ର ପାଳନ ନ କରେ, ତା’ହେଲେ ଏହି ସୋସିଆଲ୍‌ ମିଡ଼ିଆ ନେଟୱର୍କ କମ୍ପାନୀ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

#ModiPlanningFarmerGenocide ହ୍ୟାସଟ୍ୟାଗ ଲୋକଙ୍କୁ ଉସକାଇବା ଓ ଲୋକଙ୍କ ମଧ୍ୟରେ ଘୃଣା ବିସ୍ତାର ପାଇଁ ବ୍ୟବହାର କରାଯାଇଛି । ଏହା ତଥ୍ୟାତ୍ମକ ରୂପରେ ଭୁଲ ଥିଲା । ଏହା ସମାଜରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଏକ ଅଭିଯାନ ଥିଲା । ଗଣହତ୍ୟା ବିଷୟରେ ପ୍ରଚାର କରିବା ବକ୍ତବ୍ୟର ସ୍ୱାଧୀନତା ନୁହେଁ, ଏହା ଆଇନ ଓ ଶୃଙ୍ଖଳା ବ୍ୟବସ୍ଥା ପାଇଁ ଏକ ବିପଦ,’’ ଟ୍ୱିଟରକୁ ଜାରି କରାଯାଇଥିବା ସରକାରୀ ବିଜ୍ଞପ୍ତିରେ ଏହା କୁହାଯାଇଛି । ଏହି ନୋଟିସରେ ଲେଖାଯାଇଛି, ‘‘ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ହିଂସା ଘଟିଥିଲା । ବିବାଦୀୟ ଟ୍ୱିଟ ଆକାଉଣ୍ଟକୁ ଅବରୋଧ କରିବାକୁ ସରକାର ନିର୍ଦ୍ଦେଶ ଦେବା ସତ୍ତ୍ୱେ ଟ୍ୱିଟର ସେହି ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ସକ୍ରିୟ କରିଛି ।’’ ଟ୍ୱିଟରରେ #ModiPlanningFarmerGenocide ହ୍ୟାସଟ୍ୟାଗ୍ ସହିତ ଅନେକ ଟ୍ୱିଟ୍ କରାଯାଇଛି । ଜାନୁଆରୀ ୩୦ରେ ଏହି ହ୍ୟାସଟ୍ୟାଗ ଟ୍ୱିଟରରେ ଅଗ୍ରଣୀ ଥିଲା । ଅନେକ ଟ୍ୱିଟ୍ ଓ ଟ୍ୱିଟର ଆକାଉଣ୍ଟ ବିଦେଶରୁ ଚାଲୁଥିଲା । ନିଲମ୍ବିତ ହୋଇଥିବା ଆକାଉଣ୍ଟଗୁଡ଼ିକ ମଧ୍ୟରେ ଥିଲା କେତେକ କୃଷକ ସଙ୍ଗଠନ ଓ କୃଷକ ନେତାଙ୍କ ଆକାଉଣ୍ଟ । ଏହି ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ଅବରୋଧ କରିବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ଜାନୁଆରୀ ୨୭ରେ ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ ସମୟରେ ହିଂସା ଉପରେ ଟ୍ୱିଟ୍‌ କରୁଥିବା ୫୦୦ ଆକାଉଣ୍ଟକୁ ଟ୍ୱିଟର୍‌ ସ୍ଥଗିତ ରଖିଥିଲା ।

Leave A Reply

Your email address will not be published.