ପିପିଲି (ବଡ଼ ଖବର ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ରୁଦ୍ର ମହାରାଥୀଙ୍କୁ ବିଜେଡି ଟିକେଟ ଦେବା ପରେ ଏବେ ଅନ୍ଦର ମହଲରେ ରାଜନୀତି ସରଗରମ । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କୁ ଟିକେଟ ଦିଆଯିବ ବୋଲି ଦାବି କରିଆସୁଥିଲେ ଡେଲାଙ୍ଗ ଓ ପିପିଲି ବ୍ଲକର ତମାମ ରାଜନେତା । ହେଲେ ନବୀନଙ୍କ ଏଭଳି ଗୋଟି ଚାଳନାରେ ଫସିଯାଇପାରନ୍ତି ରୁଦ୍ର ।

ତେଣୁ ଏବେ ପ୍ରଶ୍ନ ଆସିବ, ଏଥର ନବୀନ ପଟ୍ଟନାୟକ, ପ୍ରତିଭା ମହାରଥୀଙ୍କୁ ଟିକଟ ନ ଦେଇ, ତାଙ୍କ ପୁଅ ରୁଦ୍ରଙ୍କୁ କାହିଁକି ଟିକଟ ଦେଲେ । ଏତେ ଅବଜରଭର ନିଯୁକ୍ତ ହୋଇଥିଲେ ବିଜୁ ଜନତା ଦଳରୁ, ତା ପରେ ବି ଏ ଭୁଲ ହେଲା କେମିତି । ଯେତେବେଳେ ସମଗ୍ର ନିର୍ବାଚନ ମଣ୍ଡଳୀ ଚାହୁଁଛି ପ୍ରତିଭାଙ୍କୁ ଟିକଟ ଦିଆଯାଉ ଦଳ ସଭାପତି ନବୀନ ପଟ୍ଟନାୟକ ଗତ ଦୁଇଟି ନିର୍ବାଚନରେ ପ୍ରତିଭାଙ୍କୁ ଟିକଟ ଦେଇଥିଲେ, ସେତେବେଳେ ଏଥର କାହା ପାଇଁ ପ୍ରତିଭାଙ୍କ ବଦଳରେ ରୁଦ୍ରଙ୍କୁ ଟିକଟ ଦିଆଗଲା । ଏ ପ୍ରଶ୍ନ ଉତ୍ତର କେବଳ ଅବଜରଭରମାନେ ଦେଇପାରିବେ । ସେମାନେ ତ ଖୋଲିକି କହିବେ ନାହିଁ, ତାର ଏକମାତ୍ର ଉତ୍ତର ହେଉଛି, ସେମାନଙ୍କ ନିଜ ସ୍ୱାର୍ଥ ।

ପୁରୀ ଜିଲ୍ଲାର ବରିଷ୍ଠ ନେତା ତଥା, ନିମାପଡା ବିଧାୟକ, ତଥା ମନ୍ତ୍ରୀ ସମୀର ଦାଶ ଚାହୁଁନଥିଲେ ପ୍ରତିଭା ନିର୍ବାଚନ ଜିତି ବିଧାନସଭାକୁ ଆସନ୍ତୁ । ପ୍ରତିଭା ମହାରଥୀ ଜିତିଗଲେ ତାଙ୍କ ଗରୁତ୍ୱ କମିଯିବ । ତାଙ୍କ ମନ୍ତ୍ରୀପଦ ଉପରେ ଗ୍ରହଣ ଲାଗିଯାଇପାରେ । ସେଥିପାଇଁ ସମସ୍ତ ଅବଜରଭରଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ । ରୁଦ୍ର ଜିତିଲେ ତାଙ୍କ ମନ୍ତ୍ରୀପଦ ଏବଂ ତାଙ୍କ ସିନିୟରିଟି ଉପରେ କିଛି ପ୍ରଭାବ ପଡିବନି ।

ଉମା ସାମନ୍ତରାୟ, ସତ୍ୟବାଦୀ ବିଧାୟକ ବି ସମାନ କାରଣରୁ ପ୍ରତିଭାଙ୍କୁ ଯେମିତି ଟିକଟ ନ ମିଳେ, ସବୁ ଖେଳ ଖେଳିଛନ୍ତି । କାଳେ ଆଗକୁ ତାଙ୍କୁ ମନ୍ତ୍ରୀ ପଦ ମିଳିବ, ସେଇ ଆଶାରେ ଅଛନ୍ତି ଉମା ସାମନ୍ତରାୟ । ପ୍ରମିଳା ମଲ୍ଲିକ, ସେ ଦଳର ଜଣେ ବରିଷ୍ଠ ନେତ୍ରୀ । ସେ ଦୃଷ୍ଟିରୁ ପ୍ରତିଭା ମହାରଥୀଙ୍କ ଭଳି ଜଣେ ଉଚ୍ଚ ଶିକ୍ଷିତା ମହିଳା ଜିତନ୍ତୁ, ସେ ଚାହୁଁନଥିଲେ । ଦଳରେ ତାଙ୍କ ଗୁରୁତ୍ୱ କାଳେ ଆଗକୁ କମିଯିବ, ସେ ଦୃଷ୍ଟିରୁ ସେ ମଧ୍ୟ ପ୍ରତିଭାଙ୍କ ଟିକଟ ଆଗରେ ବାଧକ ଥିଲେ ।

ଯେକୌଣସି ଉପନିର୍ବାଚନରେ ବିଶେଷକରି ବିଧାୟକଙ୍କ ସ୍ୱର୍ଗବାସ ହେବା ଘଟଣାରେ, ଭୋଟରଙ୍କ ସମର୍ଥନ ସେଇ ପରିବାରକୁ ଯାଇଥାଏ । କିନ୍ତୁ ଏଥର ପିପିଲିର ଫଳାଫଳ ଲୋକଙ୍କୁ ଚକିତ କରିବ ।

Leave a Reply

Your email address will not be published. Required fields are marked *