Nabarangpur

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲାରେ ପ୍ରାଥମିକ ଶିକ୍ଷା ପ୍ରକଳ୍ପ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୁର୍ନୀତିର ତଦନ୍ତ କରିବାକୁ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ । ନବରଙ୍ଗପୁର ଜିଲ୍ଲାରେ ଉପ-ଜିଲ୍ଲାପାଳଙ୍କ ଦୁର୍ନୀତି ସାରା ରାଜ୍ୟକୁ ଚକିତ କରିଥିବା ବେଳେ ନବରଙ୍ଗପୁର ପ୍ରାଥମିକ ଶିକ୍ଷା କାର୍ଯ୍ୟାଳୟ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରା ବ୍ୟାପକ ଦୁର୍ନୀତି ସଂପର୍କରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ରାଜ୍ୟ କମିଟି ନିକଟରେ ବହୁ ଅଭିଯୋଗ ପହଁଚିବା ପରେ ଏହି ଘଟଣାର ଅନୁସନ୍ଧାନ କରିବାକୁ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରାଯାଇଛି ।

ଜିଲ୍ଲାର ବିଭିନ୍ନ ବ୍ଲକରେ ଏଜେଣ୍ଟ ନିଯୁକ୍ତ କରାଯାଇ ବଦଳି, ପ୍ରମୋସନ, ପେନସନ୍ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଅର୍ଥକୁ ବାଟମାରଣା କରାଯାଉଅଛି । ଏହି ସଂପର୍କରେ ଗତ ଚାରି ମାସ ତଳେ ଜିଲ୍ଲାପାଳଙ୍କ ନିକଟରେ ୟୁନିଫର୍ମ କିଣାରେ ବ୍ୟାପକ ଦୁର୍ନୀତି ସଂପର୍କରେ ତଦନ୍ତ କରିବାକୁ ଦାବିପତ୍ର ଦିଆଯାଇଥିଲା । ନିର୍ଦ୍ଦିଷ୍ଟ ଏକ ସଂସ୍ଥା ଠାରୁ ବ୍ୟାପକ ମାତ୍ରାରେ ନିମ୍ନମାନର ସ୍କୁଲ ୟୁନିଫର୍ମ କିଣି ଦୁର୍ନୀତି କରାଯାଇଥିବା କଥା ସଂଗଠନ ପକ୍ଷରୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଥିଲା । ବିଭିନ୍ନ ସ୍କୁଲକୁ ବ୍ଲକରେ ହେଉଥିବା ଟ୍ରେନିଂ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ପ୍ରାଥମିକ ଶିକ୍ଷା ପ୍ରକଳ୍ପ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ଅର୍ଥକୁ ବାଟ ମାରଣା କରାଯିବା ସଙ୍ଗେ ସଙ୍ଗେ ବିନା ଟ୍ରେନିଂ ପ୍ରୋଗ୍ରାମରେ ଜାଲି ରସିଦ୍ କରି ଟଙ୍କାକୁ ଆତ୍ମସାତ୍ କରାଯାଉଛି ।

ଡେପୁଟେସନରେ ଶିକ୍ଷକମାନଙ୍କୁ ବଦଳି କରିବା ପାଇଁ ପ୍ରତ୍ୟେକ ଶିକ୍ଷକ ପିଛା ୩୦ ହଜାର ଟଙ୍କା ଜିଲ୍ଲା ଶିକ୍ଷା ଅଧିକାରୀ ଆଦାୟ କରୁଥିବା କଥା ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ରାଜ୍ୟ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ନିକଟରେ ଅଭିଯୋଗ କରାଯାଇଛି । ପ୍ରାଥମିକ ଶିକ୍ଷାକୁ ବିପର୍ଯ୍ୟସ୍ତ କରି ଶିକ୍ଷକମାନଙ୍କ ଠାରୁ ବିଭିନ୍ନ ବ୍ଲକରେ ଥିବା ଏଜେଣ୍ଟମାନଙ୍କ ମାଧ୍ୟମରେ ଜିଲ୍ଲା ଶିକ୍ଷାଅଧିକାରୀ ଅର୍ଥ ସଂଗ୍ରହ କରୁଛନ୍ତି । ଏ ସଂପର୍କରେ ତଦନ୍ତ କରିବା ପାଇଁ ଏକ ତଥ୍ୟ ଅନୁସନ୍ଧନକାରୀ କମିଟି ଗଠନ କରାଯାଇଥିବା କଥା ସଂଘର ଆବାହକ ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏହି ତଥ୍ୟ ଅନୁସନ୍ଧାନକାରୀ କମିଟିରେ ଆବାହକ ରୂପେ ନରବରଙ୍ଗପୁର ଓକିଲ ସଂଘର ପୂର୍ବତନ ସଭାପତି ତଥା କୋରାପୁଟ ଜଲ୍ଲା ଭ୍ରଷ୍ଟାଚାର ବିରୋଧୀ ସଂଗଠନର ସଭାପତି ଅଶୋକ ମିଶ୍ର ରାଜ୍ୟ ଶିକ୍ଷକ ନେତା ତଥା ରାଜ୍ୟ ସଂପାଦକ- ଶ୍ୟାମ ସୁନ୍ଦର ପଣ୍ଡା, କଳାହାଣ୍ଡି ଜିଲ୍ଲାର ସଭାପତି ତଥା ସୁପ୍ରିମକୋର୍ଟର ଆଇନଜୀବୀ ସଞ୍ଜୀବ୍ ଯୋଶୀ ଓ ନବରଙ୍ଗପୁର ଜିଲ୍ଲା ଆବାହକ ସାମ୍ବାଦିକ ଈଶ୍ୱର ରାଓଙ୍କୁ ଏହି ତଥ୍ୟ ଅନୁସନ୍ଧାନକାରୀ କମିଟିରେ ସାମିଲ କରାଯାଇଛି ।

ଏହି ତଥ୍ୟ ଅନୁସନ୍ଧାନକାରୀ କମିଟି ଖୁବ୍ ଶୀଘ୍ର ନବରଙ୍ଗପୁର ଗସ୍ତ କରି ଏ ସଂପର୍କରେ ଶିକ୍ଷକ ସଂଗଠନ ଓ ବିଭିନ୍ନ ଅନୁଷ୍ଠାନ ଠାରୁ ତଥ୍ୟ ସଂଗ୍ରହ କରି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରାଯିବ । ତଥ୍ୟ ଅନୁସନ୍ଧାନକାରୀ କମିଟି ମାର୍ଚ୍ଚ ପ୍ରଥମ ସପ୍ତାହରେ ଗସ୍ତ କରିବେ ଓ ଗସ୍ତ ପୂର୍ବରୁ ସମସ୍ତଙ୍କୁ ଏ ସଂପର୍କରେ ଜଣାଇ ଦିଆଯିବ ବୋଲି ଆବାହକ ଶ୍ରୀ ନନ୍ଦ ଏକ ପ୍ରେସ୍ ବିବୃତ୍ତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *