Before Header

ପୋଲିସର ଟାର୍ଗେଟରେ ଡନ୍

0 35

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶ ପୋଲିସର ଟାର୍ଗେଟରେ ଗ୍ୟାଙ୍ଗଷ୍ଟର । ରାଜ୍ୟରୁ ଆତଙ୍କବାଦ ଦୂର କରିବା ପାଇଁ ଆକ୍ସନମୁଡ଼ରେ ପୋଲିସ । ଗତ ୬ବର୍ଷରେ ୟୁପି ପୋଲିସ ୧୦ ହଜାର ଏନକାଉଣ୍ଟର କରିଛି । ମାତ୍ର ଅତିକ୍ ଅହମ୍ମଦ, ତା’ ପୁଅ ଅର୍ସଦ ଓ ଭାଇ ଅସ୍ରଫ୍ ହତ୍ୟା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।  ପୁଅ ପରେ ବାପାକୁ ଗୁଳି । ୪୪ ବର୍ଷର ଅପରାଧୀକ ସାମ୍ରାଜ୍ୟ କିଛି କ୍ଷଣ ଭିତରେ ମାଟିରେ ମିଶିଯାଇଛି । ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ରମେଶ ପାଲ ହତ୍ୟା ମାମଲାର ଅଭିଯୁକ୍ତ ଅତିକ୍ ଅହମ୍ମଦର ପୁଅ ଅସଦ୍ ଓ ସୁଟର ଗୁଲାମ ମହମ୍ମଦକୁ ପୋଲିସ ଝାନସିରେ ଏନକାଉଣ୍ଟର କରିଥିଲା । ପୋଲିସର ମୋଷ୍ଟ ୱାଣ୍ଟେଡ ଥିବା ଅସଦ୍ ଓ ଗୁଲାମକୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲା । ୪୮ ଦିନ ପରେ ସେମାନଙ୍କୁ ଠାବ କରିଥିଲା ପୋଲିସ । କରିଥିଲା ଏନକାଉଣ୍ଟର । ୩୦ ମିନିଟରେ ଫୁଟିଥିଲା ୪୯ ରାଉଣ୍ଡ ଗୁଳି । ଅସଦ ଓ ଗୁଲାମର ଏନାକଉଣ୍ଟରର ଦୁଇଦିନ ପରେ ମାଫିଆ ଡନ୍ ଅତିକ୍ ଅହମ୍ମଦ ଓ ତାର ଭାଇ ଅଶରଫକୁ ବି ହତ୍ୟା କରାଯାଇଛି । ଦୁଇଜଣଙ୍କୁ ଏଭଳି ସମୟରେ ହତ୍ୟା କରାଯାଇଛି ଯେତେବେଳେ କି ସେମାନଙ୍କୁ ଚେକଅପ୍ ପାଇଁ ହସ୍ପିଟାଲ ନିଆଯାଉଥିଲା ।

ଅତିକ ଅହମ୍ମଦର ଅପରାଧୀକ ସାମ୍ରାଜ୍ୟ ୪୪ବର୍ଷ ତଳେ ଅର୍ଥାତ ୧୯୭୯ ମସିହାରେ ଆରମ୍ଭ ହୋଇଥିଲା । ସେହି ସମୟରେ ଆହ୍ଲାବାଦର ଚାକିଆ ମୋହଲ୍ଲାରେ ଫିରୋଜଙ୍କ ପରିବାର ରହୁଥିଲା । ଏହି ସମୟରେ ଫିରୋଜର ପୁଅ ଅତିକ ମାଟ୍ରିକ ପରୀକ୍ଷାରେ ଫେଲ ହୋଇଯାଇଥିଲା । ଏହାପରେ ଅତିକ୍ ପାଠ ପଢାରୁ ଧ୍ୟାନ ହଟାଇ ଧନୀ ହେବାର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲା । ଅତିକୁ ଯେତେବେଳେ ୧୭ବର୍ଷ ବୟସ, ପ୍ରଥମ ଥର ପାଇଁ ତା’ ବିରୋଧରେ ହତ୍ୟା ଅଭିଯୋଗ ଆସିଥିଲା । ସେହି ସମୟରେ ଆହ୍ଲାବାଦରେ ଚାନ୍ଦ ବାବାଙ୍କର ରାଜ୍ ଚାଲିଥିଲା । ପୋଲିସ ଓ ନେତା ଉଭୟ ଚାନ୍ଦ ବାବାଙ୍କ ଭୟରୁ ଲୋକଙ୍କୁ ମୁକ୍ତିଦେବାକୁ ଚାହୁଁଥିଲେ । ଏହି ସମୟରେ ନୂଆ ଚେହେରା ଭାବେ ଅତିକ୍ ପରିଚିତ ହୋଇସାରିଥିଲା । ଏହାକୁ ନଜରରେ ରଖି ପୋଲିସ ଓ ନେତାମାନେ ଅତିକକୁ ଚାନ୍ଦ ବାବା ବିରୋଧରେ ମତାଇ ଦେଇଥିଲେ । କିଛିଦିନ ପରେ ଅତିକର ଅପରାଧୀକ ସାମ୍ରାଜ୍ୟ ଚାନ୍ଦ ବାବାଠାରୁ ଆହୁରି ବଢିଯାଇଥିଲା । ୧୯୯୫ରେ ଅତିକର ନାମ ଲକ୍ଷ୍ନୌ ଗେଷ୍ଟ ହାଉସ ମାମଲାରେ ସାମ୍ନାକୁ ଆସିଥିଲା । ଏହି ପ୍ରସଙ୍ଗରେ ମାୟାବତୀଙ୍କ ଉପରେ ଆକ୍ରମଣ ହୋଇଥିଲା । ସଂପୃକ୍ତ ମାମଲାରେ ମାୟାବତୀ ଅନେକ ଅପରାଧୀଙ୍କୁ କ୍ଷମା କରିଦେଇଥିଲେ । ମାତ୍ର ଅତିକ୍ ଅହମ୍ମଦକୁ କ୍ଷମା କରିନଥିଲେ । ମାୟାବତୀ କ୍ଷମତାକୁ ଆସିବା ପରେ ଅତିକ ଅହମ୍ମଦ ପାଇଁ ବିପଦ ବଢିଥିଲା । ମାୟାବତୀ ମୁଖ୍ୟମନ୍ତ୍ରୀ ହେବା ପରେ ଅତିକକୁ ଆଇନର ଜାଲରେ ଛନ୍ଦିଦେବା ସହ ତାଙ୍କର ବିଭିନ୍ନ ସମ୍ପତ୍ତି ଉପରେ ବୁଲଡୋଜର ଚଳାଇଥିଲେ । ଏପରିକି ମାୟାବତୀ ଅତିକର ରାଜନୈତିକ କ୍ୟାରିଅର ସମାପ୍ତ କରିଦେଇଥିଲେ । ଏସବୁ ଭିତରେ ଅତିକ୍ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲା । ୨୦୦୪ରେ ସେ ଫୁଲପୁର ଲୋକସଭା ଆସନରୁ ସମାଜବାଦୀ ପାର୍ଟି ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲା ।

Leave A Reply

Your email address will not be published.