ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଛି ଭାରତ । ସବୁଠି ଆନନ୍ଦ, ଉତ୍ସାହ-ଉଲ୍ଲାସ । ସବୁଠି ଫର ଫର ହୋଇ ଉଡୁଛି ଜାତୀୟ ପତାକା । ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଥର ସ୍ବାଧୀନତା ଦିବସ ସମାରୋହରେ ବନ୍ଦେ ମାତରମ୍ ଗାନ ହୋଇଛି । ଲ୍ଲାଲକିଲ୍ଲାରୁ ଶୁଭିଲା ବନ୍ଦେ ମାତରମ୍ । ଲାଲକିଲ୍ଲାରେ ପହଞ୍ଚିବା ପୂର୍ବରୁ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ରାଜଘାଟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଥିଲେ । ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେନା ପକ୍ଷରୁ ତାଙ୍କୁ ଭବ୍ୟ ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରାଯାଇଛି । ଏହାର କିଛି ସମୟ ପରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ତ୍ରିରଙ୍ଗା ଉତ୍ତୋଳନ କରିବା ପରେ ୨୧ ତୋପ ସଲାମୀ ଦିଆଯାଇଛି । ବାୟୁସେନା ପକ୍ଷରୁ ଆକାଶ ମାର୍ଗରୁ ୨ଟି ହେଲିକପ୍ଟର ସାହାଯ୍ୟରେ ପୁଷ୍ପ ବର୍ଷା ହୋଇଛି ।
ବାୟୁସେନାର ଦୁଇଟି Mi-17 ହେଲିକପ୍ଟର ଲାଲକିଲ୍ଲା ଉପରୁ ଫୁଲ ବର୍ଷା କରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି । ପ୍ରଥମ ଥର ପାଇଁ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହରେ ବନ୍ଦେ ମାତରମ୍ ଗାନ କରାଯାଇଛି । ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହଜାର ହଜାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଲାଲକିଲ୍ଲା ଏବଂ ଏହାର ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ଭିତରେ ଏବଂ ବାହାରେ ହଜାରେରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି । ଏହି କ୍ୟାମେରାଗୁଡ଼ିକୁ ତଦାରଖ କରିବା ପାଇଁ AI-ଭିତ୍ତିକ ବ୍ୟବସ୍ଥା ବ୍ୟବହାର କରାଯାଇଛି । ସନ୍ଦେହଜନକ କାର୍ଯ୍ୟକଳାପ, ଭିଡ଼ ସମ୍ବନ୍ଧୀୟ ସମସ୍ୟା ଏବଂ ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଶୀଘ୍ର ଚିହ୍ନଟ କରିବାକୁ ଏହି ଏଆଇ ବ୍ୟବସ୍ଥା ବ୍ୟବହାର କରାଯାଇଛି । ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ସମାଲୋହରେ ୫ ହାଜର ଅତିଥି ସାମିଲ ହୋଇଛନ୍ତି ।
ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ଆଜି ପ୍ରତିଟି ଘର ତ୍ରିରଙ୍ଗା, ପ୍ରତିଟି ମନ ତ୍ରିରଙ୍ଗା । ଦେଶ ନୂଆ ସଂକଳ୍ପର ସହ ଆଗକୁ ବଢୁଛି । ପ୍ରଥମ ଥର ପାଇଁ ଲାଲକିଲ୍ଲାରେ ବନ୍ଦେ ମାତରମ୍ ଶୁଭିଲା । ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି । ବଡ଼ ସ୍ବପ୍ନ ଦେଖିବାକୁ ହେବ, ସଂକଳ୍ପ ଦୃଢ଼ ହେବା ଜରୁରୀ । ସଂକଳ୍ପ ବି ବଡ଼ ହେବା ଜରୁରୀ । ସ୍ବପ୍ନ, ସଂକଳ୍ପ ବଡ଼ ହେଲେ ସାମର୍ଥ ବି ବଡ଼ ହେବ । ଆଜି ଭାରତ ବି ବଡ଼ ସ୍ବପ୍ନ ଦେଖିଛି । ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା । ବିଶ୍ବର ଦୃଷ୍ଟିଭଙ୍ଗୀ ଆମ ପ୍ରତି ବଦଳିଛି, ଆମକୁ ସମ୍ମାନ ଦୃଷ୍ଟିରେ ଦେଖୁଛି । ୧୨ ବର୍ଷରେ ଦେଶ ଦ୍ରୁତ ଗତିରେ ବିକାଶ ଅଭିମୁଖେ ଅଗ୍ରସର । ସମର୍ପଣ ଭାବ ସହ ଦେଶ ଶୀର୍ଷକୁ ଛୁଉଁଛି । ୧୨ ବର୍ଷରେ ୨୫ କୋଟି ଗରିବୀରୁ ମୁକ୍ତି ପାଇଛନ୍ତି । ପ୍ରତିରକ୍ଷା ଉତ୍ପାଦନ ୪ ଗୁଣ ବୃଦ୍ଧି ପାଇଛି । ମେଟ୍ରୋର ବିସ୍ତାର କରିଛୁ, ପବ୍ଲିକ ଟ୍ରାନ୍ସପୋର୍ଟକୁ ଗୁରୁତ୍ବ ଦେଇଛୁ । ଏହା ପ୍ରମାଣିତ କରୁଛି, ଆମେ ଦ୍ରୁତ ଗତିରେ ଆଗକୁ ବଢୁଛୁ । ଆତ୍ମନିର୍ଭର ଭାରତ ହେବା ନିହାତୀ ଜରୁରୀ । ଶସ୍ତା ଓ ବିଦେଶୀ ସାମଗ୍ରୀ ଉପରେ ନିର୍ଭର କ୍ଷତିକାରକ । ଆଜି ଦେଶରେ ୩ ସେମି କଣ୍ଡକ୍ଚର ପ୍ଲାଣ୍ଟ ସକ୍ରିୟ ।
