ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଡ୍ରାଗନ କ୍ୟାପସୁଲ୍ ଭିତରୁ ବାହାରିଲେ ଶୁଭ୍ରାଂଶୁ ଶୁକ୍ଳା । ପୃଥିବୀରେ ସୁରକ୍ଷିତ ଭାବେ ପହଞ୍ଚିଲେ ଶୁଭ୍ରାଂଶୁ ଶୁକ୍ଳା । ଟେଲିଭିଜନ୍ ପରଦାରେ ଭାବବିହ୍ୱଳ ହୋଇପଡ଼ିଛନ୍ତି ଶୁଭ୍ରାଂଶୁଙ୍କ ପରିବାର ସଦସ୍ୟ । ଶୁଭ୍ରାଂଶୁଙ୍କ ଝଲକ୍ ଦେଖିଲେ କୋଟି କୋଟି ଭାରତୀୟ ।
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନ ବିତାଇବା ପରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ ତଥା ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳା ପୃଥିବୀକୁ ଫେରିଛନ୍ତି । ଆଇଏସ୍ଏସ୍କୁ ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଆକ୍ସିଅମ୍-୪ ମିସନର ଅଂଶ ଭାବରେ ୩ ଅନ୍ତର୍ଜାତୀୟ ସହଯୋଗୀଙ୍କ ସହ ସେ ସୁରକ୍ଷିତ ଭାବେ ଡ୍ରାଗନ ସ୍ପେଶକ୍ରାଫ୍ଟରେ ଅବତରଣ କରିଛନ୍ତି । ଜୁନ ୨୫ରେ ମହାକାଶ ଯାତ୍ରା ଆରମ୍ଭ କରିଥିବା ଶୁଭ୍ରାଂଶୁ ଶୁକ୍ଳା ଇତି ମଧ୍ୟରେ ୧୮ ଦିନିଆ ଯାତ୍ରା ଶେଷ କରି ପୃଥିବୀ ଫେରିଛନ୍ତି । ଶୁକ୍ଳା ଓ ଆକ୍ସ-୪କ୍ରିଉ ସେମାନଙ୍କର ୧୮ ଦିନର ରହଣି ସମୟରେ ଆଇଏସ୍ଏସ୍ରେ ୭ଟି ପରୀକ୍ଷଣ କରିଛନ୍ତି । ଜୀବବିଜ୍ଞାନ ଓ କୃତ୍ରିମ ବୁଦ୍ଧିମତ୍ତା, ପଦାର୍ଥ ବିଜ୍ଞାନ ଓ ମାନବ ସ୍ୱାସ୍ଥ୍ୟ ଉପରେ ୬୦ରୁ ଅଧିକ ଉନ୍ନତ ବୈଜ୍ଞାନିକ ପରୀକ୍ଷଣ ଶେଷ କରିଛନ୍ତି ।
ଆଇଏସ୍ଏସକୁ ଛାଡ଼ିବା ପୂର୍ବରୁ ଶୁଭ୍ରାଂଶୁ ସେଠାରେ ଏକ ଶୂନ୍ୟ ଗୁରୁତ୍ୱାକର୍ଷଣ ପରୀକ୍ଷଣ ପ୍ରଦର୍ଶନ କରିଥିଲେ । ଜଳ ମାଧ୍ୟମରେ ସୂକ୍ଷ୍ମ ଗୁରୁତ୍ୱାକର୍ଷଣ କିପରି ଦୈନନ୍ଦିନ ପଦାର୍ଥ ବିଜ୍ଞାନକୁ ରୂପାନ୍ତରିତ କରୁଛି, ତାହା ସେ ଦର୍ଶାଇଥିଲେ । ଏହି ପରୀକ୍ଷଣରେ ଶୁଭ୍ରାଂଶୁ ମହାକାଶରେ ଜଳର ଅନନ୍ୟ ଆଚରଣକୁ ବୁଝାଇଥିଲେ । ଶୁଭ୍ରାଂଶୁଙ୍କ ପ୍ରମୁଖ ଅବଦାନ ମଧ୍ୟରେ ରହିଛି ସ୍ପ୍ରାଉଟ୍ସ ପ୍ରୋଜେକ୍ଟ । ଯେଉଁଥିରେ ଆଇଏସ୍ଏସରେ ମେଥି ଏବଂ ମୁଗ ବିହନ ଗଜା କରାଇବା, ସାଇନୋ ବ୍ୟାକ୍ଟେରିଆ, ଭୋଏଜର ପ୍ରଦର୍ଶନ, ଟାର୍ଡ଼ିଗେଡ୍ସ, ମାୟୋଜେନେସିସ୍, ଅଣୁ ଶୈବାଳ ଏବଂ ଫସଲ ବିହନ ଆଦି ଉପରେ ଅନୁସନ୍ଧାନ କରାଯାଇଥିଲା । ମାଇକ୍ରୋବିୟଲ ଇକୋସିଷ୍ଟମ୍ ଓ ପୃଷ୍ଟିକର ପ୍ରୋଡଫାଇଲରେ ପରିବର୍ତ୍ତନ ଅଧ୍ୟୟନ କରିବା ପାଇଁ ଆଇଏସ୍ଏସରେ ରେ ଉତ୍ପାଦିତ ବିହନ ଅନେକ ପିଢ଼ି ଧରି ପୃଥିବୀରେ ଚାଷ କରାଯିବ ।
ମହାକାଶରେ ଖାଦ୍ୟ, ଅମ୍ଳଜାନ ଓ ଜୈବ ଇନ୍ଧନ ଉତ୍ପାଦନ କରିବାର ସାମର୍ଥ୍ୟ ଅନୁସନ୍ଧାନ ଉପରେ ପରୀକ୍ଷଣ କରିବାର ନେତୃତ୍ୱ ନେଇଥିଲେ । ଯାହା ଦୀର୍ଘଦିନର ଅଭିଯାନକୁ ସମର୍ଥନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ । ଅନ୍ୟ ଏକ ଉଲ୍ଲେଖନୀୟ କାର୍ଯ୍ୟକଳାପ ଥିଲା ମାଇକ୍ରୋ ଗ୍ରାଭିଟିରେ ଗ୍ଲୁକୋଜ୍ ମିନିଟର ପରୀକ୍ଷା କରିବା । ଯାହାକୁ ସେ ସଫଳତାର ସହିତ ଶେଷ କରି ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିଛନ୍ତି ।