ଭୁବନେଶ୍ୱର/ବାଲେଶ୍ଵର (ବଡ଼ ଖବର ବ୍ୟୁରୋ): ୨ ଜୁନ୍ ଶୁକ୍ରବାର । ଅପରାହ୍ନ ୩ଟା ୨୦ । ସ୍ଥାନ – ପଶ୍ଚିମବଙ୍ଗର ହାୱଡା ଷ୍ଟେସନ । ଚେନ୍ନାଇ ଅଭିମୁଖେ ବାହାରିଲା କରମଣ୍ଡଳ ଏକ୍ସପ୍ରେସ । ଏହାର ପ୍ରାୟ ସାଢ଼େ ୫ ଘଣ୍ଟା ପୂର୍ବରୁ କର୍ଣ୍ଣାଟକର ବେଙ୍ଗାଳୁରୁରୁ ଦିନ ୧୦ଟା ୩୫ରେ ବାହାରିଥିଲା ବେଙ୍ଗାଳୁରୁ- ହାୱଡା ସୁପରଫାଷ୍ଟ । ଦୁଇ ବିପରୀତ ଦିଗରୁ ଆସୁଥିବା ଦୁଇଟି ଟ୍ରେନ୍ ନିର୍ଦ୍ଧାରିତ ବେଗ ଧରି ଆଗକୁ ବଢିଥିଲେ । ଭିତରେ ଥିବା ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଅପେକ୍ଷା କରିଥିଲେ । ସଂଜ ହୋଇ ଆସିଲା । ସମସ୍ତେ ନାସ୍ତାରେ ବ୍ୟସ୍ତ ଥିଲେ । କିଏ ନିଜ ଛୋଟ ଛୁଆକୁ ଖୁଆଇ ଦେଉଥିଲା, କିଏ ଗପସପରେ ବିଜି ଥିଲା । ତ ଆଉ କିଏ ରାତି ଡିନର ପାଇଁ ଅର୍ଡର ଦେଉଥିଲା । ସମୟ ସନ୍ଧ୍ୟା ୭ । ବାଲେଶ୍ଵରର ବାହାନଗା ।ଗୋଟିଏ ଟ୍ରେନ୍ ପ୍ରଥମ ଷ୍ଟେସନରୁ ବାହାରିବାର ପ୍ରାୟ ସାଢ଼େ ୩ ଘଣ୍ଟା । ଆଉଗୋଟିଏ ଟ୍ରେନକୁ ନିଜ ଶେଷ ଷ୍ଟପେଜରେ ପହଞ୍ଚିବାକୁ ସେହି ସମାନ ସାଢ଼େ ୩ ଘଣ୍ଟା ବାକି । ମାନେ ୨ଟି ଯାକ ଟ୍ରେନ୍ ଗୋଟିଏ ଷ୍ଟେସନ ନିକଟରେ । ଅଚାନକ ଅତି ଭୟଙ୍କର ଶବ୍ଦ ।
ଏ ଶବ୍ଦ ସେହି ଦୁର୍ଘଟଣାର, ଯାହାକୁ ଏକବିଂଶ ଶତାବ୍ଦୀର ସବୁଠୁ ହୃଦୟବିଦାରକ ରେଳ ଟ୍ରାଜେଡି ବୋଲି କୁହାଯାଉଛି । ଏ ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ, ଟ୍ରେନର ଡବା ଗୁଡ଼ିକ ତାସ୍ ଘର ଭଳି ଛିନଛତ୍ର ହୋଇଗଲା । କେତେକ ବଗି ଦୁଇ ତିନି ପଲଟି ଖାଇ ଦୂରକୁ ଛିଟିକି ଗଲା । ଆଉକିଛି ବଗି ଭିତରେ ରେଳ ଧାରଣା ପଶିଯାଇ ଛାତ ଯାଏ ପହଞ୍ଚି ଯାଇଥିଲା । ଲାଗୁଥିଲା ଯେମିତି ଭୂମିକମ୍ପ ହୋଇଛି । ଭୂମିକମ୍ପ ମୃତ୍ୟୁର । ମୃତ୍ୟୁର ଏ ଭୂମିକମ୍ପ ଏତେ ତୀବ୍ର ଯେ ତିନିଟି ଟ୍ରେନର ଡବା କେଉଁଠି କେଉଁଠି ଛିଟିକି ଥିଲା, ତାହା ନ ଦେଖିଲେ ବିଶ୍ୱାସ କରିହେବ ନାହିଁ ।
ଯେଉଁଠି କରମଣ୍ଡଳ ଏକ୍ସପ୍ରେସ ଲାଇନରୁ ବାହାରି ଆଉଟର୍ ଲାଇନରେ ଥିବା ମାଲ ଗାଡ଼ିରେ ପିଟିହେଲା, ଭିତରେ ଥିବା ଶହ ଶହ ଯାତ୍ରୀ ଜୀବନ ରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ସେଇଠି କେହି କିଛି ଭାବିବା ଆଗରୁ ସାମ୍ନାପଟୁ ମୃତ୍ୟୁର ମହାତାଣ୍ଡବ ସାଜି ଲାଇନଚ୍ୟୁତ କରମଣ୍ଡଳକୁ ସିଧା ପିଟିଥିଲା ବେଙ୍ଗାଳୁରୁ – ହାୱଡା ସୁପରଫାଷ୍ଟ । ପେଟ ପୂରାଇବାକୁ ଦୁଇପଟ ରୁଟି ସନ୍ଧାନରେ ଦୁଇ ଜୁନରେ ଘରୁ ବାହାରିଥିବା ଅନେକ ଆଉ କେବେ ବି ଘରକୁ ଫେରି ପାରିନାହାନ୍ତି । ହସ ହସ ମୁହଁରେ ଟ୍ରେନ୍ ଡବାରୁ ବାହାରିବାକୁ ଥିବା ଯାତ୍ରୀ ମାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
ଯେଉଁମାନେ କିଛି ସମୟ ପୂର୍ବରୁ ଯାତ୍ରୀ ଥିଲେ, ସେମାନେ ଏବେ ଭୀଷଣ ଦୁର୍ଘଟଣାର ଶିକାର ହୋଇ ମୃତକ ପାଲଟି ସାରିଥିଲେ । ଯେଉଁ ରେଳକୁ ଭାରତର ଲାଇଫ-ଲାଇନ୍ କୁହାଯାଏ, ସେହି ରେଳ ଡେଥ-ଲାଇନ୍ ପାଲଟିବା ପରେ ଅନେକ ପ୍ରଶ୍ନ ଉଠିବା ସ୍ଵାଭାବିକ ।
୧- ୩ଟି ଟ୍ରେନ୍ ଏକା ସାଥିରେ କିଭଳି ଦୁର୍ଘଟଣାର ଶିକାର ହେଲା?
୨- ଏତେ ଭୀଷଣ ଦୁର୍ଘଟଣା କିପରି ଘଟିଲା, ଯାହା ଶହ ଶହ ଯାତ୍ରୀଙ୍କ ଜୀବନ ନେଇଗଲା ?
୩- ସିଗ୍ନାଲ ଫେଲ ହେଲା, ଟ୍ରାକରେ ଗଡବଡ ଥିଲା ନା ଏହା ମନୁଷ୍ୟକୃତ ଅବହେଳା?
୪- କେମିତି ଅପଲାଇନରୁ ଆସୁଥିବା କରମଣ୍ଡଳ ଲୁପ୍ ଲାଇନକୁ ମାଡ଼ି ଯାଇ ମାଲଗାଡିରେ ପିଟି ହେଲା, ଏବଂ ବିପରୀତ ଦିଗରୁ ଆସୁଥିବା ଆଉଗୋଟେ ଟ୍ରେନକୁ କାହିଁକି ଅଟକା ଯାଇପାରିଲା ନାହିଁ?
୪- କଣ ରେଲୱେର ଆଧୁନିକିକରଣ, ଉନ୍ନତ ଟେକ୍ନୋଲୋଜି, ଭିତ୍ତିଭୂମି ସୁଦୃଢ ଭଳି କଥା କେବଳ ଭାଷଣବାଜି ପାଇଁ?
୫- କଣ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଭାରତୀୟ ରେଳ ସିରିୟସ ନୁହେଁ?
୬- ଯେଉଁ ‘କବଚ’ ଯୋଜନା କଥା କହିଥିଲେ ରେଳମନ୍ତ୍ରୀ, ତାହା କୁଆଡେ ଗଲା?
୭- କଣ ଏବେ ବି ଦେଶର ସମସ୍ତ ଟ୍ରେନକୁ ସୁରକ୍ଷା ଦେବାକୁ ସମୟ ଲାଗିବ, ଯଦି ହଁ ତେବେ କେତେ?
ଗତବର୍ଷ କବଚ ଯୋଜନାର ଶୁଭାରମ୍ଭ କରି ରେଳମନ୍ତ୍ରୀ ଦୁଇଟି ଡମି ଟ୍ରେନ୍ ହାତରେ ଧରି ଦୁର୍ଘଟଣା ରୋକିବାରେ ଫର୍ମୂଲା ବୁଝାଇଥିଲେ । ଏପରିକି ଗୋଟେ ଟ୍ରେନରେ ବସି ‘କବଚ’ ସଫଳ ବୋଲି କହି ତାଳି ମାରିଥିଲେ ।
ଯେବେ ବାସ୍ତବରେ ଟ୍ରେନକୁ ‘କବଚ’ ଦରକାର ହେଲା, ତାହା କାହିଁକି କାମ କଲା ନାହିଁ, ତାହାର ଉତ୍ତର କେହି ଦେଉନାହାନ୍ତି । ରେଳ ଯାତ୍ରୀଙ୍କ ସୁରକ୍ଷା ସହ ହେଉଥିବା ଅବହେଳାକୁ ଦେଖି ଏହା କୁହା ଯାଇପାରେ ପ୍ଲାଟଫର୍ମରେ ଯାତ୍ରୀ କୃପୟା ଧ୍ୟାନ ଦିଅନ୍ତୁ ବଦଳରେ ଯାତ୍ରୀ ନିଜ ସୁରକ୍ଷା ନିଜେ ସୁନିଶ୍ଚିତ କରାନ୍ତୁ ଭଳି ଆନାଉଁସମେଣ୍ଟ ହେବା ଦରକାର ।
ଦୁର୍ଘଟଣା ଘଟିବା ପରେ କାହିଁକି ଦୁର୍ଘଟଣା ଘଟିଲା ସେ ନେଇ ପ୍ରଶ୍ନ ଉଠିବ। କାରଣ ଏହା ଶହ ଶହ ଯାତ୍ରୀଙ୍କ ଜୀବନ ନେଇଛି । ଏଠି ପ୍ରଶ୍ନ ନୈତିକତା ଓ ଉତ୍ତଦାୟିତ୍ୱର ମଧ୍ୟ ରହିଛି ।
କିଶନ ବାରାଇଙ୍କ ରିପୋର୍ଟ