Before Header

ଭୋଟ୍ ମାଗି କ’ଣ ଭୁଲ୍ କଲି?

0 8,568

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ସଦର ଉପନିର୍ବାଚନ ସରିଲା । ମାତ୍ର ଫଳ ପ୍ରକାଶ ପୂର୍ବରୁ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ଦଳରୁ ନିଲମ୍ବିତ କରିଛି ବିଜେଡି । ଯାହା ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜୀବନ ପ୍ରଦୀପ ଦାଶଙ୍କୁ ସସପେଣ୍ଡ କରିଛନ୍ତି । ତେବେ ଫଳ ଆସିବା ପୂର୍ବରୁ ହଠାତ୍ ଜୀବନଙ୍କ ଉପରେ ଦଳୀୟ କାର୍ଯାନୁଷ୍ଠାନ ଓ ସେ କେଉଁ ପ୍ରକାର ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ସେ ନେଇ ସ୍ପଷ୍ଟ ବିବରଣୀ ଦଳ ତରଫରୁ ନ ଦିଆଯିବାକୁ ନେଇ ଅନେକ ଆକଳନ ମୁଣ୍ଡ ଟେକିଛି । ପ୍ରକୃତରେ ତାଙ୍କ ଭୁଲ କ’ଣ?

ନାମ ଗୋପନ ରଖିବା ସର୍ତ୍ତରେ କିଛି ବିଜେଡି ନେତା ଏକଥା କହୁଛନ୍ତି କି, ଗତ ଉପ ନିର୍ବାଚନରେ ଜୀବନ ପ୍ରଦୀପ ବିଜେଡିର ଭୋଟ୍ କାଟିବା କାମରେ ଲାଗିଥିଲେ । କାରଣ ଗତ ନିର୍ବାଚନରେ ସେ ପ୍ରାର୍ଥୀ ଥିଲେ, ହେଲେ ଉପ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଲା ନାହିଁ । ସେହି ରାଗ ସୁଝାଇବାକୁ ସେ ବିଜେପିକୁ ସହଯୋଗ କରିଥିଲେ । ତେବେ ଆନୁଷ୍ଠାନିକ ଭାବେ ଏହି କଥା ଗଣମାଧ୍ୟମକୁ କହିବାକୁ ସେମାନେ ପଛାଉଛନ୍ତି । ଏପରିକି ନିଲମ୍ବନ କାରଣ ଜାଣିବାକୁ ଦଳର ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

ଅନ୍ୟପକ୍ଷରେ, ଏହି ନିଷ୍ପତ୍ତି ପଛରେ ଆଉ ଏକ କାରଣ ଯାହା କୁହାଯାଉଛି, ତାହା ହେଉଛି ରବୀନ୍ଦ୍ର-ଜୀବନ ପ୍ରଦୀପ ବିବାଦ । ଗତ ନିର୍ବାଚନରେ ଜୀବନ ପ୍ରଦୀପ ହାରିବା ଓ ଏଥିଲାଗି ତାଙ୍କ ସମର୍ଥକ ପରୋକ୍ଷରେ ରବୀନ୍ଦ୍ରଙ୍କୁ ଦାୟୀ କରିବାକୁ ପଛାଇ ନ ଥିଲେ । ରବୀନ୍ଦ୍ର ଓ ଜୀବନଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ତେଜିଥିଲା । ଏଥିଲାଗି ଗତ ଉପ ନିର୍ବାଚନରେ ଟିକଟ ଆଶାୟୀ ୨ ଜଣଙ୍କୁ ବାଦ୍ ଦେଇ ସରପ୍ରାଇଜ୍ ଚେହେରା ଭାବେ ମୈଦାନକୁ ଓହ୍ଲାଇଥିଲେ ସ୍ୱରୂପ ଦାସ । ତେବେ ଉପ ନିର୍ବାଚନରେ ୨ ପ୍ରମୁଖ ନେତାଙ୍କ ମଧ୍ୟରେ ସାଂଗଠନିକ ତାଳମେଳ ନ ଥିବା ଆଲୋଚନା ହୋଇଥିଲା । କଥା ଭୁବନେଶ୍ୱରରେ ପହଞ୍ଚିଥିଲା, ହେଲେ ନିର୍ବାଚନ ସରିବା ଯାଏଁ ଦଳ ଅପେକ୍ଷା କରିବାକୁ ଚାହିଁଥିଲା ।

ତେବେ ନିଲମ୍ବନ ପରେ ‘ବଡ଼ ଖବର’ରେ ପ୍ରତିକ୍ରିୟା ରଖିଛନ୍ତି ଜୀବନ ପ୍ରଦୀପ ଦାଶ । ସେ କହିଛନ୍ତି, ‘ମୁଁ ଆଶ୍ଚର୍ଯ୍ୟଚକିତ । ମୁଁ କ’ଣ ଦଳ ବିରୋଧୀ କାର୍ଯ୍ୟ କଲି? ଦୁଇ ଧାଡି ଶବ୍ଦରେ ମୋତେ ଦଳରୁ ନିଲମ୍ବନ କରିବା ଦୁଃଖ ଦେଉଛି । ନିର୍ବାଚନରେ ମୁଁ ଜଣେ ଶୃଙ୍ଖଳିତ କର୍ମୀ ହିସାବରେ ଦଳୀୟ ପ୍ରାର୍ଥୀଙ୍କୁ ସହଯୋଗ କଲି, ତାଙ୍କ ପାଇଁ ଭୋଟ ଭିକ୍ଷା କଲି । ଏହା କ’ଣ ମୋର ଭୁଲ ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି । ଜୀବନ ପ୍ରଦୀପ ଥରେ ବିଜେପିରୁ ଓ ୨ ଥର ବିଜେଡିରୁ ବିଧାୟକ ରହିଥିଲେ । ଗତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କଠାରୁ ପରାଜିତ ହୋଇଥିଲେ ।

Leave A Reply

Your email address will not be published.