Before Header

ରାହୁଲଙ୍କ ଭଳି ଏମାନଙ୍କର ବି ଯାଇଥିଲା ସଭ୍ୟପଦ

0 43

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗତକାଲି ରାହୁଲଙ୍କ ସଭ୍ୟପଦ ରଦ୍ଦ ହୋଇଛି । ପୂର୍ବରୁ ମଧ୍ୟ ଏହିଭଳି ସମାନ ଦଶା ଭୋଗିଥିଲେ କିଛି ନେତା । ସାଂସଦ ଓ ବିଧାୟକ ପଦ ରଦ୍ଦ ହୋଇଥିଲା । ଜନପ୍ରତିନିଧି ଆଇନଅନୁସାରେ ଯାଇଥିଲା ସଭ୍ୟପଦ । ଏହି ଆଇନ ଅନୁସାରେ କୌଣସି ମାମଲାରେ ଜନ ପ୍ରତିନିଧି ମାନେ ୨ ବର୍ଷ ବା ତା ଠାରୁ ଅଧିକ ସମୟ ପାଇଁ ଜେଲ ଦଣ୍ଡାଦେଶ ପାଇଲେ ସେମାନଙ୍କ ସଭ୍ୟପଦ ୬ବର୍ଷ ପାଇଁ ରଦ୍ଦ ହେବ। ପୂର୍ବରୁ ଲାଲୁ ପ୍ରସାଦ ଯାଦବ, ଜେ.ଜୟଲଳୀତା, କୁଲଦୀପ ସିଂ ସେନଗର, ପ୍ରଦୀପ ଚୌଧୁରୀ, ଅନନ୍ତ ସିଂ, ଆଜମ ଖାଁ, ଅନୀଲ କୁମାର ସାହାଣି, ବିକ୍ରମ ସିଂ ସାଇନି, ପି ପି ମହମ୍ମଦ ଫୈଜଲ, ଅବଦୁଲା ଆଜମ ଖାଁଙ୍କ ସଭ୍ୟ ପଦ ଯାଇଛି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ୨୦୧୩ ସେପ୍ଟେମ୍ବରରେ ଲୋକସଭା ସଭ୍ୟପଦ ହରାଇଥିଲେ। ସେତେବେଳେ ସେ ବିହାରର ଶରଣ ଆସନରୁ ସାଂସଦ ଥିଲେ। ସେହିଭଳି ତାମିଲନାଡୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ୨୦୧୪ ସେପ୍ଟେମ୍ବରରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ୪ବର୍ଷ କାରାଦଣ୍ଡାଦେଶ ପାଇବା ପରେ ବିଧାନସଭାର ସଭ୍ୟପଦ ହରାଇଥିଲେ। ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।

ଉତ୍ତର ପ୍ରଦେଶର ଉନ୍ନାଓ ବାଙ୍ଗରମାଓ ବିଧାୟକ କୁଲଦୀପ ସିଂହ ସେନଗରଙ୍କ ମଧ୍ୟ ସଭ୍ୟମଦ ରଦ୍ଦ ହୋଇଥିଲା । ବହୁଚର୍ଚ୍ଚିତ ଧର୍ଷଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୨୦୨୦ ଫେବୃଆରୀରେ ବିଧାନସଭା ସଭ୍ୟପଦରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ସେହିପରି ହରିୟାଣାର କାଲକାରୁ ନିର୍ବାଚିତ କଂଗ୍ରେସ ବିଧାୟକ ପ୍ରଦୀପ ଚୌଧୁରୀ ୨୦୨୧ ଜାନୁଆରୀରେ ଏକ ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ତିନି ବର୍ଷ କାରାଦଣ୍ଡାଦେଶ ପାଇ ସଭ୍ୟ ପଦ ହରାଇଥିଲେ । ବିହାରର ମୋକାମା ଆସନରୁ ନିର୍ବାଚିତ ଆରଜେଡି ବିଧାୟକ ଅନନ୍ତ ସିଂହ । ସେ ମଧ୍ୟ ୨୦୨୨ ଜୁଲାଇରେ ନିଜ ପଦ ହରାଇଥିଲେ। ଘରେ ବେଆଇନ ଅସ୍ତ୍ର ରଖିବା ମାମଲାରେ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡାଦେଶ ହୋଇଥିଲା। ଉତ୍ତର ପ୍ରଦେଶର ରାମପୁର ସଦର ବିଧାୟକ ଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାଁ । ତାଙ୍କର ମଧ୍ୟ ବିଧାନସଭା ସଭ୍ୟପଦ ୨୦୨୨ ଅକ୍ଟୋବରରେ ରଦ୍ଦ ହୋଇଥିଲା। ୨୦୧୯ର ଏକ ଉତ୍ତେଜକ ମନ୍ତବ୍ୟ ମାମଲାରେ ତାଙ୍କୁ ତିନି ବର୍ଷ କାରାଦଣ୍ଡାଦେଶ ହୋଇଥିଲା ।

ବିହାରର କୁରହାଣି ଆସନର ଆରଜେଡି ବିଧାୟକ ଅନିଲ କୁମାର ସାହାଣିଙ୍କୁ ଏକ ଜାଲିଆତି ମାମଲାରେ ତିନି ବର୍ଷ କାରାଦଣ୍ଡାଦେଶ ହେବା ପରେ ୨୦୨୨ ଅକ୍ଟୋବରରେ ତାଙ୍କ ବିଧାନସଭା ସଭ୍ୟପଦ ରଦ୍ଦ ହୋଇଥିଲା। ୨୦୧୨ରେ ସେ ଜେଡିୟୁରୁ ରାଜ୍ୟସଭା ସାଂସଦ ଥିଲାବେଳେ ଭ୍ରମଣ କରି ନଥିଲେ ମଧ୍ୟ ଜାଲ୍‌ ବିମାନ ଟିକଟ ଦାଖଲ କରି ୨୩ ଲକ୍ଷ ଟଙ୍କାର ଯାତ୍ରା ଖର୍ଚ୍ଚ ନେବା ଉଦ୍ୟମ କରିଥିଲେ। ଉତ୍ତର ପ୍ରଦେଶର ବିଜେପି ବିଧାୟକ ବିକ୍ରମ ସିଂହ ସାଇନି ୨୦୨୨ ଅକ୍ଟୋବରରେ ବିଧାୟକ ପଦ ହରାଇଥିଲେ। ୨୦୧୩ ମୁଜାଫର ନଗର ଦଙ୍ଗା ମାମଲାରେ ଖଟାଉଲି ବିଧାୟକ ସାଇନ ଦୁଇ ବର୍ଷ କାରାଦଣ୍ଡାଦେଶ ପାଇଥିଲେ। ସେହିଭଳି ଲାକ୍ଷାଦ୍ୱୀପର ଏକମାତ୍ର ସାଂସଦ ଏନ୍‌ସିପି ସଦସ୍ୟ ପି ପି. ମହମ୍ମଦ ଫୈଜଲଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଅଦାଲତ ୨୦୨୩ ଜାନୁଆରୀରେ ୧୦ବର୍ଷ କାରାଦଣ୍ଡାଦେଶ ଶୁଣାଇବା ପରେ ତାଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା। ଅବଶ୍ୟ ପରେ କେରଳ ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଦେଇଥିଲେ। ସେ ତାଙ୍କର ସଭ୍ୟ ପଦ ଫେରି ପାଇଥିଲେ ମଧ୍ୟ ଲୋକସଭା ସଚିବାଳୟ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରି ନାହିଁ। ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ନେତା ଆଜମ ଖାଁଙ୍କ ପୁଅ ଅବଦୁଲା ଖାଁ ୨୦୨୩ ଫେବୃଆରୀରେ ବିଧାନସଭା ସଭ୍ୟପଦରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ରାମପୁର ସୁଆର ଆସନରୁ ନବନିର୍ବାଚିତ ଅବଦୁଲା ୨୦୦୭ରେ ରାଜପଥରେ ପୁଲିସ ଯାଞ୍ଚ ଚାଲିଥିବାବେଳେ ଧାରଣା ଦେବା ଓ ପୁଲିସ ଉପରେ ଆକ୍ରମଣ ମାମଲାରେ ଦୁଇ ବର୍ଷ କାରାଦଣ୍ଡାଦେଶ ପାଇଛନ୍ତି। ଆଉ ଏବେ ରାହୁଲ ଗାନ୍ଧିଙ୍କର ଯାଇଛି ସାଂସଦ ପଦ । ୱାୟନାଡ଼ର ସାଂସଦ ପଦ ହରାଇଛନ୍ତି ।

Leave A Reply

Your email address will not be published.