ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଙ୍ଗୋପସାଗରରେ ପୁଣି ଦେଖାଦେଇପାରେ ପାଣିପାଗରେ ବଡ଼ ପରିବର୍ତ୍ତନ। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍ଡିର ଦୀର୍ଘକାଳୀନ ଆକଳନରୁ ସୂଚନା ମିଳିଛି। ୧୩ରେ ଆଣ୍ଡାମାନ ସାଗରରେ ଏହା ଲଘୁଚାପରେ ପରିଣତ ହୋଇପାରେ । ୧୫ ତାରିଖବେଳକୁ ଏହା ଦକ୍ଷିଣ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେବାର ସ୍ବଳ୍ପ ସମ୍ଭାବନା ମଧ୍ୟ ରହିଛି। ଏବେ ସୁଦ୍ଧା ଏତିକି ପୂର୍ବାନୁମାନ ଦେଖାଇଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)। ବିଭିନ୍ନ ମଡେଲକୁ ବିଶ୍ଳେଷଣ କରି ଆଇଏମଡି ଅକ୍ଟୋବର ମଝିରେ ଆସୁଥିବା ଏହି ସମ୍ଭାବ୍ୟ ଲଘୁଚାପକୁ ନେଇ ଏବେ ଆରମ୍ଭ ହୋଇଯାଇଛି ବିଶ୍ଳେଷଣ ।
ଅକ୍ଟୋବର ୧୫ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ଅବପାତର ରୂପ ନେଇପାରେ ବୋଲି ଆକଳନ କରାଯାଇଛି। ତେବେ ଲଘୁଚାପଟି ଆଗକୁ କେଉଁ ଦିଗରେ ଗତି କରିବ ଏବଂ ଏହାର ପ୍ରଭାବ କେଉଁ ଅଞ୍ଚଳରେ ପଡ଼ିବ, ସେନେଇ ଏବେଠାରୁ ସ୍ପଷ୍ଟ ଚିତ୍ର ମିଳିନାହିଁ । ଆସନ୍ତା କିଛି ଦିନର ନୂଆ ପାଣିପାଗ ତଥ୍ୟ ଆସିବା ପରେ ଏହାର ଗତିପଥ ଓ ପ୍ରଭାବ ସମ୍ପର୍କରେ ଅଧିକ ସ୍ପଷ୍ଟ ସୂଚନା ମିଳିପାରେ। ତେଣୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ସମ୍ଭାବ୍ୟ ଲଘୁଚାପ ଉପରେ ଏବେ ପାଣିପାଗ ବିଭାଗର ନଜର ରହିଛି। ଆଗାମୀ ଦିନରେ ଆଇଏମ୍ଡି ପକ୍ଷରୁ ଜାରି ହେବାକୁ ଥିବା ନୂଆ ଆକଳନ ପରେ ପାଣିପାଗର ସ୍ଥିତି ଅଧିକ ସ୍ପଷ୍ଟ ହେବ।
