ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି । ଫଳରେ ଗ୍ରାହକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ। ଓମ୍ଫେଡ୍ ପ୍ରିମିୟମ୍ କ୍ଷୀରର ଦର ପୂର୍ବରୁ ଲିଟର ପିଛା ୫୮ ଟଙ୍କା ଥିବାବେଳେ ଏବେ ଏହା ୬୦ ଟଙ୍କା ହେବ । ସେହିପରି ୫୦୦ ମିଲିଲିଟର ପ୍ୟାକେଟ୍ର ଦର ୩୦ ଟଙ୍କା ହେବ। ଓମ୍ଫେଡ୍ର ଅନ୍ୟତମ ଅଧିକ ବିକ୍ରି ହେଉଥିବା କ୍ଷୀର ‘ଗୋଲ୍ଡ’ର ଦର ଲିଟର ପିଛା ୬୨ ଟଙ୍କା ହୋଇଛି । ଗୋଲ୍ଡ ପ୍ଲସ୍ର ଦର ୬୬ ଟଙ୍କା ଏବଂ ଟୋନ୍ଡ କ୍ଷୀରର ଦର ୫୮ ଟଙ୍କା ହୋଇଛି ।
ଗୁରୁବାର ଅନୁଷ୍ଠିତ ଓମ୍ଫେଡ୍ ପରିଚାଳନା କମିଟି ବୈଠକରେ କ୍ଷୀର ଦର ବୃଦ୍ଧି ନେଇ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଓମ୍ଫେଡ୍ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଓମ୍ଫେଡ୍ର କହିବା ଅନୁସାରେ, ଅନ୍ତର୍ଜାତୀୟ ବଜାରରେ ଇନ୍ଧନ ଦର ବଢ଼ିବା ଯୋଗୁଁ କୃଷିଜାତ ସାମଗ୍ରୀର ଉତ୍ପାଦନ ଓ ପରିବହନ ଖର୍ଚ୍ଚ ବଢ଼ିଛି । ବଢ଼ୁଥିବା ଉତ୍ପାଦନ ଖର୍ଚ୍ଚକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୯ରୁ କ୍ଷୀର ଉତ୍ପାଦକମାନଙ୍କୁ ଲିଟର ପିଛା ଅତିରିକ୍ତ ୨ ଟଙ୍କା ଦିଆଯାଉଛି । ଗତ ୫ ମାସ ମଧ୍ୟରେ ଓମ୍ଫେଡ୍ର ଦ୍ୱିତୀୟ କ୍ଷୀର ଦର ବୃଦ୍ଧି। ମେ’ ମାସରେ ଫେଡେରେସନ୍ ବିଭିନ୍ନ ପ୍ରକାର କ୍ଷୀରର ଦର ଲିଟର ପିଛା ୩ରୁ ୪ ଟଙ୍କା ବଢ଼ାଇଥିଲା ।
