ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରୀ ସହ ରହିଛି ଦଳୀୟ କାର୍ଯ୍ୟକ୍ରମ । ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହେବେ ସାମିଲ । କେନ୍ଦ୍ରମନ୍ତ୍ରୀଙ୍କ ସହ ରାଷ୍ଟ୍ରୀୟ ନେତୃତ୍ଵଙ୍କୁ କରିବେ ସାକ୍ଷାତ୍ । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ସେପ୍ଟେମ୍ବର ୧ ଓ ୨ ତାରିଖ ଦୁଇଦିନ ଧରି ଏଭଳି ଶିଖର ସମ୍ମିଳନୀ ଆୟୋଜନ କରାଯାଉଛି । ମଙ୍ଗଳବାର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ବୁଧବାର ଏହା ଉଦ୍ଯାପିତ ହେବ । ଉଦ୍ଯାପନ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଜଳସମ୍ପଦ ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏହି ଦୁଇଦିନିଆ ଶିଖର ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ, ଜଳ ଭିତ୍ତିଭୂମି ପ୍ରକଳ୍ପର ସମୟୋଚିତ କାର୍ଯ୍ୟକାରିତା, ଜଳ ସଞ୍ଚୟ, ପାନୀୟଜଳ ବ୍ୟବସ୍ଥାର ଉତ୍ସ ସ୍ଥିରତା, ଜଳ ଜୀବନ ମିଶନ ୨.୦ ଅଧୀନରେ ଗ୍ରାମୀଣ ପାନୀୟଜଳ ଯୋଗାଣ, ବର୍ଷାଜଳ ଅମଳ, ଭୂତଳ ଜଳ ସଂରକ୍ଷଣ ଆଦି ବିଷୟ ନେଇ ଆଲୋଚନା ହେବ । ବୁଧବାର କାର୍ଯ୍ୟକ୍ରମରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସନ୍ଧ୍ୟାରେ ଭୁବନେଶ୍ୱର ଫେରିଆସିବେ ବୋଲି ଜଣାପଡ଼ିଛି । ସେହିଭଳି ଆଜି ଦିଲ୍ଲୀ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦିଲ୍ଲୀ ସ୍ଥିତ ବାସଭବନରେ ରହିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଅନେକ ନେତୃତ୍ୱକୁ କରିପାରନ୍ତି ସାକ୍ଷାତ୍ ।
