ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ଦିନକ ପରେ ନୂଆପଡ଼ା ଉପନିର୍ବାଚନ ଭୋଟ ଗଣତି ହେବ । ଶୁକ୍ରବାର ଫିଟିବ ବିଜେପି, ବିଜେଡି, କଂଗ୍ରେସ ସମେତ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଗତ ମଙ୍ଗଳବାର ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟଗ୍ରହଣ ସରିଛି । ବିଳମ୍ବିତ ରାତିରେ ୩୫୮ଟି ଇଭିଏମ, ଭିଭିପାଟ ଓ ଅନ୍ୟ ମତଦାନ ସାମଗ୍ରୀ ନ୍ୟାସନାଲ କଲେଜ ଷ୍ଟ୍ରଙ୍ଗରୁମରେ ପହଞ୍ଚିଛି । ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟରେ ଇଭିଏମ୍ ରହିଛି । ଭୋଟ ଗ୍ରହଣ ଓ ଗଣନା ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ ଆୟୋଜନ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ନ୍ୟାସନାଲ କଲେଜରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମ ମଧ୍ୟରେ ଥିବା ସମସ୍ତ ଇଭିଏମ ଓ ଭିଭିପାଟ ମେସିନ୍ ଗୁଡ଼ିକ ଆସନ୍ତାକାଲି କାଉଣ୍ଟିଙ୍ଗ ହଲକୁ ଅଣାଯିବ । ଭୋଟ ଗଣତି ପାଇଁ ୧୪ଟି ଗଣତି ଟେବୁଲ୍ ଓ ପୋଷ୍ଟାଲ ଭୋଟ ପାଇଁ ଗୋଟିଏ ଟେବୁଲ୍ ବ୍ୟବସ୍ଥା କରାଯାଇଛି । ପ୍ରଥମେ ପୋଷ୍ଟାଲ ବାଲାଟ ସକାଳ ୮ଟା ସମୟରେ ଗଣାଯିବ । ଏହାପରେ ୮ଟା ୩୦ରେ ଇଭିଏମ ମେସିନ୍ର ଭୋଟ ଗଣନା ଆରମ୍ଭ ହେବ। ଏହା ୨୬ ରାଉଣ୍ଡରେ ସମାପ୍ତ ହେବ । ଭୋଟିଂ ମେସିନର ତଥ୍ୟକୁ ଫର୍ମ ୧୭-ସି ସହିତ ମେଳ କରାଯିବ ।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଞ୍ଚଟି ପୋଲିଂ ସେଣ୍ଟରର ଭିଭିପାଟ ସ୍ଲିପ୍ଗୁଡ଼ିକ ଗଣାଯାଇ ଇଭିଏମ ଫଳାଫଳ ସହ ମେଳ କରାଯିବ । ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ ।ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ । ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀ ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ଓ ତାଙ୍କୁ ଜୟ ସନଦ ପ୍ରଦାନ କରାଯିବ।
