ପୁରୀ (ବଡ଼ ଖବର ବ୍ୟୁରୋ): ପଖାଳ ଗୋଟେ ଓଡ଼ିଆର ମନ ଓ ପ୍ରାଣ । ଖାଲି ଓଡ଼ିଆ କାହିଁକି ପଖାଳ ପ୍ରିୟ ଆମ ବଡ଼ ଠାକୁର । ତାଙ୍କୁ ବି ପଖାଳ ଭାରି ଭଲ ଲାଗେ । ସେ ପଖାଳ ଖାଆନ୍ତି ପୁଣି ଗୁଆ ଘିଅ ପକାଇ । ଏମିତି ଖାଇବା କିଏ କେଉଁଠି ବି ଦେଖେି ନଥିବେ । ଖାଲି ଗୁଆ ଘିଅ ନୁହେଁ ସେଥିରେ ଦହି ମଧ୍ୟ ପଡିଥାଏ । ପଖାଳ ନଖାଇଲେ କୁଆଡେ ସେ ଚକା ଆଖିକୁ ନିଦ ଆସେନା । ଛପନ ପଉଟି ଖିଆକୁ ଲୋଡ଼ା ତିନି ବେଳା ପଖାଳ । ପଖାଳ ଭୋଗ ଏବେର ନୁହେଁ ।
ଶତାଦ୍ଦୀ ଶତାଦ୍ଦୀ ଧରି ମହାପ୍ରଭୁଙ୍କ ପାଖରେ ପଖାଳ ଲାଗି ହେଉଛି । ଶ୍ରୀମନ୍ଦିର ଥିବା ବଳି ପାତାଳ ମନ୍ଦିର ବା ପାତାଳେଶ୍ୱର ମନ୍ଦିରରେ ଥିବା ଏକ ଶିଳା ଲେଖରେ ଦ୍ୱାଦଶ ଶତାଦ୍ଦୀରେ ମହାପ୍ରଭୁଙ୍କୁ ପଖାଳ ଭୋଗ ଲାଗି ହେବା ସମ୍ପର୍କିତ ତଥ୍ୟ ଉଲ୍ଲେଖ ଅଛି । ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାର ପଖାଳ ଭୋଗ ଲାଗି କରାଯାଏ । ସେଗୁଡ଼ି ହେଲା ସୁବାସିତ ପଖାଳ, ମିଠା ପଖାଳ, ଟଭା ପଖାଳ, ପାଣି ପଖାଳ, ଚୁପୁଡ଼ା ପଖାଳ, ଦହି ପଖାଳ ଓ ଘିଅ ପଖାଳ । ସାଧାରଣ ଲୋକଙ୍କ ଭଳି ମହାପ୍ରଭୁଙ୍କୁ ସୁଖ ନିଦ୍ରା ପାଇଁ ଶୋଇବା ପୂର୍ବରୁ ପଖାଳ ପରସା ଯାଏ ।
ନିଇତି ବଡ଼ ସିଂହାର ଭୋଗରେ ପ୍ରଭୁଙ୍କୁ ଲାଗି ହୁଏ ପଖାଳ । ଏମିତି ଦେଖିବା ପାଇଁ ହେଲେ ମଧ୍ୟାନ୍ନ ଧୂପ ପରେ ୧୧ ଓଳି ସୁବାସିତ ପଖାଳ ଲାଗି ହୁଏ । ସନ୍ଧ୍ୟା ଧୂପ ପରେ ୨୩ ଓଳି ପାଣି ପଖାଳ ଓ ୧୪ ଓଳି ଚିପୁଡ଼ା ପଖାଳ ପରସା ଯାଏ । ବଡ଼ସିଂହାର ଭୋଗରେ ୧୧ ଓଳି ମିଠା ପଖାଳ ମହାପ୍ରଭୁଙ୍କୁ ପରସା ଯାଏ । କିନ୍ତୁ ସବୁଠୁ ବଡ଼ କଥା ହେଉଛି ମହାପ୍ରଭୁଙ୍କ ପଖାଳରେ ଲଙ୍କା ବ୍ୟବହାର କରାଯାଏ ନାହିଁ । କେବଳ ଦହି, ଅଦା ଏବଂ ଘିଅରେ ଭଜା ହୋଇଥିବା ଜିରା ଦହି ପଖାଳର ସ୍ୱାଦ ବଢାଇଥାଏ । ଆଉ ଏହି ପଖାଳକୁ ମୁଗୁନି ପଥରରେ ପ୍ରସ୍ତୁତ ପଖାଳ କୁଣ୍ଡରେ ମହାପ୍ରଭୁଙ୍କୁ ଲାଗି କରାଯାଏ ।