ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭବିଷ୍ୟତରେ ଜନ୍ତରମନ୍ତରରେ ଆନ୍ଦୋଳନ ପାଇଁ କୁସ୍ତିଯୋଦ୍ଧାମାନଙ୍କୁ ମିଳିବନିି ଅନୁମତି । ଜନ୍ତରମନ୍ତର ଛଡ଼ା ସେମାନଙ୍କୁ ଅନ୍ୟ ଉପଯୁକ୍ତ ସ୍ଥାନରେ ଅନୁମତି ଦିଆଯିବ। ଗତକାଲିର ଘଟଣା ପରେ ଦିଲ୍ଲୀ ପୁଲିସ ଏହି ସୂଚନା ଦେଇଛନ୍ତି । ସେପଟେ ଦିଲ୍ଲୀ ପୁଲିସ ଗତକାଲି ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାଙ୍କ ବିରୋଧରେ ଦଙ୍ଗା ଭିଆଇବା ଅଭିଯୋଗରେ ମାମଲା ରୁଜୁ କରିଥିଲା। ରବିବାର ନୂଆ ସଂସଦଭବନ ଉଦଘାଟନ ଚାଲିଥିବା ସମୟରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିଲା ସଂଘର୍ଷ ।
ଗୋଟିଏ ମାସରୁ ଅଧିକ ସମୟ ଧରି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାମାନେ ମହାପଂଚାୟତ ବାହାର କରିବାକୁ ନିଷ୍ପତି ନେଇଥିଲେ । ଯାହାକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଦିଲ୍ଲୀ ପୁଲିସ । କୁସ୍ତିଯୋଦ୍ଧାଙ୍କୁ ହେପାଜତକୁ ନେବା ସହ ଧାରଣା ସ୍ଥଳରେ ଥିବା ଶିବିରକୁ ମଧ୍ୟ ଭାଙ୍ଗିଦିଆଯାଇଛି । କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ, ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆଙ୍କ ନାଁରେ ଏଫଆଇଆର ରୁଜୁ କରିଛି ।ମହିଳା କୁସ୍ତିଯୋଦ୍ଧାମାନଙ୍କ ପ୍ରତି ଦିଲ୍ଲୀ ପୁଲିସର ଏଭଳି ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏନସିପି ସୁପ୍ରିମୋ ଶରଦ ପାୱାର ଦିଲ୍ଲୀ ପୁଲିସର କାର୍ଯ୍ୟ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି।