Before Header

ପଞ୍ଜାବ ରାଜନୀତିରେ ପ୍ରଶାନ୍ତଙ୍କ ଏଣ୍ଟ୍ରି

0 70

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜାତୀୟ ରାଜନୀତିର ଚାଣକ୍ୟ, ନିର୍ବାଚନୀ ପଶାପାଲିର ଗୋଟି ଚଳାଉଥିବା ବାଦଶାହା ପ୍ରଶାନ୍ତ କିଶୋର ଏବେ ପୁଣି ଥରେ ଚର୍ଚ୍ଚାରେ । ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନିଜର ଦମ୍ଭୋକ୍ତି ବଳରେ ମମତାଙ୍କୁ ମୁକୁଟ ପିନ୍ଧାଇଥିବା ରଣନୀତିକାର ପ୍ରଶାନ୍ତ କିଶୋର, ମଙ୍ଗଳବାର ଦିନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ପଞ୍ଜାବର କଂଗ୍ରେସ ନେତା ନବଜାତସିଂ ସିଦ୍ଧୁଙ୍କ ଟ୍ୱିଟ୍ ପରେ ହୋଇଥିଲା । ତେଣୁ ଏହାର ଗୁରୁତ୍ୱ ବେସ୍ ବଢିଯାଇଛି ।

ସେପଟେ ନିର୍ବାଚନୀ ଗୋଟିଚାଳକ ପ୍ରଶାନ୍ତ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦରସିଂ, ଏନସିପି ନେତା ଶରଦ ପାୱାରଙ୍କୁ ସାକ୍ଷାତ କରିସାରିଛନ୍ତି । ପ୍ରଶାନ୍ତଙ୍କ ଏଭଳି ଭେଟଘାଟ ଆଗକୁ ଆସୁଥିବା ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧିଙ୍କ ପ୍ରାକ ପ୍ରସ୍ତୁତି ଭଳି ସୁରାଗ ମିଳୁଛି । ମଙ୍ଗଳବାର ସିଦ୍ଧୁ ଏକ ଟ୍ୱିଟ୍ ମାଧ୍ୟମରେ କହିଥିଲେ ଯେ, ପଞ୍ଜାବର ବିକାଶ ପାଇଁ ତାଙ୍କର ଆବଶ୍ୟକତା ଯାହା ରହିଛି ତାହାକୁ ଆମ୍ ଆଦମୀ ପାର୍ଟି ସ୍ୱୀକୃତି ଦେଇଛି । ଏହି ଟ୍ୱିଟରେ ଆପ୍ ବିଧାୟକ ଭଗବତ ସିଂ ମାନ ଟ୍ୱିଟ କରି ପ୍ରଶଂସା କରିବା ପରେ କଂଗ୍ରେସ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି ।

୨୦୧୭ ପଞ୍ଜବ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହ ପ୍ରଶାନ୍ତ କିଶୋର ରହିଥିବାରୁ ପୁଣି ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରଶାନ୍ତଙ୍କ ନିର୍ଦ୍ଦେଶରେ ପଞ୍ଜାବ କଂଗ୍ରେସ କାମ କରିବା ନେଇ ଆଭାସ ମିଳୁଛି । ସେପଟେ ପଞ୍ଜାବ କଂଗ୍ରେସରେ ବିବାଦ ମୁଣ୍ଡଟେକିଥିବାରୁ ପ୍ରଶାନ୍ତ କିଶୋରଙ୍କୁ ୨୦୨୪ ସାଧାରଣ ନିର୍ବାଚନ ଦାୟିତ୍ୱ ଦେଇପାରନ୍ତି ରାହୁଲ ଗାନ୍ଧି । ପଞ୍ଜାବରେ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବାବେଳେ ଅମରିନ୍ଦର ସରକାର ଏବେ ଠାରୁ ଫୁଲ ଦମରେ ପ୍ରସ୍ଥୁତି ଚଳାଇଛି । ଏହା ବ୍ୟତୀତ କଂଗ୍ରେସ ମଧ୍ୟ ନିଜ ଗଡ଼ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଛି ।

ହେଲେ ସବୁଠୁ ଚର୍ଚ୍ଚାର ବିଷୟ ଅମରିନ୍ଦରସିଂ ଏବଂ ନବଜାତସିଂ ସିଦ୍ଧୁଙ୍କ ମଧ୍ୟରେ କ୍ଷମତା କନ୍ଦଳ ଲାଗିରହିଛି । ନବଜାତସିଂ ସିଦ୍ଧୁ ଦଳରେ ଉଚ୍ଚପଦବି ଆଶାରେ ଥିବାବେଳେ ତାହାକୁ ଅମରିନ୍ଦର ସିଂ ସଫଳ କରିବାକୁ ଦେଉନାହାନ୍ତି । ସିଦ୍ଧୁ ଏହା ମଧ୍ୟ କହିଛନ୍ତ ପଞ୍ଜାବପାଇଁ କିଏ ଲଢୁଛି ତାହାତ ସମସ୍ତେ ଜାଣିଛନ୍ତି । ଏହି ଟ୍ୱିଟ୍ ପରେ ସିଦ୍ଧୁ ଆପରେ ସାମିଲ ହେବାକୁ ନେଇ ଅନେକ ରାଜନୈତିକ ନେତା ଆକଳନ କରୁଛନ୍ତି ।

Leave A Reply

Your email address will not be published.