Before Header

ଅଯୋଧ୍ୟା ଜଗିବ ଏଆଇ

0 885

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ସବୁଠି ଶୁଭୁଛି ଜୟ ଶ୍ରୀରାମ ଜୟ ଶ୍ରୀରାମ । ଉଠୁଛି ପଡୁଛି ଅଯୋଧ୍ୟା ନଗରୀ । କାହିଁକିନା ରାମଲାଲା ଆସୁଛନ୍ତି । ଜାନୁଆରୀ ୨୨ରେ ଭବ୍ୟ ମନ୍ଦିରରେ ବିାରାଜିବେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମ । ୩ ଦିନ ଧରି ଚାଲିବ ପ୍ରତିଷ୍ଠା ଦିବସ । ହୋମ ଯଜ୍ଞ, ରାମ ନାମରେ ପ୍ରକମ୍ପିତ ହେବ ପୁରା ଅଯୋଧ୍ୟା । ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିଲେ ମଧ୍ୟ ୧୬ ତାରିଖରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ । ସାମ୍ନାକୁ ଆସିଲା ଜାନୁଆରୀ ୧୬ରୁ ୨୨ ଯାଏଁ ହେବାକୁ ଥିବା ସମସ୍ତ ପୂଜାର୍ଚ୍ଚନା ସୂଚୀ ।

୧୬ ତାରିଖରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ନିଯୁକ୍ତ ଆୟୋଜକ ସରଜୁ ତଟରେ ପୂଜାର୍ଚ୍ଚନା କରିବେ । ୧୭ରେ ରାମଲାଲାଙ୍କ ବିଗ୍ରହ ସରଜୁ ତଟକୁ ମଙ୍ଗଳ କଳସ ଶୋଭାଯାତ୍ରାରେ ଅଣାଯିବ । ଜାନୁଆରୀ ୧୮ରେ ଗଣେଶ ଅମ୍ବିକା ପୂଜା, ବରୁଣ ପୂଜା, ମାତୃକା ପୂଜା, ବ୍ରାହ୍ମଣ ବରଣ ଓ ବାସ୍ତୁ ପୂଜା ଅନୁଷ୍ଠିତ ହେବ । ୧୯ ତାରିଖରେ ଅଗ୍ନି ସ୍ଥାପନା, ନବଗ୍ରହ ସ୍ଥାପନା ଏବଂ ହୋମଯଜ୍ଞ କରାଯିବ । ୨୦ରେ ମନ୍ଦିର ଗର୍ଭଗୃହକୁ ସରଜୁ ନଦୀର ପବିତ୍ର ଜଳରେ ଧୋଇ ବାସ୍ତୁ ଶାନ୍ତି ଓ ଆନ୍ନାଧିବାସ କରାଯିବ । ଜାନୁଆରୀ ୨୧ ଅର୍ଥାତ୍ ଠିକ୍ ପ୍ରାଣପ୍ରତିଷ୍ଠା ପୂର୍ବଦିନ ରାମଲାଲାଙ୍କ ବିଗ୍ରହକୁ ୧୨୫ କଳସ ଜଳରେ ସ୍ନାନ କରାଇ ଶୟାଧିବାସ କରାଯିବ ।

ଜାନୁଆରୀ ୨୨ରେ ସକାଳୁ ରାମଲାଲାଙ୍କ ପୂଜାର୍ଚ୍ଚନା ପରେ ଅପରାହ୍ନରେ ମୃଗଶିରା ନକ୍ଷତ୍ର ମୂଳ ମୁହୂର୍ତ୍ତରେ ପ୍ରାଣପ୍ରତିଷ୍ଠା ହେବ ଏବଂ ଏହା ୧ ମିନିଟ ୨୪ ସେକେଣ୍ଡ ଯାଏଁ ଚାଲିବ ବୋଲି ସୂଚନା ମିଳିଛି । ସେପଟେ ଏହି ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବାକୁ ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ବା ଏଆଇର ସହାୟତା ନେଇଛି ଅଯୋଧ୍ୟା ପୋଲିସ । ମନ୍ଦିର ପରିସରରେ ଜାଗା ଜାଗାରେ ଏଆଇ ସର୍ଭେଲାନ୍ସ ଓ ସିସିଟିଭି କ୍ୟାମେରା ଲାଗିଛି । ଏହାଦ୍ବାରା ମନ୍ଦିରକୁ ବାରମ୍ବାର ଆସୁଥିବା ଲୋକ ଏବଂ ସନ୍ଦିଗ୍ଧ ବ୍ୟକ୍ତି ବା ଦଳକୁ ଏଆଇ ଅଟୋମେଟିକ ଚିହ୍ନଟ କରି ସତର୍କ ସୂଚନା ଦେଇପାରିବ ।

ଏଥିସହ ୧୧ ହଜାର ପୋଲିସ ଓ ପାରାମିଲିଟାରି ଫୋର୍ସ ଓ ବମ୍ ସ୍କ୍ବାଡ୍ ଆଦି ମଧ୍ୟ ମୁତୟନ ହୋଇଛନ୍ତି । ସେପଟେ ତ୍ରେତୟା ଯୁଗରେ ରାମ-ରାବଣ ସମୟରେ ଲକ୍ଷ୍ମଣଙ୍କୁ ଶକ୍ତି ଭେଦ ହେବାପରେ ଭକ୍ତ ହନୁମାନ ସଂଜୀବନୀ ଆଣି ତାଙ୍କୁ ବଞ୍ଚାଇଥିଲେ । ତେଣୁ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସଂଜୀବନୀ ମୁହୂର୍ତ୍ତକୁ ବଛାଯାଇଛି । ଯେଉଁ ମୁହୂର୍ତ୍ତରେ କୌଣସି ଅଶୁଭ ହୋଇନଥାଏ । ଅଶୁଭର ପ୍ରଭାବ ମଧ୍ୟ ପଡ଼େ ନାହିଁ । ଏହି ସମୟରେ ଆକାଶରେ ୬ଟି ଗ୍ରହ ଅନୁକୂଳ ସ୍ଥିତିରେ ରହିବେ। କାଶୀ ଜ୍ୟୋତିଷ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ ଏହି ମୁହୂର୍ତ୍ତକୁ ଚୟନ କରିଛନ୍ତି, ଯାହାକୁ ସବୁଠାରୁ ଠିକ ବୋଲି ବିବେଚନା କରାଯିବ ଏବଂ ରାମଙ୍କୁ ପ୍ରତିଷ୍ଠା କରାଯିବ ।

Leave A Reply

Your email address will not be published.