Before Header

ବଢ଼ୁଛି ତୈଳ ଦର, ସରକାର କହୁଛନ୍ତି ଜିଏସଟି ଅନ୍ତର୍ଭୁକ୍ତ କରିବାର ସମୟ ହୋଇନି

0 38

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ଦେଶରେ ବର୍ଦ୍ଧିତ ତୈଳ ଦରକୁ ନେଇ ଚିନ୍ତାରେ ଖାଉଟି । ଅନ୍ୟ ଜରୁରୀ ସାମଗ୍ରୀ ଗୁଡ଼ିକର ମୂଲ୍ୟ ବି ହୁ ହୁ ହୋଇ ବଢ଼ୁଛି । କିନ୍ତୁ ପେଟ୍ରୋଲ ଓ ଡିଜେଲ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟର ଦାମ ବୃଦ୍ଧିକୁ ନେଇ ସବୁଆଡ଼େ ଅସନ୍ତୋଷ ବୃଦ୍ଧି ପାଉଛି । ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ବିଭିନ୍ନ ମହଲରୁ ଦୀର୍ଘ ଦିନ ଧରି ଦାବି ମଧ୍ୟ ହେଉଛି । କେବଳ ସେତିକି ନୁହେଁ ଜୁନ୍ ମାସରେ କେରଳ ହାଇକୋର୍ଟ ଏକ ଶୁଣାଣି କରି ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ପରିଷଦକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

ଗୁରୁବାର ଜିଏସଟି କାଉନସିଲର ୪୫ତମ ବୈଠକ ଲକ୍ଷ୍ନୌରେ ବସିଥିବାରୁ ଅନେକ ଆଶା ବାନ୍ଧିଥିଲେ ଯେ, ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରାଯିବ । କିନ୍ତୁ ଏପରି କିଛି ବି ହୋଇନି । ବୈଠକରେ ଏହି ପ୍ରସଙ୍ଗ ସ୍ଥାନୀତ ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଆଲୋଚନା ମଧ୍ୟ ହୋଇଥିଲା । କିନ୍ତୁ ଏହାର କୌଣସି ନିଷ୍କର୍ଷ ବାହାରିପାରିନି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପରିଷଦରେ ଏହି ପ୍ରସଙ୍ଗ ଆଲୋଚନା ହୋଇଥିଲା । ମାତ୍ର ସଦସ୍ୟ ମାନେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ଇଚ୍ଛା ପ୍ରକଟ କରିନାହାନ୍ତି । ପେଟ୍ରୋଲ ଓ ଡିଜେଲ ଜିଏସଟି ଅନ୍ତର୍ଭୁକ୍ତ ନହୋଇଥିବାରୁ ଦରଦାମକୁ ନେଇ କୌଣସି ଆଶ୍ୱସ୍ତି ମିଳିପାରିବନାହିଁ ବୋଲି ଜଣାପଡ଼ିଛି । ଏହାଛଡ଼ା ସୀତାରମଣ ଆହୁରି ମଧ୍ୟ କହିଛନ୍ତି ଯେ, ପେଟ୍ରୋଲିୟମ ସାମଗ୍ରୀକୁ ଜିଏସଟି ପରିସରଭୁକ୍ତ କରାଇବା ଲାଗି ବର୍ତ୍ତମାନ ଠିକ ସମୟ ନୁହେଁ ବୋଲି ପରିଷଦ ଉପଲବ୍ଧ କରିଥିବା କୋର୍ଟଙ୍କୁ ଜଣାଇଦିଆଯିବ ।

ତେବେ ଏହି ବୈଠକରେ କୋଭିଡ-୧୯ ମେଡିସିନ ଉପରେ ରିହାତି ଅବଧିକୁ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଔଷଧରୁ ଟିକସ ମଧ୍ୟ ଛାଡ଼ କରାଯାଇଛି ।

Leave A Reply

Your email address will not be published.