Before Header

ବଦଳିଲା ସ୍କୁଲ ଏକତ୍ରିକରଣ ନିଷ୍ପତ୍ତି

ସିଡ୍ୟୁଲଡ ଅଞ୍ଚଳରେ ୨୦ନୁହେଁ ୧୫ରୁ କମ ପିଲା ଥିବା ସ୍କୁଲରେ ପଡ଼ିବ ତାଲା

0 102

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ବିକାଶ ନୁହେଁ ବିନାଶ କରୁଛନ୍ତି ସରକାର । ସ୍କୁଲ ବନ୍ଦ କରି ହଜାର ହଜାର ପିଲାଙ୍କୁ ସ୍କୁଲ ଠାରୁ ଦୂରେଇ ଦେବାକୁ ହୋଇଛି ପ୍ରସ୍ତୁତି । ସରକାରଙ୍କର ଏହା କଳା ନିଷ୍ପତ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାଜ୍ୟର ୮ହଜାରରୁ ଅଧିକ ପ୍ରାଥମିକ ସ୍କୁଲ ବନ୍ଦ କରିବା ନେଇ ହୋଇଥିବା ସରକାରୀ ନିଷ୍ପତ୍ତି ଉପରେ ବିତର୍କ ହୋଇଥିଲା । ସରକାରୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ ଆଣିଥିବା ଅଧ୍ୟାଦେଶ ଉପରେ ଆଲୋଚନା କରି ନରସିଂହ ସରକାରୀ ଦଳ ବିଧାୟକମାନଙ୍କୁ କଡ଼ା ସମାଲୋଚନା କରିଥିଲେ । ସରକାରଙ୍କୁ ସମର୍ଥନ କରିବେ ବୋଲି ଆଇନ ବାହାରକୁ ଚାଲିଯିବା ଗ୍ରହଣୀୟ ନୁହେଁ । ସଦସ୍ୟମାନଙ୍କୁ ଆଇନର ପାଠ ପଢ଼ାଇଥିଲେ ନରସିଂହ ।

କହିଲେ, ସଦସ୍ୟମାନେ ଜାଣିବା ଉଚିତ ଶିକ୍ଷା ରାଜ୍ୟର ତାଲିକାଭୂକ୍ତ । ରାଜ୍ୟର ଆଇନକୁ କେବଳ ରାଜ୍ୟ ହିଁ ବଦଳାଇ ପାରିବ । କେନ୍ଦ୍ରୀୟ ଶିକ୍ଷାନୀତି ବା ନୀତିଅୟୋଗ ତାହା କରିପାରିବେ ନାହିଁ । ୨୦୧୦ ରାଜ୍ୟ ଶିକ୍ଷା ଆଇନର ରୁଲ-୫ ଅନୁଯାୟୀ ଯେଉଁ ଗାଁର ପିଲା ସେହି ଗାଁ କିମ୍ବା ପଡ଼ୋଶୀ ଗାଁରେ ପାଠ ପଢ଼ିବାକୁ ସୁଯୋଗ ପାଇବେ । ରୁଲ-୬ ଅନୁଯାୟୀ ୧କିଲୋମିଟର ଚଲାପଥ ମଧ୍ୟରେ ସ୍କୁଲ ରହିବା କଥା । ମାତ୍ର ସରକାର ଏବେ ଯେଉଁ ନିଷ୍ପତ୍ତି ନେଇଛନ୍ତି, ସେଥିରେ ଅନେକ ବସତି ଠାରୁ ସାଢ଼େ ୪କିଲୋମିଟର ଦୂରକୁ ସ୍କୁଲ ଚାଲିଯିବ । ଯାହା ଅନେକଙ୍କ ପାଠ ପଢ଼ାରେ ଡୋରୀ ବାନ୍ଧିବ । ସିଡ୍ୟୁଲଡ ଓ କେବିକେ ଜିଲ୍ଲାରେ ଅଧିକ ସମସ୍ୟା ହେବ । ତେଣୁ ସରକାର ଏପରି ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ସେ ମତ ରଖିଥିଲେ । ଉଭୟ ବିଜେପି ଓ କଂଗ୍ରେସ ଦଳର ସଦସ୍ୟମାନେ ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଥିଲେ । ଏହାକୁ ପରିବର୍ତ୍ତନ କରିବାକୁ ସେମାନେ ଦାବି ରଖିଥିଲେ ।

ଏହାର ଉତ୍ତର ରଖିଥିଲେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିରୋଧୀଙ୍କ ଚାପ ପରେ କିଛିଟା ପରିବର୍ତ୍ତନ ଆଣିଥିଲେ ମନ୍ତ୍ରୀ । ସେ କହିଲେ, ୨୦ରୁ କମ ପିଲା ଥିବା ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେବା ପଛରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା । ଅନେକ ଗୁଡ଼ିଏ ସ୍କୁଲ ରଖି ଗୁଣାତ୍ମକ ଶିକ୍ଷା ଦିଆଯାଇ ପାରିବ ନାହିଁ । ତେଣୁ ତାହାକୁ ହ୍ରାସ କରାଯାଇଛି । ଏପରି ନିଷ୍ପତ୍ତି ବେଳେ ଭୌଗଳିକ ସ୍ଥିତିକୁ ନଜର ରଖାଯାଇଛି । ଯେଉଁଠି ପ୍ରାକୃତିକ ପ୍ରତିବନ୍ଧକ (ପାହାଡ଼, ଝରଣା) ଓ ରେଲୱେ ଲାଇନ ବା ଜାତୀୟ ରାଜପଥ ରହିଛି ସେଠାରେ ସଂଖ୍ୟାକୁ ଆଧାର କରାଯାଇ ନାହିଁ । ରାଜ୍ୟରେ ମୋଟ ୧୪ହଜାର ୩୮୨ଟି ବିଦ୍ୟାଳୟରେ କମ ପିଲା ପାଠ ପଢ଼ୁଛନ୍ତି । ସେଥିରୁ ଜିଲ୍ଲା ସ୍ତରୀୟ କମିଟି ୮୨୭୨ଟି ସ୍କୁଲ ବନ୍ଦ କରିବାକୁ ରାଜ୍ୟ ସ୍ତରୀୟ କମିଟିକୁ ପ୍ରସ୍ତାବ ଦେଇଥିଲେ । ରାଜ୍ୟ ସ୍ତରୟ କମିଟି ସେଥିରୁ ୭୭୭୨ଟି ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି । ତେବେ ଗୃହର ସଦସ୍ୟମାନଙ୍କ ଭାବନା ଓ ଉଦବେଗ ସରକାର ଗୁରୁତ୍ୱ ଦେଉଛନ୍ତି । ସଦସ୍ୟମାନଙ୍କ ପ୍ରସ୍ତାବ ଅନୁଯାୟୀ ସିଡ୍ୟୁଲଡ ଅଞ୍ଚଳରେ ଥିବା ପ୍ରାୟ ୩ହଜାରରୁ ଅଧିକ ସ୍କୁଲରେ ୨୦ ନୁହେଁ, ୧୫ରୁ କମ ପିଲା ଥିଲେ ସ୍କୁଲ ବନ୍ଦ କରାଯିବ । ହେଲେ କେବିକେ ଅଞ୍ଚଳ ଓ ଉପକୂଳରେ ପୂର୍ବବତ ୨୦ରୁ କମ ପିଲା ଥିବା ସ୍କୁଲ ବନ୍ଦ କରିଦିଆଯିବ ବୋଲି ମନ୍ତ୍ରୀ କହିଥିଲେ ।

 

Leave A Reply

Your email address will not be published.