ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ପାଇଁ ଦୀର୍ଘଦିନ ଧରି ବନ୍ଦ ଥିବା ବିଦ୍ୟାଳୟଗୁଡ଼ିକ ଅକ୍ଟୋବର ୧୫ରୁ ପର୍ଯ୍ୟାୟକ୍ରମେ ଖୋଲିବ । ଏ ସମ୍ପର୍କରେ ମାନବ ସମ୍ବଳ ମନ୍ତ୍ରାଳୟ ନିର୍ଦ୍ଦେଶାବଳୀ ଜାରି କରିଛି। ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ମନ୍ତ୍ରାଳୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ(ଏସ୍ଓପି) ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି । ମନ୍ତ୍ରାଳୟ କହିଛି, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ପିଲାଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା ସ୍କୁଲର ପରିମଳ, ଏବଂ ସାମାଜିକ ଦୂରତା ଅନୁସରଣ ନିଶ୍ଚିତ କଲେ ସ୍କୁଲ ଖୋଲିପାରିବେ ।
ନିର୍ଦ୍ଦେଶାବଳୀ ଅନୁଯାୟୀ, ଅଭିଭାବକମାନଙ୍କ ଲିଖିତ ଅନୁମତି ପରେ ଛାତ୍ରଛାତ୍ରୀମାନେ ସ୍କୁଲ ଯାଇପାରିବେ । ସ୍କୁଲ ଉପସ୍ଥାନ ନିୟମରେ ନମନୀୟତା ରହିବ । ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବା ପରିବର୍ତ୍ତେ ଅନଲାଇନ୍ କ୍ଲାସ୍ ବାଛିପାରିବେ । ବିଦ୍ୟାଳୟ ଖୋଲିବା ପରେ ଦୁଇରୁ ତିନି ସପ୍ତାହ ପର୍ୟ୍ୟନ୍ତ କୌଣସି ମୂଲ୍ୟାଙ୍କନ ହେବ ନାହିଁ । ଅନଲାଇନ୍ ଶିକ୍ଷାକୁ ଉତ୍ସାହିତ କରାଯିବ ବୋଲି ମନ୍ତ୍ରାଳୟ ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରିଛନ୍ତି ।