IMG-20201002-WA0013

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବର୍ଷ ୧୯୬୫। ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ଲାଲବାହାଦୁର ଶାସ୍ତ୍ରୀ। ଜଣେ ଆଗଧାଡ଼ିର ଟାଣୁଆ ନେତା ଶାସ୍ତ୍ରିଜୀ। ସେତେବେଳେ ହଠାତ୍ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା। ଶାସ୍ତ୍ରିଜୀ ମଧ୍ୟ ପାକିସ୍ତାନକୁ ପାଲଟା ଜବାବ ଦେବା ପାଇଁ ପଛଘୁଞ୍ଚା ଦେଇ ନ ଥିଲେ। ଓଲଟା ଗୁଳିର ଜବାବ ଟ୍ୟାଙ୍କରେ ଦେଇଥିଲେ ସେ। ଦେଶରେ ‘ଜୟ ଜୱାନ, ଜୟ କିଷାନ’ ସ୍ଲୋଗାନ ପ୍ରଥମଥର ପାଇଁ ଶାସ୍ତ୍ରିଜୀ ଦେଇଥିଲେ। କଂଗ୍ରେସର ଜଣେ ପ୍ରଭାବୀ ନେତା ଥିଲେ ଲାଲବାହାଦୁର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦର ଆପୋସ ବୁଝାମଣା ପାଇଁ ସେ ଥରେ ଯାଇଥାନ୍ତି ଉଜବେକୀସ୍ଥାନର ରାଜଧାନୀ ତାସକେଣ୍ଟ। ସେ ଦିନ ଥିଲା ୧୯୬୬ ମସିହା ଜାନୁଆରୀ ୧୦ ତାରିଖ। ଋଷିଆର ଜଣେ ଅଧିକାରୀ ଶାସ୍ତ୍ରୀଙ୍କ ରହିବା ପାଇଁ ସବୁ ବ୍ୟବସ୍ଥା କରିଥିଲେ। ଏକ ଗେଷ୍ଟ୍ ହାଉସରେ ସେ ରହିଥିଲେ। ଶାସ୍ତ୍ରିଜୀଙ୍କ ପାଇଁ ଉଦ୍ଦିଷ୍ଟ ସମ୍ପୃକ୍ତ ଗେଷ୍ଟହାଉସର କୋଠରି ବହୁତ୍ ବଡ଼ ଥିଲା। କିନ୍ତୁ ସେ କଠୋରିରେ ଟେଲିଫୋନ କିମ୍ବା କଲିଂ ବେଲ୍ ନ ଥିଲା। ଉକ୍ତ ଗେଷ୍ଟହାଉସରେ ଶାସ୍ତ୍ରିଜୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ଓ ଗଣମାଧ୍ୟମ ସଚିବ ତଥା ଭରତୀୟ ସାମ୍ବାଦିକ କୁଲଦୀପ ନାୟାର ରାତ୍ରିଯାପନ କରିଥିଲେ। କିନ୍ତୁ ଶାସ୍ତ୍ରିଜୀଙ୍କ କୋଠରିଠାରୁ ଏ ଦୁହିଁଙ୍କ କୋଠରି ବହୁ ଦୂରରେ ଥିଲା। ସମୟ ରାତି ପ୍ରାୟ ସାଢ଼େ ୧୦ଟା। ଶାସ୍ତ୍ରିଜୀଙ୍କ ପାଇଁ ଆସିଲା ରାତ୍ରିଭୋଜନ। ଭୋଜନ ପ୍ରସ୍ତୁତ କରିଥିଲେ ଗେଷ୍ଟହାଉସର ରୋଷେୟା ଜାନ୍ ମହମ୍ମଦ।

ଶାସ୍ତ୍ରିଜୀ ପ୍ରତିଦିନ ରାତ୍ରିଭୋଜନ ପରେ ଗୋଟିଏ ଗ୍ଲାସ୍ କ୍ଷୀର ପିଇଥାନ୍ତି। ତେଣୁ ସେ ଦିନ ବି ସେ ଖାଇବା ପରେ କ୍ଷୀର ପିଇଥିଲେ। କ୍ଷୀର ପିଇବାର କିଛି ସମୟ ପରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ମାତ୍ର କୋଠରିରେ ଟେଲିଫୋନ ବା କଲିଂ ବେଲ୍ ନ ଥିବାରୁ ଶାସ୍ତ୍ରିଜୀ ନିଜେ ତାଙ୍କ ବ୍ୟକ୍ତିଗତ ସଚିବ ଜଗନ୍ନାଥ ସହାୟେଙ୍କ କୋଠରିକୁ ଯାଇ ଡାକ୍ତରଙ୍କୁ ଡାକିବାକୁ କହିଥିଲେ। ସେତେବେଳେ ପ୍ରଧାମନ୍ତ୍ରୀଙ୍କ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ ଆର୍.କେ. ଚୁକ୍। ଡାକ୍ତର ଚୁକ୍ ଆସି ପହଞ୍ଚିବା ବେଳକୁ ଶାସ୍ତ୍ରିଜ ଚେତାଶୂନ୍ୟ ହୋଇପଡ଼ିଥିଲେ। ଡାକ୍ତର ଚୁକ୍ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରି ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ଆଉ ସେତେବେଳକୁ ସମୟ ଥିଲା ରାତି ୧.୨୫ରୁ ୧.୩୨ ମଧ୍ୟରେ। ତୁରନ୍ତ ଏହି ଦୁଃଖଦ ଖବର ଚାରିଆଡେ଼ ପ୍ରଚାରିତ ହୋଇଗଲା। ପ୍ରଧାନମନ୍ତ୍ରୀଙ୍କ ହଠାତ୍ ଏପରି ମୃତ୍ୟୁକୁ ନେଇ ସନ୍ଦେହ କରିଥିଲା ଋଷିଆର ଗୁଇନ୍ଦା ବିଭାଗ କେ.ଡି.ବି.। କାରଣ ଜଣେ ସୁସ୍ଥ ବ୍ୟକ୍ତିଙ୍କର ହଠାତ୍ ମୃତ୍ୟୁକୁ ନେଇ ଉଠିଥିଲା ପ୍ରଶ୍ନବାଚି? କେ.ଡି.ବି. ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ସମ୍ପୃକ୍ତ ଗେଷ୍ଟହାଉସର ରୋଷେୟା ଜାନ୍ ମହମ୍ମଦ ଓ ଅନ୍ୟ ଦୁଇଜଣଙ୍କୁ ନେଇ ତାସକେଣ୍ଟ ସହରଠାରୁ ୩୦ କିଲୋମିଟର ଦୂର ଏକ ଅଜ୍ଞାତ ସ୍ଥାନରେ ପଚରାଉଚରା କରିଥିଲା। ଯାଞ୍ଚ୍ ବେଳେ ଶାସ୍ତ୍ରିଜୀଙ୍କ ପେଟର ଉପର ଭାଗ ନୀଳ ରଙ୍ଗ ପଡ଼ିଥିବା ଦେଖିବାକୁ ମିଳିଥିଲା। କୋଠରିରେ ଥିବା ଶାସ୍ତ୍ରିଜୀଙ୍କ ଚପଲ, ପଲଙ୍କ ଓ ପାଖରେ ଥବା ଥାର୍ମୋଫ୍ଲାଶକୁ ଯାଞ୍ଚ କରିବା ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କେ.ଡି.ବି. ସନ୍ଦେହ କରିଥିଲା। ପରେ ରେଡିଓ ଜରିଆରେ ଏହି ଖବର ସବୁ ଦେଶର କୋଣଅନୁକୋଣରେ ପହଞ୍ଚିଲା। ଶାସ୍ତ୍ରିଜୀଙ୍କ ପାର୍ଥିବ ଶରୀର ଭାରତ ଅଣାଗଲା। ସେତେବେଳେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ଗୁଲଜାରିଲାଲ୍ ନନ୍ଦା ଦାୟିତ୍ୱ ତୁଲାଉଥାନ୍ତି। ଶାସ୍ତ୍ରିଜୀଙ୍କ ମୃତଶରୀର ତାଙ୍କ ବାସଭବନକୁ ନିଆଯାଇଥିଲା। ସେଠି ତାଙ୍କ ଧର୍ମପତ୍ନୀ ଲଳିତା ଶାସ୍ତ୍ରୀ ଏବଂ ଦୁଇ ପୁଅ ମୃତଶରୀର ଦେଖି ଏହା ଏକ ସ୍ୱାଭାବିକ ମୃତ୍ୟୁ ନୁହେଁ ବରଂ ଶାସ୍ତ୍ରିଜୀଙ୍କୁ ହତ୍ୟା କରାଯାଇଛି ବୋଲି ଦାବି କରିଥିଲେ।

ତାଙ୍କ ମୃତଶରୀର ନୀଳ ରଙ୍ଗ ହୋଇଯାଇଥିଲା। ତେଣୁ ଶାସ୍ତ୍ରିଜୀଙ୍କୁ ବିଷକ୍ରିୟା ମାଧ୍ୟମରେ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ତେବେ ସବୁଠାରୁ ବଡ଼କଥା ହେଲା ଯେ ପ୍ରଧାନମନ୍ତ୍ରୀଙ୍କ ମୃତଶରୀରକୁ ବ୍ୟବଚ୍ଛେଦ ମଧ୍ୟ କରାଯାଇ ନ ଥିଲା। ହୁଏତ ଯଦି ବ୍ୟବଚ୍ଛେଦ ହୋଇଥାନ୍ତା ତେବେ ସବୁ ସତ ସାମ୍ନାକୁ ଆସିଥାନ୍ତା। ଶାସ୍ତ୍ରିଜୀଙ୍କ ମୃତ୍ୟୁ କିପରି ହୋଇଛି ବା ହତ୍ୟା କିପରି ହେଲା ତାହା ସ୍ପଷ୍ଟ ହୋଇଥାନ୍ତା। ବୋଧହୁଏ ସେତେବେଳେ ତାଙ୍କର କେହି ଶତ୍ରୁ ସବୁ ଜାଣି ଘଟଣାକୁ ଲୁଚେଇବାକୁ ଚେଷ୍ଟା କରି ସଫଳ ହୋଇଥିଲେ। ଯାହା ସମ୍ପୂର୍ଣ୍ଣ ଘଟଣାରୁ ସୂଚନା ମିଳିଥିଲା। ସେତେବେଳେ ଅନେକ ପ୍ରତିଦ୍ୱନ୍ଦ୍ୱୀ ତାଙ୍କର ଥିଲେ ଯେପରିକି ଇନ୍ଦିରା ଗାନ୍ଧୀ, ମୋରାରଜୀ ଦେଶାଇ। ଶାସ୍ତ୍ରିଜୀଙ୍କ ମୃତ୍ୟୁ ପଛରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ହାତ ରହିଥିବା ସେତେବେଳେ ସନ୍ଦେହ ପ୍ରକାଶ ପାଇଥିଲା। ଶାସ୍ତ୍ରିଜୀଙ୍କ ଏଭଳି ଅଚାନକ ମୃତ୍ୟୁକୁ ନେଇ ସେତେବେଳେ ଦେଶ ଓ ପଡ଼ୋଶୀ ଦେଶଗୁଡ଼ିକରେ ମଧ୍ୟ ବହୁ ପ୍ରଶ୍ନବାଚୀ ସୃଷ୍ଠି ହୋଇଥିଲା। ମାତ୍ର କିଛି ସୁଫଳ ମିଳି ନ ଥିଲା। ତାଙ୍କ ମୃତ୍ୟୁ ରହସ୍ୟ ଭିତରେ ହିଁ ରହିଗଲା।

Leave a Reply

Your email address will not be published. Required fields are marked *