ପୁରୀ (ବଡ଼ ଖବର ବ୍ୟୁରୋ): ପବିତ୍ର ସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ରତ୍ନବେଦୀରୁ ଆସି ସ୍ନାନବେଦୀରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀସୁଦର୍ଶନ, ବଡ଼ଠାକୁର ବଳଭଦ୍ର, କାଳିଆ ସାଆନ୍ତ ଏବଂ ଦେବୀ ସୁଭଦ୍ରା। ଆଜି ଚତୁର୍ଦ୍ଧାମୂର୍ତ୍ତି ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରିବେ। ଏହି ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ହରିନାମର ଗୁଞ୍ଜନରେ ସମଗ୍ର ପରିବେଶ କମ୍ପିତ ହେଉଛି ।
କାହା ହାତରେ ଘଣ୍ଟ, କାହା ହାତରେ ଶଙ୍ଖ, ଆଉ କାହା ମୁହଁରେ ନିରନ୍ତର “ଜୟ ଜଗନ୍ନାଥ”—ଏଭଳି ଦୃଶ୍ୟ ମନକୁ ଭାବବିହ୍ୱଳ କରିଦେଉଛି । ଲକ୍ଷାଧିକ ଭକ୍ତ ଆଜି କେବଳ ଏକ ଭାବନାରେ ବନ୍ଧା—ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ। କେହି ନିଜ ଦୁଃଖ, କେହି ନିଜ ଚିନ୍ତା ଭୁଲି ଯାଇ କେବଳ ପ୍ରଭୁଙ୍କ ଚକାନୟନରେ ନିଜ ଆତ୍ମାକୁ ସମର୍ପଣ କରିଦେଇଛନ୍ତି । ଏହି ମହାନ ମୁହୂର୍ତ୍ତରେ ବଡ଼ଦାଣ୍ଡର ପ୍ରତ୍ୟେକ କୋଣ ଭକ୍ତିର ସଙ୍ଗୀତରେ ଝଙ୍କାରିତ ହେଉଛି ।
