(ବଡ଼ ଖବର ବ୍ୟୁରୋ):   ଏଥିରେ ପ୍ରାୟ ବିଶ୍ୱର ୪୬,୦୦୦ ସଂସ୍ଥା ସାମିଲ ହୋଇଛନ୍ତି । ଏହା ସହ ୨.୫ କୋଟି ପରିଦର୍ଶକ ସାମିଲ ହେବେ ବୋଲି ଅନୁମାନ କରାଯାଉଛି । ସେପଟେ ଦୁବାଇ ଏକ୍ସପୋ ବିଶ୍ୱ ଅର୍ଥନୀତିକୁ ପୁଣିଥରେ ଫେରାଇ ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । କରୋନା ମହାମାରୀ ପରେ ଏହା ବିଶ୍ୱରେ ପ୍ରଥମଥର ହେବ ଯେଉଁଠାରେ ବିଶ୍ୱର ୧୮୦ ଦେଶର ସରକାର ଏବଂ ହଜାର ହଜାର ଉଦ୍ୟୋଗୀ ଏକାଠି ହେବାପାଇଁ ଯାଉଛନ୍ତି । ଉଦ୍ୟୋଗୀମାନେ ସେଠାରେ ନିବେଶ ପାଇଁ ସୁଯୋଗ ଖୋଜୁଥିବାବେଳେ ସେମାନଙ୍କୁ ଆକର୍ଷିତ କରିବା ପାଇଁ ସରକାରମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହେବାକୁ ଯାଉଛି । କୋଭିଡ ମହାମାରୀ ହେତୁ ପ୍ରାୟ ଏକ ବର୍ଷ ବିଳମ୍ବରେ ଆରମ୍ଭ ହୋଇଛି ଦୁବାଇ ଏକ୍ସପୋ ୨୦୨୦ । ଏନେଇ ଏକ ମରୁଭୂମିରେ ୭ ବିଲିୟନ ଡଲାରର ଏକ୍ସପୋ ହୋଇଥିବାର ସୂଚନା ମିଳିଛି । ଅନ୍ୟପଟେ ଦୁବାଇ ଏକ୍ସପୋ ୨୦୨୦ର ଉଦଘାଟନୀ ସମାରୋହରେ କଳାକାରମାନେ ଜାତୀୟ ପତାକା ଉତ୍ତୋଳନ କରିଥିବାର ଦେଖିବାକୁ ମିଳିଛି ।

ସେହିପରି ୟୁଏଇର ୪୩୦ରୁ ଅଧିକ ସ୍ଥାନକୁ ଏକ୍ସପୋର ଉଦଘାଟନୀ ସମାରୋହ ସିଧା ପ୍ରସାରଣ କରାଯାଇଥିଲା । ଏହି ସମାରୋହରେ ଆବୁଧାବିର ଶକ୍ତିଶାଳୀ କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିଦ, ଦୁବାଇର ଶାସକ ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିନ, ଦୁବାଇର ଶାସକ ଶେଖ ମହମ୍ମଦ ବିନ ରସିଦ ଅଲ ମାକ୍ଟୁମ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଅନ୍ୟପଟେ ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଚାଲିବ ଏବଂ ୧୯୦ରୁ ଅଧିକ ଦେଶରୁ ଅଂଶଗ୍ରହଣକାରୀଙ୍କୁ ଦେଖିବାର ସମ୍ଭାବନା ରହିଛି । କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଭାରତୀୟ ପାଭେଲିୟନକୁ ଉଦଘାଟନ କରିବେ । ଭାରତୀୟ ପାଭିଲିୟନ ପ୍ରାୟ ୪୩୭ ହେକ୍ଟର ଜମିରେ ପ୍ରସ୍ତୁତ ହୋଇଥିବା ବେଳେ ଏଥିଲାଗି ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ଭାରତର ଟାଟା ଗ୍ରୁପ, ରିଲାଏନ୍ସ, ଅଡ଼ାନୀ, ବେଦାନ୍ତ, ଏଚଏସବିସି ଭଳି ବଡ଼ ବଡ଼ କମ୍ପାନୀ ସାମିଲ ହେବାକୁ ଯାଉଛନ୍ତି ।

ଇଣ୍ଡିଆନ ପାଭିଲିୟନର ପ୍ରଥମ ମହଲାରେ ପୁରୁଣା ହିନ୍ଦୀ ଫିଲ୍ମ ବ୍ୟାନରର ସ୍କ୍ରିନ ମାଧ୍ୟମରେ ବଲିଉଡ଼କୁ ସ୍ୱତନ୍ତ୍ର ଭାବେ ପ୍ରଦର୍ଶନ କରାଯାଇଛି । ଏକ୍ସପୋ ସମୟରେ ପାଭିଲିୟନର କାନ୍ଥରେ ହେବାକୁ ଥିବା ଆକର୍ଷଣୀୟ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ରେ ଭାରତର ପ୍ରତିଟି ସେକ୍ଟରର ଅଗ୍ରଗତିକୁ ପ୍ରଦର୍ଶନ କରାଯାଇଛି । ଏଠାରେ ସର୍ବନିମ୍ନ ୧୫ଟି ରାଜ୍ୟ ନିଜର ନିବେଶ କରିବା ପାଇଁ ଯାଉଥିବାବେଳେ ଗୁଜୁରାଟ ପ୍ରଥମ ରାଜ୍ୟ ଭାବରେ ପ୍ରଦର୍ଶନ ଆରମ୍ଭ କରିବା ପାଇଁ ଯାଉଛି । ୨୦୧୫ ମସିହାରେ ଇଟାଲିର ମିଲାନ ସହରରେ ଏହି ଏକ୍ସପୋ ଅନୁଷ୍ଠିତ ହୋଇଥିଲା । ତେବେ ୨୦୨୫ ମସିହାରେ ଏହି ଏକ୍ସପୋ ଜାପାନରେ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି । ୧୮୫୧ ମସିହାରେ ଲଣ୍ଡନରେ ଏହା ପ୍ରଥମଥର ପାଇଁ ଆୟୋଜନ କରାଯାଇଥିଲା । ଏହା ପରଠାରୁ, ବିଶ୍ୱର ଅନେକ ରାଷ୍ଟମାନଙ୍କ ପାଇଁ ସାକ୍ଷାତ, ଧାରଣା ଆଦାନ ପ୍ରଦାନ, ଉଦ୍ଭାବନ ପ୍ରଦର୍ଶନ, ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିବାର ଏହା ଏକ ସୁଯୋଗ ପାଲଟିଯାଇଥିଲା ।

ଅନ୍ୟପଟେ ୧୮୭୬ ମସିହାରେ ଯୁକ୍ତରାଷ୍ଟ୍ରରେ ଆୟୋଜିତ ହୋଇଥିବା ପ୍ରଥମ ବିଶ୍ୱ ମେଳାରେ ଆଲେକ୍ସଜାଣ୍ଡର ଗ୍ରାହାମ ବେଲଙ୍କ ଟେଲିଫୋନ, ଟାଇପ ରାଇଟର ମେକାନିକାଲ କାଲକୁଲେଟର ଏବଂ ହିଞ୍ଜ କେଚପ ଭଳି ଜିନିଷକୁ ପ୍ରଦର୍ଶନ କରାଯାଇଥିଲା । ପେନସିଲଭାନିଆର ଫିଲାଡେଲଫିଆରେ ଆୟୋଜିତ ହୋଇଥିବା ଏହି ମେଳାରେ ପ୍ରାୟ ୧୦ ନିୟୁତ ଲୋକଙ୍କୁ ଆକର୍ଷିତ କରିଥିଲା । ଯେତେବେଳେ ସମଗ୍ର ଆମେରିକାର ଜନସଂଖ୍ୟା ମାତ୍ର ୪୦ ନିୟୁତ ଥିଲା । ସେହିପରି ୧୯୩୯ ମସିହାରେ ନ୍ୟୁୟର୍କରେ ଟେଲିଭିଜନ ଭଳି ଉଦ୍ଭାବନ ପ୍ରଦର୍ଶନ କରାଯାଇଥିଲା । ଯାହାଫଳରେ ବିଶ୍ୱର କୋଣଅନୁକୋଣରୁ ଆସିଥିବା ଲୋକମାନେ ପ୍ରଥମଥରି ଟେଲିଭିଜନକୁ ଦେଖିଥିଲେ । କରୋନାକୁ ହରାଇବା ଭଳି ବଡ଼ ଚ୍ୟାଲେଞ୍ଜ ସମୟରେ ଆମ ସମାଜଗୁଡ଼ିକ ଏକାଠି ହେବା ଆବଶକ୍ୟକ, କେବଳ ସେମାନଙ୍କୁ ଦୂର କରିବା ପାଇଁ ନୁହେଁ ବରଂ ଅଧିକ ଶକ୍ତିଶାଳୀ ହେବା ଏବଂ ଉତ୍ତମ ସହଯୋଗ କରିବା ଆବଶ୍ୟକ ଥିବାବେଳେ ଦୁବାଇ ଏକ୍ସପୋ ୨୦୨୦ର ଭୂମିକା କଣ ରହୁଛି ତାହା ବର୍ତ୍ତମାନ ଦେଖିବାର ବିଷୟ ।

Leave a Reply

Your email address will not be published. Required fields are marked *