ଭୁବନେଶ୍ୱର ମୁମ୍ବାଇ (ବଡ ଖବର ବ୍ୟୁରୋ): ପ୍ରଦୂଷଣ, ଏହି କଥା ହିଁ ଯଥେଷ୍ଟ ଯେ, କେଉଁ ପରିସ୍ଥିତିରେ ବର୍ତ୍ତମାନ ପୃଥିବୀ । ଅନେକ ଆନ୍ଦୋଳନ, ଅନେକ ସଚେତନତା । ଏସବୁ ମଧ୍ୟରେ ବି ପୃଥିବୀ ପ୍ରଦୂଷଣ ମୁକ୍ତ ହୋଇ ପାରୁନାହିଁ । ପ୍ରଦୂଷଣ ବିଭିନ୍ନ ବସ୍ତୁ ଦ୍ୱାରା ହୋଇଥାଏ । ଆଉ ଆମେ ଚାହିଁଲେ ବି ଏକ ସୁସ୍ଥ ପରିବେଶ ସୃଷ୍ଟି ହେବା ଏକ ପ୍ରକାର ଅସମ୍ଭବ ମନେ ହେଉଛି । ଗ୍ଲୋବାଲ ୱାର୍ମିଂର ପ୍ରଭାବ ଏବେ ସମସ୍ତଙ୍କ ଉପରେ ଅତି ଭୟାନକ ଭାବେ ପଡ଼ିବାରେ ଲାଗିଛି । ସବୁଆଡ଼େ ଧୁଆଁ ଧୁଆଁ ପରିବେଶ । ଏତେ ମାତ୍ରାରେ ବାୟୁ ପ୍ରଦୂଷଣ ହେବାରେ ଲାଗିଛି ଯେ, ନିଶ୍ୱାସ ନେବାରେ ବି ଅସୁବିଧା ସାମ୍ନା କରିବାକୁ ପଡ଼ୁଛି । ଆଉ ଦେଶର ରାଜଧାନୀ ଦିଲ୍ଲୀରେ ତ ପ୍ରଦୂଷଣ ମାତ୍ରା ପ୍ରତିବର୍ଷ ରେକର୍ଡ଼ ସୃଷ୍ଟି କରୁଛି । ଗଣମାଧ୍ୟମରେ ମୁଖ୍ୟ ଖବରରେ ସ୍ଥାନ ପାଉଛି । ତେବେ ବିଭିନ୍ନ ମାଧ୍ୟମରେ ବାୟୁ ପ୍ରଦୂଷଣ ହୋଇଥାଏ ।
ବଢ଼ୁଥିବା ଜନସଂଖ୍ୟାକୁ ନଜରରେ ରଖି କଳକାରଖାନାର ପରିମାଣକୁ ବୃଦ୍ଧି କରାଯାଉଛି । ପ୍ରତିଦିନ ଗାଡ଼ି ମଟର ସଂଖ୍ୟା ବାୟୁ ପ୍ରଦୂଷଣ ବଢ଼ାଇବାରେ ମୁଖ୍ୟ କାରଣ ପାଲଟିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୃଥିବୀରେ ୩୦ଟି ସହର ରହିଛି ଯେଉଁଠି ବାୟୁ ପ୍ରଦୂଷଣ ଅଧିକ ହେଉଛି । ଆଉ ସେଥି ମଧ୍ୟରୁ ୨୧ଟି ସହର କେବଳ ଭାରତ ମଧ୍ୟରେ ରହିଛି । ଭାରତରେ ହେଉଥିବା ପ୍ରଦୂଷଣର ୫୧% କେବଳ କାରଖାନାରୁ ନିର୍ଗତ ଧୁଆଁ ଦ୍ୱାରା ହେଉଛି । ୨୭% ବାୟୁ ପ୍ରଦୂଷଣ ଗାଡ଼ିମଟର ଯୋଗୁଁ ହେଉଥିଛି । ସେହିପରି ୧୭% ନଡ଼ା ଜାଳିବା ଦ୍ୱାରା ହେଉଥିବାବେଳେ ୫% ନିଆଁ ଲାଗିବା କାରଣରୁ ହେଉଛି । ତେବେ ରିପୋର୍ଟ ଅନୁସାରେ ୨ମିଲିଅନ ଲୋକ କେବଳ ବାୟୁ ପ୍ରଦୂଷଣ କାରଣରୁ ମୃତ୍ୟୁ ବରଣ କରୁଛନ୍ତି । ତେବେ ବାୟୁ ପ୍ରଦୂଷଣ ଉଚ୍ଚ ତାପମାତ୍ରା ବୃଦ୍ଧିର କାରଣ ମଧ୍ୟ ପାଲଟିଛି ।
ପ୍ରତିବର୍ଷ ଗ୍ରୀଷ୍ଣ ଋତୁରେ ତାପମାତ୍ରା ୪୮ରୁ ୪୯ ଡିଗ୍ରୀ ପାର କରୁଛି । ଯାହାଦ୍ୱାରା ମରୁଡ଼ି, ବର୍ଷାରେ ଅନୀୟମିତତା ଭଳି ପରିସ୍ଥିତି ଉପୁଜୁଛି । ସେହିପରି ପ୍ରଦୂଷଣ ଯୋଗୁଁ ଓଜନ ସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି ପାଇଁ ଚର୍ମ କର୍କଟ ହେବାରେ ଲାଗିଛି । ଏପରି ଅନେକ ସମସ୍ୟା କେବଳ ବାୟୁ ପ୍ରଦୂଷଣ ମାଧ୍ୟମରେ ହିଁ ହେଉଛି । ବାୟୁ ପରି ଜଳ ପ୍ରଦୂଷଣ ମଧ୍ୟ ଏକ ବଡ଼ ସମସ୍ୟା ହୋଇ ରହିଛି ପୃଥିବୀ ପାଇଁ । କାରଖାନାରୁ ନିର୍ଗତ ଆବର୍ଜନା ବର୍ଯ୍ୟବସ୍ତୁ, ମାରାତ୍ମକ ରାସାୟନିକ ପଦାର୍ଥ ଆଦି ନଦୀ ନାଳକୁ ଛାଡ଼ି ଦିଆଯାଇଥାଏ । ଯାହାଦ୍ୱାରା ପ୍ରତିଦିନ ଅନେକ ଲୋକ ସେହି ପାଣି ପି ମୃତ୍ୟୁ ବରଣ କରୁଛନ୍ତି । ସେପଟେ ଦୂଷିତ ଜଳକୁ ବ୍ୟବହାର କରି ଲୋକଙ୍କ ଠାରେ ମଧ୍ୟ ବିଭିନ୍ନ ପ୍ରକାର ଚର୍ମରୋଗ ଦେଖା ଯାଇଥାଏ ।
ବେଳେ ବେଳେ ମଣିଷଙ୍କ ମର ଶରୀରକୁ ମଧ୍ୟ ଜଳରେ ଭସାଇ ଦିଆଯାଉଥିବା ଦେଖିବାକୁ ମିଳିଛି । ଯେଉଁ କାରଣରୁ ବହୁ ଜଳଜୀବଙ୍କ ମୃତ୍ୟୁ ହେଉଛି । ତେବେ ପ୍ଲାଷ୍ଟିକ ପ୍ରଦୂଷଣ କାରଣରୁ ବହୁ ପଶୁ ପକ୍ଷୀଙ୍କର ପ୍ରତିଦିନ ମୃତ୍ୟୁ ହେଉଥିବା ବି ଦେଖିବାକୁ ମିଳୁଛି । ମଣିଷ ପ୍ଲାଷ୍ଟିକ୍କୁ ବ୍ୟବହାର କରି ଫିଙ୍ଗି ଦେବା ପରେ ଏହା ସିଧାସଳଖ ଯାଇ ସମୁଦ୍ରରେ ମିଶିଥାଏ । ଆଉ ପ୍ଲାଷ୍ଟି ନଷ୍ଟ ନହେଉଥିବା କାରଣରୁ ଏହା ବର୍ଷ ବର୍ଷ ଧରି ସମୁଦ୍ର ମଧ୍ୟରେ ଭାସି ବୁଲେ । ଯେଉଁ କାରଣରୁ ସାମୁଦ୍ରିକ ପ୍ରାଣୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଆଉ ରିପୋର୍ଟ କହୁଛି ୧୦୦ମିଲିୟନ ସାମୁଦ୍ରିକ ପ୍ରାଣୀଙ୍କର ପ୍ରତିବର୍ଷ ପ୍ଲାଷ୍ଟିକ ପ୍ରଦୂଷଣ କାରଣରୁ ମୃତ୍ୟୁ ହେଉଛି । ସେଥିମଧ୍ୟରୁ ଏକ ଲକ୍ଷ କେବଳ ପ୍ଲାଷ୍ଟିକରେ ଛନ୍ଦି ହେବା କାରଣରୁ ମୃତ୍ୟୁ ବରଣ କରିଥାନ୍ତି ।ସେହିପରି ସମୁଦ୍ରରେ ପ୍ଲାଷ୍ଟିକ ଭାସୁଥିବା କାରଣରୁ ଏହାକୁ ଅନେକ ସାମୁଦ୍ରିକ ଜୀବ ଖାଦ୍ୟ ସହ ଗ୍ରହଣ କରିଥାନ୍ତି । ଯେଉଁ କାରଣରୁ ଏହାର ପ୍ରଭାବ ମଣିଷଙ୍କ ଉପରେ ମଧ୍ୟ ପଡ଼ିଥାଏ ।
ସମଗ୍ର ଜୀବ ଜଗତ ପାଇଁ ପ୍ରଦୂଷଣ ଦିନକୁ ଦିନ ବିପଦ ହେବାରେ ଲାଗିଛି । ପ୍ରତିବର୍ଷ ୧୨ ଶହରୁ ୧୪ଶହ ଟନ ପ୍ଲାଷ୍ଟିକକୁ ମାଛ ଦ୍ୱାରା ମଣିଷକୁ ଖାଇବାକୁ ଦିଆଯାଏ । ଯାହା ଦ୍ୱାରା ମନୁଷ୍ୟଙ୍କ ମଧ୍ୟରେ ଅନେକ ରୋଗ ଦେଖାଯାଏ । ତେବେ ପ୍ରଦୂଷଣକୁ ଆମେ ଗୁରୁତର ସହ ନେବା ଦରକାର । ନହେଲେ ପରିସ୍ଥିତି ଭୟଙ୍କର ରୁପ ନେବାକୁ ବେଶୀ ସମୟ ନେବନି । ପ୍ରତ୍ୟେକ ଲୋକ ନିଜ ପରିବେଶ ପ୍ରତି ସଚେତନ ମଧ୍ୟ ହେବା ଦରକାର । ପରିବେଶକୁ ସଫା ସୁତୁରା ରଖିବା ସହ ପ୍ରତ୍ୟେକ ବର୍ଜ୍ୟ ବସ୍ତୁକୁ ଏଣେ ତେଣେ ନପକାଇ ଡଷ୍ଟବିନରେ ପକାଇବା । ଯଥା ସମ୍ଭବ ପ୍ରତ୍ୟେକ ପଦାର୍ଥକୁ ପୁନଃ ବ୍ୟବହାର କରିବାକୁ ଚେଷ୍ଟା କରିବା । ଏହାଛଡ଼ା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଯଥା ସମ୍ଭବ ଚେଷ୍ଟା କଲେ ହୁଏତ ପ୍ରଦୂଷଣରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିବ ।