Masthead

କୋରୋନା ମୃତ୍ୟୁ ପ୍ରସଙ୍ଗରେ ହାଇକୋର୍ଟଙ୍କ ଜବାବ ତଲବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : କୋରୋନା ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ପ୍ରସଙ୍ଗରେ ହାଇକୋର୍ଟ ଜବାବ ତଲବ କରିଛନ୍ତି । ପ୍ରତି ଜିଲ୍ଲାରେ କରୋନା ଜନିତ ମୃତ୍ୟୁସଂଖ୍ୟାର କ’ଣ ସ୍ଥିତି ରହିଛି, ସେନେଇ ସବିଶେଷ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ରାଜ୍ୟରେ ମହାମାରୀରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଠିକ୍ ସଂଖ୍ୟା ପ୍ରକାଶ କରାଯାଉ ନାହିଁ ଅଭିଯୋଗ କରି ଆଇନଜୀବୀ ନିଶିକାନ୍ତ ମିଶ୍ର ଦାୟର କରିଥିବା ଜନସ୍ବାର୍ଥ ଆବେଦନକୁ ଓଡ଼ିଶା ହାଇକୋର୍ଟ ପିଆଇଏଲ୍ ରୁଲ୍ସ ପାଳନ କରାଯାଇ ନଥିବାରୁ ଖାରଜ କରିଛନ୍ତି ।

 

କିନ୍ତୁ ଏହି ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତର ସହ ଗ୍ରହଣ କରିଛନ୍ତି । କରୋନା ସଂକ୍ରମଣ ସ୍ଥିତି ସମ୍ପର୍କିତ ବିଚାରାଧୀନ ଥିବା ଅନ୍ୟ ଏକ ଜନସ୍ବାର୍ଥ ଆବେଦନ ସହିତ ଏହି ପ୍ରସଙ୍ଗ ଉପରେ ଜୁଲାଇ ୫ରେ ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କରୋନା ମୃତ୍ୟୁସଂଖ୍ୟା ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ତଥ୍ୟରେ ତାଳମେଳ ରହୁନାହିଁ ବୋଲି ଅଭିଯୋଗ ହୋଇ ଥିବାବେଳେ ନୟାଗଡ଼ରେ ହୋଇଥିବା ଏଭଳି ଘଟଣା ସଂକ୍ରାନ୍ତରେ ନିଶିକାନ୍ତ ମିଶ୍ରଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିବା ପ୍ରସଙ୍ଗରେ ହାଇକୋର୍ଟ ସ୍ପଷ୍ଟୀକରଣ ଲୋଡିଛନ୍ତି ।

ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ତଥ୍ୟରେ ରହିଥିବା ସଂଖ୍ୟା ଠାରୁ ସରକାରୀ ସଂଖ୍ୟା କମ୍ ରହିଥିଲା । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଦନ୍ତ କରିଛନ୍ତି କି ନାହିଁ ସେନେଇ ଜୁଲାଇ ୫ରେ ଅବଗତ କରିବାକୁ ଆଡଭୋକେଟ ଜେନେରାଲଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଘଟଣାର ସତ୍ୟା ସତ୍ୟ ସମ୍ପର୍କରେ ସ୍ଥିତି ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ନିଶିକାନ୍ତ ମିଶ୍ରଙ୍କ ଆବେଦନ ସହିତ ଦାଖଲ ଏ ସମ୍ପର୍କିତ ନଥିପତ୍ରକୁ କରୋନା ପ୍ରସଙ୍ଗକୁ ନେଇ ବିଚାରାଧୀନ ମାମଲାର ଫାଇଲରେ ସାମିଲ କରିବାକୁ ହାଇକୋର୍ଟ କହିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଶିକାନ୍ତ ମିଶ୍ରଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

କ‌ରୋନା ଦ୍ବିତୀୟ ଲହରରେ ନୟାଗଡ଼ ଜିଲ୍ଲାରେ ୯୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରିପୋର୍ଟ ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା‌ ସେଥିରେ ମୃତ୍ୟୁସଂଖ୍ୟା ବହୁତ କମ୍ ଥିଲା । ତଥ୍ୟକୁ ନେଇ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଦେଇଥିବା ବୟାନରୁ ପ୍ରକୃତ ମୃତ୍ୟୁ ସଂଖ୍ୟା ପ୍ରକାଶ ପାଉନାହିଁ ବୋଲି ଆବେଦନରେ ଦର୍ଶାଯାଇଥିଲା । ଏପ୍ରିଲରେ ନୂଆପଡ଼ା ଜିଲ୍ଲାରେ ପଜିଟିଭ ହାର ୩୫ ପ୍ରତିଶତ ରହିଥିବା ବେଳେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ମାତ୍ର ୪ ବୋଲି ଦର୍ଶାଯାଇଥିଲା । ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ସରକାରୀ ଡାକ୍ତରଖାନାର ତଥ୍ୟ ଅନୁସାରେ ମୃତ୍ୟୁସଂଖ୍ୟା ୮୨ ଥିଲା । ସମ୍ବଲପୁର ଜିଲ୍ଲାରେ ମଧ୍ୟ ସରକାରୀ ତଥ୍ୟ ଓ ଜିଲ୍ଲାର ବିଭିନ୍ନ ଡାକ୍ତରଖାନରୁ ମିଳିଥିବା ରିପୋର୍ଟରେ ରହିଥିବା ମୃତ୍ୟୁସଂଖ୍ୟାରେ ତାରତମ୍ୟ ରହିଥିଲା। ଏପ୍ରିଲ ୨୬ ରେ କଟକର ସତୀଚଉରା ଶ୍ମଶାନକୁ ଆବେଦନକାରୀ ଯାଇ ମୃତ ଦେହଦାହ କରୁଥିବା ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିଥିଲେ। ସେଦିନ ୪୪ଟି ମୃତଦେହ ଦାହ କରାଯାଇଥିଲା ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

ସେହିପରି ଭୁ‌ବନେଶ୍ବର ସତ୍ୟନଗର ଶ୍ମଶାନରେ ସେହିଦିନ ପ୍ରାୟ ୪୦ ଟି ମୃତଦେହ ସଂସ୍କାର କରାଯାଇଥିଲା । କିନ୍ତୁ ସାରା ରାଜ୍ୟରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟାକୁ ଦେଖିଲେ ଏହି ତଥ୍ୟକୁ ନେଇ ପ୍ରଶ୍ନ ଉଠିଛି। କରୋନା ସଂକ୍ରମଣରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସହାୟତା ପ୍ରଦାନ କରୁଥିବାବେଳେ ପ୍ରକୃତରେ କିଏ କରୋନାରେ ପ୍ରାଣ ହରାଉଛି ତାହା ଚିହ୍ନଟ ହେବା ଆବଶ୍ୟକ । ନଚେତ ଏହି ସବୁ ଯୋଜନାର ଉପଯୁକ୍ତ ଫଳ ମିଳି ପାରିବ ନାହିଁ। ରାଜ୍ୟ ସରକାର କରୋନା ମୃତ୍ୟୁ ତଥ୍ୟ ଠିକ୍ ଭାବେ ପ୍ରକାଶ କରିବା ଦରକାର।

ଏହି ପ୍ରସଙ୍ଗରେ ସ୍ପେଶାଲ ଅଡିଟ୍ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ନିଶିକାନ୍ତ ମିଶ୍ର ଜୁନ୍ ୧୬ ରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଇ-ମେଲ ମାଧ୍ୟମରେ ରିପ୍ରେ‌ଜେନଣ୍ଟେସନ୍ ଦେଇଥିଲେ । ପରେ ସେ ଉତ୍ତର ପାଇଁ ଅପେକ୍ଷା ନକରି ଜୁନ୍ ୧୮ରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଏଥିରେ ପିଆଇଏଲ୍ ନିୟମାବଳୀ ପାଳନ ‌ହୋଇନଥିବାରୁ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଜନସ୍ବାର୍ଥ ଆବେଦନକୁ ଖାରଜ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ