Before Header

ଭୁବନେଶ୍ୱରରେ ଭୋକର ବିକଳ ଚିତ୍ର: ଡଷ୍ଟବିନରୁ ମଣିଷ ଖୋଜୁଛି ଖାଦ୍ୟ

0 54

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗୋଟିଏ ଅଦୃଶ୍ୟ ଭୂତାଣୁ ସାରା ବିଶ୍ୱ କୁ କବଳିତ କରିଛି । କିଛି ଦେଶ ଧୀରେ ଧୀରେ ଏଥିରୁ ମୁକ୍ତ ହେଉଛି, କିନ୍ତୁ ଆମ ଦେଶରେ ଏହାର ପ୍ରକୋପ ଅଧିକ ହେବାରେ ଲାଗିଛି । ଭୂତାଣୁର ଭୟ ବଢୁଛି । ଜୀବନ ବଞ୍ଚାଇବାକୁ ସଙ୍ଘର୍ଷ ଜାରି ରହିଛି । ଗତ ବର୍ଷ ଭଳି ପୁଣି ଥରେ ଲକଡାଉନ ଲାଗୁ ହୋଇଛି । ସୁରକ୍ଷିତ ରହିବାକୁ ଘରେ ରହିବା ହିଁ ଏକମାତ୍ର ବିକଳ୍ପ ହୋଇଯାଇଛି । ବୋଧହୁଏ ସରକାରଙ୍କ ପାଖରେ ଦ୍ୱିତୀୟ ଥର ଲକଡାଉନ ଲଗାଇବା ଛଡ଼ା କିଛି ବିକଳ୍ପ ନ ଥିଲା । କିନ୍ତୁ ଏଥର ବି ଲକଡାଉନ ଲାଗିବା ପରେ ସେ ସବୁ ଚିତ୍ର ପୁଣି ଥରେ ସାମ୍ନାକୁ ଆସି ଯାଉଛି, ଯାହା ପ୍ରଥମ ଲକଡାଉନ ବେଳେ ଥିଲା । ଜୀବନ ବଞ୍ଚାଇବାକୁ ଯାଇ ଉଜୁଡ଼ୁଥିବା ଜୀବିକାର ଚିତ୍ର । ପେଟପାଟଣା, ରୋଜିରୋଟି ଧରାଶାୟୀ ହେବାର ଚିତ୍ର । ଦିନମଜୁରିଆ, ଶ୍ରମିକ ଶ୍ରେଣୀଙ୍କ ଅସହାୟତାର ଚିତ୍ର ।


ଖାଲି ଦିନ ମଜୁରିଆ କି ଶ୍ରମିକ ଶ୍ରେଣୀ ନୁହେଁ, କୋଟି କୋଟି ସଂଖ୍ୟାରେ କ୍ଷୁଦ୍ର, ମଧ୍ୟମ ବ୍ୟବସାୟୀ ରାତାରାତି ତଳିତଳାନ୍ତ ହେବାର ଚିତ୍ର । ସମାଜର ପ୍ରତିଟି ବର୍ଗ ପ୍ରଭାବିତ ହେବାର ଚିତ୍ର । ସେ ରିକ୍ସା ଚାଳକଟେ ହେଉ କି କଳାକାରଟେ । ସମସ୍ତେ ଯନ୍ତ୍ରଣା ସହୁଛନ୍ତି । ଅବଶ୍ୟ, କିଛି ଧନୀ ଆହୁରି ଧନୀ ହେବେ, ହେଉଛନ୍ତି ମଧ୍ୟ । ଯେମିତି ପ୍ରଥମ ଥର ହୋଇଥିଲେ । କିନ୍ତୁ ଗରିବ ଓ ମଧ୍ୟବିତ୍ତ ହାହାକାର ଅବସ୍ଥାରେ । ଆସୁଥିବା ଅନେକ ଖବରକୁ ଦେଖିଲେ, ବେଳେ ବେଳେ ଏ ଆଶଙ୍କା ହୁଏ, ଭୋକ ଏ ଭୂତାଣୁର କଷ୍ଟ ଉପରେ ଯେମିତି ଭାରି ପଡ଼ିଯିବ । ଅବଶ୍ୟ, ପ୍ରଥମ ଲକଡାଉନ ଅଚାନକ ଥିଲା, ଅପ୍ରତ୍ୟାଶିତ ଥିଲା । କିନ୍ତୁ ଦ୍ୱିତୀୟ ବି ସେହି ସମାନ କ୍ଷତି କରିବା ନିଶ୍ଚୟ ଶାସନ କଳର ଅପାରଗତା ବୋଲି ଆମେ କହିବୁ । ଲୋକଙ୍କ ପାଇଁ କୋଟି କୋଟି ଟଙ୍କାର ପ୍ୟାକେଜ ଘୋଷଣା ହେଲା । ହେଲେ ରୋଜଗାର କେତେ ସୃଷ୍ଟି ହେଲା, ତାହାର ଉତ୍ତର କାହା ପାଖେ ନାହିଁ । କେଉଁ ଗରିବ ଲାଭ ପାଇଲା, ତାହାର ହିସାବ କାହା ପାଖେ ନାହିଁ । ସାଧାରଣ ଲୋକର ଜୀବନ ଯେମିତି ମୂଲ୍ୟହୀନ । ସେ ରୋଗରେ ପଡ଼ିଲେ ତାକୁ ଚିକିତ୍ସା ମିଳେନି, ତାହାର ରୋଜଗାର ବୁଡ଼ିଲେ କାହାର କିଛି ଯାଏ ଆସେ ଯେମିତି ନାହିଁ । ସ୍ଥିତି ଏମିତି ହୋଇଛି, ଗରିବ ଲୋକଟେ ପେଟ ପୂରାଇବାକୁ ଦୁଇ ମୁଠା ଖାଦ୍ୟ ବି ଯୋଗାଡ଼ କରିପାରୁନି । ଆଉ ଏହି ଚିତ୍ର ସବୁଆଡ଼ୁ ଆସୁଛି । ଉପାନ୍ତରୁ ଉପକୂଳ, କଟକରୁ କୋରାପୁଟ, ବରଗଡ଼ରୁ ଭୁବନେଶ୍ୱର । ଅବଶ୍ୟ ଏଭଳି ଦୁର୍ଦ୍ଦଶା ଦ୍ୱିତୀୟ ଲକଡାଉନ ପୂର୍ବରୁ ଥିଲା, ଏବେ ଏହା ଆହୁରି ବଢି ଯାଇଛି । ପୂର୍ବରୁ ଆପଣ ସୁନ୍ଦରଗଡ଼, କୋରାପୁଟ, ବରଗଡ଼ର ଦୃଶ୍ୟ ଦେଖିଥିଲେ ।

ଆଜି ଆମେ ଆପଣଙ୍କୁ ଏମିତି ଜାଗାର ଦୃଶ୍ୟ ଦେଖାଇବୁ ଯାହା ଆପଣଙ୍କୁ ଚକିତ କରିଦେବ । ଚିତ୍ରଟି ହେଉଛି, ଖୋଦ୍ ରାଜଧାନୀ ଭୁବନେଶ୍ୱରର । ପ୍ରଶାନ୍ତି ବିହାର ଅଞ୍ଚଳରେ ଜଣେ ଭିକ୍ଷୁକ ଶ୍ରେଣୀର ଲୋକ ଖାଇବାକୁ ପାଉ ନାହିଁ । ବାଧ୍ୟ ହୋଇ ଡଷ୍ଟବିନର ଅଇଁଠାରୁ ଭୋକ ମେଣ୍ଟାଇବାକୁ କିଛି ବାହାର କରିଛି । ସେଥିରୁ ଚେଷ୍ଟା କରୁଛି କିଛି ଦାନା ବାହାର କରି ପେଟକୁ ନେବାକୁ । ତାହା ଉପରେ କୁକୁରଙ୍କ ବି ଲୋଭ । ସେମାନେ ବି ସେଠୁ ଖାଇବାକୁ ସେ ଭିକ୍ଷୁକଙ୍କୁ ଘେରି ଯାଇଛନ୍ତି । ଏହାକୁ ଆମର ଜଣେ ଦର୍ଶକ ଶାଶ୍ୱତ ଆମକୁ ପଠାଇଛନ୍ତି । ସେ ଭିକ୍ଷୁକଙ୍କୁ ଶୁଖିଲା ଖାଦ୍ୟ ଦେଇ ମାନବିକତା ମଧ୍ୟ ଦେଖାଇଛନ୍ତି । କିନ୍ତୁ ଏ ଚିତ୍ର ଆମକୁ ହତଚକିତ କରିଦେଲା । ଯଦି ସରକାରଙ୍କ ସହର, ମାଳମାଳ ଯୋଜନାର ଘେରା ରାଜଧାନୀରେ ଏ ଚିତ୍ର, ତାହେଲେ ଉପାନ୍ତରେ ଭୋକ କେଉଁ ଉତ୍କଟ ରୂପ ଧାରଣ କରିଥିବ । ଭିକ୍ଷୁକ ବୋଲି ରାଜରାସ୍ତାରେ ଡଷ୍ଟବିନରୁ ଖାଦ୍ୟ ଖୋଜୁଥିଲେ, ହେଲେ ସେ ବ୍ୟକ୍ତିମାନଙ୍କ କଣ ହେଉଥିବ, ଯେଉଁମାନ ଘରେ ହାତ ବାନ୍ଧି ବସିଛନ୍ତି, ରୋଜଗାର ଚାଲିଯାଇଛି, ପରିବାରକୁ ମୁଠାଏ ଖାଇବାକୁ ଦେବାକୁ ସକ୍ଷମ ହୋଇପାରୁ ନାହାନ୍ତି ।

Leave A Reply

Your email address will not be published.