460824-indian-farmer-praying

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ଆମ ରାଜ୍ୟର ସମୁଦାୟ ଜନସଂଖ୍ୟାର ୭୦ ପ୍ରତିଶତର ଅଧିକ ଲୋକଙ୍କ ଜୀବନ ଚାଷ ଉପରେ ନିର୍ଭର କରେ । ଚାଷ ହିଁ ଜୀବନଧାରଣର ମାନ ନିର୍ଦ୍ଧାରିତ କରେ । ଏତେ ବଡ ଜନସଂଖ୍ୟା, ଏମାନଙ୍କ ପାଇଁ ରାଜ୍ୟ ସରକାର କରିଛନ୍ତି କଣ? ସରକାର ଆମ ରାଜ୍ୟର କୃଷକମାନଙ୍କୁ କେବଳ ଭୋଟ୍ ଭାବେ ହିଁ ବ୍ୟବହାର କରିଛନ୍ତି । ଚାଷୀଙ୍କ ଭୋଟ୍ ନ ହେଲେ ସରକାର ଜିତିପାରିବେ ନାହିଁ । ଏକଥା ଜାଣିଛନ୍ତି । ତେଣୁ ଯେତେବେଳେ ସରକାରଙ୍କୁ ହାରିବାର ଭୟ ଘାରିଛି, ସେତେବେଳେ କାଳିଆ ନାଁ ଧରି, ଚାଷୀଙ୍କ ଆକାଉଣ୍ଟକୁ କିଛି ଟଙ୍କା ପଠାଇ ଭୋଟ୍ ଥୋପ ପକାଇଛନ୍ତି । ସରକାରୀ ସ୍ତରରେ ଅନେକ ଯୋଜନ ଅଛିି, ଅନେକ ବ୍ୟବସ୍ଥା ଅଛି, ଅନେକ ଅଫିସର କାମ କରୁଛନ୍ତି, ଚାଷୀଙ୍କ ନାଁରେ ସ୍ୱତନ୍ତ୍ର ବଜେଟ ହେଉଛି, ଗୁଡାଏ ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଏସବୁ କେଉଁଠି ଗୋଟେ ଅଟକି ଯାଉଛି । ଚାଷୀଙ୍କ କ୍ଷେତ ଯାଏଁ ଏହା ପହଞ୍ଚି ପାରୁନାହିଁ ।

ଚାଷୀଙ୍କୁ ସମର୍ଥ କରିବାକୁ, ପାରମ୍ପରିକ ଚାଷ ବଦଳରେ ଉନ୍ନତ ଚାଷ ପ୍ରଣାଳୀରେ ସାମିଲ କରିବାକୁ, ଚାଷ ଉପକରଣରେ ସରକାର ସବସିଡି ଦେଉଛନ୍ତି ବୋଲି ବିଜ୍ଞାପନ ମାରୁଛନ୍ତି । ଟ୍ରାକ୍ଟର, ପାୱାର ଟ୍ରିଲର ଆଦିର ଦେଖାଉଛନ୍ତି । କିନ୍ତୁ ଏସବୁ ଅସଲ ଚାଷୀ ପାଆନ୍ତି ନାହିଁ । ସରକାରଙ୍କ କୁଜି ନେତାମାନେ ଚାଷୀଙ୍କ ନାଁରେ ଏସବୁ ଉଠାନ୍ତି । ପୁଣି ଚାଷୀଙ୍କୁ ଭଡାରେ ଦେଇ ଟଙ୍କା ଶୋଷନ୍ତି । ଚାଷୀ ଖାଲି ବିଜ୍ଞାପନର ଫଟୋ ହୋଇ ରହିଯାଉଛି । ତାହାର ଆର୍ଥିକ ସ୍ଥିତିର କିଛି ବି ସୁଧାର ହେଉନାହିଁ । ପ୍ରତିଥର ସରକାର ଘୋଷଣା କରୁଛନ୍ତି, ଏତେ ପ୍ରତିଶତ ଜମିକୁ ଜଳସେଚନ ହୋଇଛି, ସେତେ ପ୍ରତିଶତ ଜଳସେଚନ ହୋଇଛି । ୨୦୦୦ରୁ ଆଜି ଯାଏଁ ଯେତେ ପ୍ରତିଶତ ଜଳସେଚନ କଥା ସରକାର ପ୍ରତିବର୍ଷ କହୁଛନ୍ତି, ସେ ସବୁକୁ ମିଶାଇ ଦେଲେ ଆମ ରାଜ୍ୟର ମୋଟ୍ ଜମି ପରିମାଣଠାରୁ ବି ଅଧିକ ହେବ । ହେଲେ ପ୍ରକୃତ ସ୍ଥିତି କଣ? ଆଜି ବି ଲକ୍ଷ ଲକ୍ଷ ଚାଷୀଙ୍କ ଜମିକୁ ଜଳସେଚନର ସୁବିଧା ନାହିଁ । ନଦୀ, ନାଳରେ ସଂପନ୍ନ ଆମ ରାଜ୍ୟର କୃଷକମାନେ ଆଜି ବି ଇନ୍ଦ୍ର ଦେବତାଙ୍କ ଭରସାରେ ଚାଷ କରନ୍ତି । ଏହି ବର୍ଷ କଥା ହିଁ ଉଦାହାଣ ଭାବେ ଧରି ନିଅନ୍ତୁ । ରାଜ୍ୟ ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହୋଇଛି । ଯାହା ଚାଷୀଙ୍କ ମଧ୍ୟରେ ହାହାକାର ସୃଷ୍ଟି କରିଛି ।

ଶ୍ରାବଣରେ ମାଟି ଫାଟି ଆଁ କରିଛି । ଜଳ ଅଭାବରୁ ଫସଲ ଉଜୁଡିବାକୁ ବସିଲାଣି? ସରକାର ତ ଜଳସେଚନର ବଡ ବଡ ପ୍ରତିଶ୍ରୁତି ଆଉ ପରିସଂଖ୍ୟନ ଶୁଣାଉଛନ୍ତି, ତାହେଲେ ଏ ଜମି ଗୁଡିକ ଶୁଖିଲା ପଡିଛି କାହିଁକି? କାହିଁକି ଚାଷୀର ଜମିରେ ଜଳସେଚନ ହୋଇପାରୁନି? ବିଜେଡି ସରକାରଙ୍କୁ ବିଶ୍ୱାସ କରି ବାରମ୍ବାର ଭୋଟ୍ ଦେଉଥିବା ଚାଷୀ ଏବେ ଫଟା ଜମିରେ ନିଜର ଫଟା ଭାଗ୍ୟକୁ ନିନ୍ଦୁଛି । ନା ଜମିକୁ ଜଳସେଚନ ଅଛି ନା ସରକାରୀ ଯୋଜନାରେ ଆସୁଥିବା ଆଧୁନିକ ଚାଷ ଉପକରଣ ଚାଷୀଙ୍କୁ ମିଳୁଛି । ଚାଷ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଉନ୍ନତ ବିହନ ଚାଷୀଙ୍କ ପହଞ୍ଚାଇପାରୁନାହାନ୍ତି ସରକାର । ସାର ବି ଦେଇପାରୁ ନାହାନ୍ତି । ସାର ପାଇଁ କେନ୍ଦ୍ର ଓ ରାଜ୍ୟର ଟଣାଓଟରାରେ ଚାଷୀ ଫସି ଯାଇଛି । କେଉଁଠୁ କିଛି ସହାୟତା ନ ପାଇ ଋଣରେ ବୁଡି, ସମସ୍ତଙ୍କ ପାଇଁ ଅନ୍ନଦାତା ପାଲଟେ ଚାଷୀଟିଏ । ଏତେ ବାଧା, ପ୍ରତିକୂଳ ପରିସ୍ଥିତି ପରେ ମଧ୍ୟ ଖରା ବର୍ଷାରେ କଷ୍ଟ କରି ଯେତେବେଳେ ଚାଷୀ ଶସ୍ୟ ଉତ୍ପାଦନ କରେ ସେତେବେଳେ ଏହାର ମୂଲ୍ୟ କେଉଁଠୁ ପାଇବ? ଆମ ରାଜ୍ୟରେ ଚାଷୀଟିଏ ନିଜର ଫସଲ ବିକିବାକୁ ମଧ୍ୟ ସମର୍ଥ ହେଉନାହିଁ । ମଣ୍ଡିରେ ଫସଲ ପଡିରହୁଛି । ସରକାର କିଣୁନାହାନ୍ତି କି ଟଙ୍କା ଦେଉନାହାନ୍ତି । ରେଜିଷ୍ଟ୍ରେସନ, ଟୋକନ ଆଦିର ପାଠ ପଢାଇ ସରକାର ଚାଷୀଙ୍କୁ ଠୋକର ମାରୁଛନ୍ତି । ଏହାକୁ ନେଇ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ନିଜର ପ୍ରାପ୍ୟ ପାଇଁ ଚାଷୀଙ୍କୁୁ ରାଜରାସ୍ତାକୁ ଓହ୍ଲାଇବାକୁ ହୋଇଛି । ଅନଶନରେ ବସିବାକୁ ପଡିଛି ।

ଚାଷୀ ରାସ୍ତାରୋକ କରିଛନ୍ତି, ଆନ୍ଦୋଳନ କରିଛନ୍ତି, ହାତଯୋଡି ଗୁହାରୀ ବି କରିଛନ୍ତି । ସରକାର ଓ ମନ୍ତ୍ରୀ ଖାଲି କିଛି ଧାଡିର ଭାଷଣ ଶୁଣାଇ ନିଜ ଦାୟିତ୍ୱ ସାରି ଦେଇଛନ୍ତି । ଖରିଫ ରୁତୁ ହେଉ କି ରବି ରୁତୁ, ଅନେକ ଚାଷୀ ନିଜର ଫସଲ ବିକି ପାରିନାହାନ୍ତି । ସରକାର କହୁଛନ୍ତି, ଯେତେ ଫସଲ ଆସିଲେ କିଣିବେ, ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟରୁ କେହି ବଞ୍ଚାଇପାରିବେ ନାହିଁ । କିନ୍ତୁ ଏ ସବୁ କଥାକୁ କେବେ ବି ଗ୍ରାଉଣ୍ଡରେ ପାଳନ କରାଯାଇ ନାହିଁ । ଚାଷୀ ମିଲର ଶୋଷଣର ଶିକାର ହୋଇଛିି । ଦଲାଲଙ୍କୁ ଅଧା ଦରରେ ଫସଲ ବିକ୍ରି କରିବାକୁ ବାଧ୍ୟ ହୋଇଛି । ଆଉ ଯଦି ମଣ୍ଡିରୁ ଧାନ ଉଠିଛି ତାହେଲେ କଟନି ଛଟନିର ଶିକାର ହୋଇଛି । ଫସଲ ଉତ୍ପାଦନ ପାଇଁ ସହାୟତା ମିଳୁନି, ଫସଲ ଉତ୍ପାଦନ ପରେ ବିକ୍ରି କରିବା ପାଇଁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି । ଏହା ପଛର ସତ ହେଉଛି, ୨୧ ବର୍ଷ ଭିତରେ ସରକାର ଆମ ରାଜ୍ୟର ଫସଲ ଉତ୍ପାଦନ ଅନୁଯାୟୀ ଗୋଦାମ ଘର କରିବାରେ ସମର୍ଥ ହୋଇନାହାନ୍ତି । ସବୁକିଛି ଏଫସିଆଇ ଭରସାରେ ଛାଡି ଶୋଇପଡିଛନ୍ତି ।

ଯଦି ଚାଷୀ କଷ୍ଟ କରି ଅଧିକ ଫସଲ ଉପାର୍ଜନ କଲା, ତାହେଲେ ଏହାକୁ ନେଇ ରଖିବେ କେଉଁଠି, ସେ ବ୍ୟବସ୍ଥା ସରକାରଙ୍କ ନାହିଁ । ତେଣୁ ଫସଲ ଯଦି ଗୋଦାମ ଘର ହିସାବରେ ସଂଗ୍ରହ ହେଲା ତାହେଲେ ରାଜ୍ୟ ସରକାରଙ୍କ ବାହା ବାହା । ଯଦି ଅଧିକ ହେଲା ତାହେଲେ ଏପସିଆଇ ଆଉ କେନ୍ଦ୍ର ମୁଣ୍ଡରେ ଦୋଷ ଲଦି, ଚାଷୀଙ୍କୁ କ୍ଷତିଗ୍ରସ୍ତ ହେବାକୁ ଛାଡିଦିଆଯାଏ । ଦରକାର ହେଲେ ବିଧାନସଭାରେ ବି ମନ୍ତ୍ରୀ ବାର୍ ବାର୍ ମିଛ ତଥ୍ୟ ଦେଇପାରନ୍ତି । ଏହା ହେଉଛି ଆମ ରାଜ୍ୟରେ କୃଷିକୁ ନେଇ ଅବସ୍ଥା । କୁହାଯାଏ, ଚାଷ କାମ ଯାହାର କେଡେ ଆନନ୍ଦ ତାହାର ।

କିନ୍ତୁ ଏଠି ଚାଷ କାମ ଯାହାର କେଡେ କଷ୍ଟ ତାହାର କହିଲେ ଭୁଲ୍ ହେବ ନାହିଁ । ଚାଷକୁ ନେଇ ଅନେକ ଦିଗ ରହିଛି । ଯେମିତି ଭାଗ ଚାଷୀ ପ୍ରସଙ୍ଗ । ଆମ ରାଜ୍ୟରେ ଅନେକ ଲୋକଙ୍କ ଜମି ଅଛି, କିନ୍ତୁ ସେମାନେ ଚାଷ କରନ୍ତି ନାହିଁ । ଆଉ ଯିଏ ଚାଷ କରେ ତାହାର ନିଜସ୍ୱ ଜମି ନାହିଁ । ଭାଗ ଚାଷରେ କୃଷି କାମ କରିବାକୁ ହୁଏ । ସିଜିନ୍ ସାରା ଭାଗ ଚାଷୀ ପରିଶ୍ରମ କରେ, କିନ୍ତୁ ଲାଭ ସେହି ହିସାବରେ ପାଏ ନାହିଁ । ତାକୁ ସରକାରୀ ଖାତାରେ ଋଣ ମିଳେ ନାହିଁ, କୌଣସି ସୁବିଧା ମିଳେ ନାହିଁ । କାଳିଆ, ବଳିଆ କିଛି ନାହିଁ । ଭାଗ ଚାଷୀଙ୍କ କଥା ସରକାରଙ୍କ ଠିକ୍ ନିର୍ବାଚନ ପୂର୍ବରୁ ମନେ ପଡେ, ଭାଗଚାଷୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଆଇନ ଆସିବ କୁହାଯଏ । କିନ୍ତୁ ନିର୍ବାଚନ ସରିବା ପରେ ଏବେ ଆଉ ଭାଗଚାଷୀଙ୍କ ଦୁଃଖ ସରକାରଙ୍କୁ ଦିଶୁ ନାହିଁ । ୟେ ତ ଧାନଚାଷୀଙ୍କ କଥା । ଧାନ ବ୍ୟତୀତ ରାଜ୍ୟରେ ଅନ୍ୟ କୃଷିର ଆବଶ୍ୟକତା ବି ରହିଛି ।

ଏଠି ବାଦମ, ଡାଲି, ଗହମ କଥା ଛାଡିଦିଅନ୍ତୁ । ସେ ସବୁ ପାଇଁ ଆଣ ଚାଷୀଙ୍କୁ ପ୍ରୋତ୍ସାହନ ଦେବା, ସେମାନଙ୍କୁ ଅର୍ଥନୈତିକ ଦିଗରୁ ସମୃଦ୍ଧ କରିବା, ବର୍ଷର ବଳକା ଦିନ ପାଇଁ ସେମାନଙ୍କୁ କର୍ମ ଯୋଗାଇବା ଆଦି କଥା ଆମ ସରକାରଙ୍କ ମୁଣ୍ଡରେ ପଶେ ନାହିଁ । ଧାନ ଚାଷ ପରେ ଜମି ପଡିଆ ପଡେ, ଚାଷୀ ବି ଅଳ୍ପ ରୋଜଗାରରେ ଚଳିବାକୁ ବାଧ୍ୟ ହୁଏ । ଏପରିକି ପନିପରିବା, ଆଳୁ-ପିଆଜ, ମାଛ, ଅଣ୍ଡା, ଗୋପାଳନ ପାଇଁ ବି ଚାଷୀଙ୍କୁ ପ୍ରୋତ୍ସାହନ ମିଳୁନାହିଁ । ଦୈନନ୍ଦିନ ଜୀବନରେ ଏସବୁର ଆବଶ୍ୟକତା ରହିଛି । ନିଜର ଘରର ଆବଶ୍ୟକତା ମେଣ୍ଟାଇବାକୁ କେହି କେହି ବାଡି ବଗିଚାରେ କିଛି ବ୍ୟବସ୍ଥା କରନ୍ତି । କିନ୍ତୁ ଚାହିଦାର ସିଂହ ଭାଗ ପୂରା ହୁଏ ପଶ୍ଚିମବଂଗ, ଆନ୍ଧ୍ର ଦୟାରେ । ଆମର ଏଠି ପାଣିପାଗ, ମାଟି, ପବନ ଏସବୁ ପାଇଁ ସଂପୂର୍ଣ୍ଣ ଅନୁକୂଳ ହୋଇ ବି ଆମର କିଛି ହୁଏନି । ଯେଉଁଠି ହେଉଥିଲା ବା କାଁ ଭାଁ ହେଉଛି, ସେମାନଙ୍କ ପାଇଁ ସରକାରଙ୍କ କିଛି ବି ସୁବିଧା ନାହିଁ । ଏ ସବୁ ଚାଷ ହେଲା ଏହାକୁ ମହଜୁଦ ରଖିବାକୁ ଆମ ରାଜ୍ୟରେ ଶୀତଳଭଣ୍ଡାର ନାହିଁ । ଏହାକୁ ସଂରକ୍ଷଣ କରି ନ ପାରି ଆମ ରାଜ୍ୟର ଚାଷୀ ଅଭାବୀ ବିକ୍ରି କରେ, ରାସ୍ତାରେ ଫସଲକୁ ପକାଇ ପ୍ରତିବାଦ କରେ, ଆଉ ପୁଣି ଚଢା ଦରରେ ବାହାର ରାଜ୍ୟରୁ ଆସୁତିବା ସେହି ଫଓ,ଲ ଗୁଡିକୁ ଗ୍ରାହକ କିଣେ । ଏଠି ପଟାଟୋ ମିଶନ କଥା କୁହାଯାଏ । ବଡ ବଡ ଭାଷଣ ଦିଆଯାଏ । ଶେଷରେ ଆଳୁ ମିଶନରୁ ଆଳୁ ହିଁ ମିଳେ । କିଛି ବି କରାଯାଏନି । ଖାଲି ତୁଚ୍ଛା ଭାଷଣ, ରାତି ଅଧିଆ ନୋଟ୍ ଓ ମଦ ବୋତଲରେ ଭୋଟ୍ କିଣାଯାଏ ।

ଆମ ରାଜ୍ୟ ସରକାର କହୁଛନ୍ତି, ଓଡ଼ିଶା କୃଷି କ୍ଷେତ୍ରରେ ଦେଶରେ ନମ୍ବର ୱାନ । ସେଥିପାଇଁ ବାରମ୍ବାର ଆମେ କୃଷି କର୍ମଣ ପୁରସ୍କାର ପାଉଛୁ । ଆମ ଚାଷୀଙ୍କ ଏଭଳି ଦୁର୍ଦ୍ଦଶା ପରେ ବି ଆମେ କେମିତି ଦେଶରେ ଏତେଥର ନମ୍ବର ୱାନ ହେଉଛୁ, ଜାଣିବାକୁ ଉତ୍ସୁକ ହେଲୁ । ଦେଶର ଅନ୍ୟ ରାଜ୍ୟରେ ଆମଠାରୁ ବି ଖରାପ ସ୍ଥିତି କି ଜାଣିବାକୁ ଚାହିଁଲୁ । ଯେଉଁ ତଥ୍ୟ ଦେଖିଲୁ, ତାହା ଆମକୁ ଚକିତ କଲା । ଆମ ସରକାର କେବେ ବି ଆମକୁ ସେ କଥା କହିନାହାନ୍ତି । ଅଧିକାଂଶ ଲୋକେ ଏକଥା ଜାଣି ନ ଥିବେ, ଓଡ଼ିଶା କୃଷି କ୍ଷେତ୍ରରେ ଦେଶର ନମ୍ବର ୱାନ ରାଜ୍ୟ ଭାବେ କୃଷି କର୍ମଣ ପାଉ ନାହାନ୍ତି ।

ଦେଶର କୃଷି କ୍ଷେତ୍ରରେ ଆଗୁଆ ରାଜ୍ୟ ମାନଙ୍କୁ ନେଇ କ୍ୟାଟେଗୋରୀ ୱାନ୍ ରହିଛି । ଯେଉଁଥିରେ ଓଡ଼ିଶା ନାହିଁ । ଏଥିରେ ପଂଜାବ, ହରିୟାଣା, ପଶ୍ଚିମବଂଗ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଭଳି ରାଜ୍ୟ ରହିଛି । ଯେଉଁଠି ୧୦ ମିଲିୟନ ଟନରୁ ଅଧିକ ଫସଲ ଉତ୍ପାଦନ ହୁଏ । ଆମ ରାଜ୍ୟ କ୍ୟାଟେଗୋରୀ ଟୁ ରେ ରହିଛି । ଯେଉଁଠି ୧୦ ମିଲିୟନ ଟନରୁ କମ୍ ଶସ୍ୟ ଉତ୍ପାଦନ ହୁଏ । ମାନେ ଆମ ଦେଶର ଏକ ନମ୍ବର ହେବା ତ ଦୂରର କଥା ଆଗୁଆ ରାଜ୍ୟମାନଙ୍କ କ୍ୟାଟେଗୋରୀରେ ବି ନାହାନ୍ତି । ଓଡ଼ିଶା ସରକାର ଦୁଇ ନମ୍ବର କ୍ୟାଟେଗୋରୀର ରାଜ୍ୟମାନଙ୍କ ମଧ୍ୟରେ ପ୍ରଥମ ହୋଇ ଏଠି ପ୍ରଚାର କରୁଛନ୍ତି କି ସାରା ଦେଶରେ ପ୍ରଥମ ହୋଇଗଲେ ।

Leave a Reply

Your email address will not be published. Required fields are marked *