ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ୧୩ ଓ ୧୪ ତାରିଖରେ ପୁଣି ଥରାଇବ ଶୀତ । ଶନିବାର ରାତିରେ ଶୀତ କମିଥିଲା । ରବିବାର ବି ଶୀତ କମ୍ ରହିଛି କିନ୍ତୁ ମଙ୍ଗଳବାର ଓ ବୁଧବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପାରଦ ପୁଣି ତଳମୁହାଁ ହେବ । ଅଧିକ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ରବିବାର ରାତି ସୁଦ୍ଧା ଆଭ୍ୟନ୍ତରୀଣ ଓଡ଼ିଶାର ଆକାଶ ମେଘମୁକ୍ତ ରହିଛି । ସୋମବାର ସକାଳ ସୁଦ୍ଧା ଉପକୂଳ ଓଡ଼ିଶା ବି ମେଘମୁକ୍ତ ହୋଇଯିବ । ଆକାଶ ମେଘମୁକ୍ତ ହେବା ପରେ ଶୀତ ପୁଣି ବଢ଼ିବ ।
ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତା ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ । ଏହା ଶୀତ ବଢ଼ାଇବ । ତେବେ ଶନିବାର ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୬.୫ ଡିଗ୍ରୀ ଥିଲା । ଫୁଲବାଣୀରେ ୭, ରାଉରକେଲାରେ ୮, ଝାରସୁଗୁଡ଼ାରେ ୮.୩, ନବରଙ୍ଗପୁରରେ ୮.୫, ଜି ଉଦୟଗିରିରେ ପାରଦ ୯.୪ ଡିଗ୍ରୀ ଥିଲା । ଆକାଶକୁ ବାଦଲ ଘେରି ରହିଥିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଉପରମୁହାଁ ହେବାରୁ ଶୀତ କମିଯାଇଥିଲା । ରାଜଧାନୀରେ ଶୁକ୍ରବାର ରାତିରେ ପାରଦ ୧୦.୨ ଡିଗ୍ରୀ ଥିଲା । ଶନିବାର ଏହା ୧୭ କୁ ବଢ଼ିଥିଲା ।
