Before Header

ସମୀରଙ୍କୁ ହଠାତ୍ ବିଦାକରି ମନମୋହନଙ୍କୁ ସଭାପତି କରିବା ପଛର କାରଣ କ’ଣ?

0 871

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କିଛି ଚର୍ଚ୍ଚା ନ ଥିଲା । ଅଚାନକ ବଦଳିଗଲେ ସମୀର । ବିଜେପିର ନୂଆ ରାଜ୍ୟ ମୁଖିଆ ହେଲେ ମନମୋହନ । ମନମୋହନ ସାମଲ ବିଜେପିର ନୂଆ ରାଜ୍ୟ ସଭାପତି ହେଲେ ବୋଲି ଦଳର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଉଲ୍ଲେଖ ରହିଛି, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମନମୋହନ ସାମଲଙ୍କୁ ବିଜେପିର ଓଡ଼ିଶା ପ୍ରଦେଶର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ମନମୋହନ ସାମଲ ପୂର୍ବରୁ ମଧ୍ୟ ଦଳର ରାଜ୍ୟ ସଭାପତି ଥିଲେ । ଏହା ସହ ମେଣ୍ଟ ସରକାରରେ ସେ ରାଜସ୍ୱ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ରାଜ୍ୟସଭା ସାଂସଦ ଭାବେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି ।

୨୦୦୪ରେ ଧାମନଗରରୁ ସେ ବିଧାୟକ ହୋଇ ମନ୍ତ୍ରୀ ହୋଇଥିଲେ । ପରେ ବିବାଦୀୟ ସ୍ଥିତିରେ ସେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିଲେ । ସୀମାପୁନଃନିର୍ଦ୍ଧାରଣରେ ଧାମନଗର ସଂରକ୍ଷିତ ଆସନ ହେବା ପରେ ୨୦୦୯ରେ ଭଣ୍ଡାରିପୋଖରୀ, ୨୦୧୪ ଓ ୨୦୧୯ରେ ଚାନ୍ଦବାଲିରୁ ଲଢିଥିଲେ ବି ସେ ପରାଜିତ ହୋଇଛନ୍ତି । ତେବେ ମନମୋହନଙ୍କ ପାଖରେ ପ୍ରଚୁର ରାଜନୈତିକ ଅଭିଜ୍ଞତା ରହିଛି । ଦଳର ଚେହେରା ହୋଇ ଦଳକୁ ଆଗକୁ ନେବାରେ ସମସ୍ତ ଦକ୍ଷତା ରହିଛି ମନମୋହନଙ୍କ ପାଖରେ । ଏସବୁ ଭିତରେ ପ୍ରଶ୍ନ ଉଠୁଛି, ଅଚାନକ ସମୀର ବଦଳିଲେ କାହିଁକି? ତାଙ୍କ ବଦଳିବା ପଛରେ କ’ଣ କାରଣ ହୋଇପାରେ ? ଓଡ଼ିଶା ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନଙ୍କ ଅତିଖାସ୍ ଅନୁଗତ ଭାବେ ଜଣାଶୁଣା ସମୀର । ତାଙ୍କ ପରିବର୍ତ୍ତନ ନେଇ କୌଣସି ଆଲୋଚନା ବି ହେଉ ନ ଥିଲା । ହେଲେ ହଠାତ୍ ସେ ବଦଳିଗଲେ । ସମୀରଙ୍କ ନେତୃତ୍ୱରେ ଦଳ ପଞ୍ଚାୟତ ଓ ପୌର ନିର୍ବାଚନ ଲଢିଥିଲେ । ଦଳ ସାଙ୍ଘାତିକ ବିଫଳ ହୋଇଥିଲା । ତେବେ ଧାମନଗର ଉପନିର୍ବାଚନରେ ବିଜୟୀ ହୋଇଥିଲା । ହେଲେ ଏହି ବିଜୟର ବେଶି ଶ୍ରେୟ ଯାଇଥିଲା ମନମୋହନ ସାମଲଙ୍କ ନିକଟକୁ । ଏହାବାଦ୍ ସମୀରଙ୍କ ଫେସଭ୍ୟାଲୁକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଥିଲା । ଯଦିଓ ସେ ତୃଣମୂଳ ସ୍ତରରୁ ପାର୍ଟି ପାଇଁ କାମ କରିଥିବା ନେତା । ସମସ୍ତଙ୍କ ସହ ତାଙ୍କର ସୁସଂପର୍କ । ତେବେ ଶାସକ ବିଜେଡି ଓ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଶାଣିତ ସମାଲୋଚନାରେ ପଛରେ ରହିଯାଉଥିବା ଅଭିଯୋଗ ହୋଇଆସୁଥିଲା । ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ବିଜେପି-ବିଜେଡି ସଲାକୁସ୍ତି ଛାଡ଼ି ପୁଣି କଡ଼ା ଟକ୍କରକୁ ଓହ୍ଲାଇଛନ୍ତି ।

ଏଭଳି ସ୍ଥିତିରେ ଯେଉଁ ଢଙ୍ଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି ସେହି ଢଙ୍ଗରେ ପାର୍ଟି ଭିତରୁ ବିଜେଡିକୁ ସମାଲୋଚନା ହୋଇପାରୁ ନ ଥିଲା । ତେଣୁ ଦଳ ୨୦୨୪ ଲଢେଇ ସମୀରଙ୍କ ବଦଳରେ ମନମୋହନଙ୍କ ନେତୃତ୍ୱରେ ଲଢିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ବାହାରେ କୌଣସି ଚର୍ଚ୍ଚା ହେଉ ନ ଥିଲେ ବି ଦଳ ଏ ନେଇ ବେଶ୍ କିଛି ଦିନ ଧରି ମାନସମନ୍ଥନ କରୁଥିଲା । କିଛି ନାଁକୁ ନେଇ ଆଲୋଚନା ହେଉଥିଲା । ଶେଷରେ ପୂର୍ବତନ ସଭାପତି ମନମୋହନ ସାମଲଙ୍କୁ ଆଉଥରେ ଦାୟିତ୍ୱ ଦେଇ ତାଙ୍କ ଅନୁଭବ, ଅଭିଜ୍ଞତା ଏବଂ କଟ୍ଟର ନବୀନ ବିରୋଧୀ ଚେହେରାର ଲାଭ ନେବାକୁ ଦଳ ଚାହିଁଛି । ମନମୋହନ ସାମଲ ଖାଦ୍ୟ ଯୋଗାଣ ଓ ଖାଉଟି ମନ୍ତ୍ରୀ ଥିବାବେଳେ ରାଜ୍ୟରେ ୨ ଟଙ୍କିଆ ଚାଉଳର ବ୍ୟବସ୍ଥା କରିଥିଲେ ।

Leave A Reply

Your email address will not be published.