Before Header

ଅଜସ୍ର ଅଗ୍ନିକଣାରେ ପ୍ରସ୍ତୁତ ‘ବିଶ୍ୱଭବିଷ୍ୟବାଣୀ’ ପୁସ୍ତକ ଜର୍ନାଦୃତ

0 45
ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଅଜସ୍ର ଅଗ୍ନିକଣାରେ ପ୍ରସ୍ତୁତ ବିଶ୍ୱଭବିଷ୍ୟବାଣୀ ପୁସ୍ତକ ଜର୍ନାଦୃତ । ଗତକାଲି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରରେ ଏହି ପୁସ୍ତକ ଜର୍ନାଦୃତ ହୋଇଛି । ଏଥିରେ ବିଶିଷ୍ଟଲେଖକ, ଚିନ୍ତାନାୟକ ତଥା ସର୍ବଭାରତୀୟ ଶ୍ରମିକନେତା ମାୟାଧର ନାୟକଙ୍କ ବହୁଚର୍ଚ୍ଚିତ ପୁସ୍ତକ ‘ବିଶ୍ୱଭବିଷ୍ୟବାଣୀ’ ଭାରତର ନିର୍ବାଚନ କମିସନ୍‍ଙ୍କ ପ୍ରାକ୍ତନଉପଦେଷ୍ଟା, ଶିକ୍ଷାବିତ୍‍ ଓ ସମାଜସଂସ୍କାରକ ଡକ୍ଟର ଭଗବାନପ୍ରକାଶ, ବରିଷ୍ଠ ସାମ୍ବାଦିକ ତଥା ‘ସମାଜ’ର ପୂର୍ବତନ ସଂପାଦକ ପ୍ରଦୋଷ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ସୁଜ୍ଞାନ ଚୌଧୁରୀ, ଶିକ୍ଷାବିତ୍‍ ଓ ସମାଜସଂସ୍କାରକ ଶ୍ରୀମତୀ ଇନ୍ଦିରା ଦାସ, ମାୟାଧର ନାୟକ ଏବଂ ପ୍ରଖ୍ୟାତ ଚଳଚିତ୍ର ତାରକା ତଥା ପୂର୍ବତନ ବିଧାୟକ, କୋରେଇ ଓ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ଦ୍ୱାରା ଜନାର୍ପିତ ହୋଇଯାଇଛି । ପ୍ରାରମ୍ଭରେ ବିଶିଷ୍ଟ ନୃତ୍ୟଶିଳ୍ପୀ ସାଗରିକା ମହାନ୍ତି ଓ ସୋନାଲ ଆଚାର୍ୟ୍ୟ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।
ପୁସ୍ତକ ସଂପର୍କରେ ଲେଖକ ମାୟାଧର ନାୟକ କହିଲେ – ‘ବିଶ୍ୱଭବିଷ୍ୟବାଣୀ’ କେବଳ ଓଡିଶାର ମାଠିଆ ଭିତରେ ସୀମିତ ନରହି ମହାବିଶ୍ୱକୁ ବିଭିନ୍ନ ଭାଷାରେ ଅନୁଦିତ ହୋଇ ପରିବ୍ୟାପ୍ତ ହେବ । ସୀମାରୁ ଅସୀମକୁ ଯାତ୍ରା କରିବ, ବିଶ୍ୱମାନସର ପ୍ରାଣତନ୍ତ୍ରୀରେ ତାନ୍‍ତରଙ୍ଗ ସୃଷ୍ଟିକରିବ । ଏ ବିଶ୍ୱଭବିଷ୍ୟବାଣୀ ଅଜସ୍ର ଅଗ୍ନିକଣାରେ ପ୍ରସ୍ତୁତ ଗୋଟାଏ ଭବିଷ୍ୟତର ପରମାଣୁ ବୋମା – ଏ ପରମାଣୁ ବୋମା ଛାରଖାର କରିଦେଇପାରେ ରାକ୍ଷସରାଜ୍‍ର ଛତ୍ରଛାଉଣୀ । ଏ ପୁସ୍ତକରେ ଅତିତର ଇତିହାସ, ବର୍ତ୍ତମାନର ସ୍ଥିତି, ଭବିଷ୍ୟତର ସମୟକୁ ନେଇ ଏ ମହାମନ୍ତ୍ର ବୋଲି ଶ୍ରୀ ନାୟକ କହିଥିଲେ ।
ମୁଖ୍ୟଅତିଥି ଭଗବାନପ୍ରକାଶ କହିଲେ – ମାୟାଧର ନାୟକଙ୍କ ‘ବିଶ୍ୱଭବିଷ୍ୟବାଣୀ’ ପୁସ୍ତକଟି ପାରମ୍ପାରିକ ଧାରାକୁ ତ୍ୟାଗକରି ଛୋଟଛୋଟ ଅଧ୍ୟାୟର ପରିପାଟିରେ ସଜ୍ଜିତ ଓ ସରଳ ଭାଷାରେ ପରିବେଷିତ ଗୋଟିଏ ଅତି ଉପାଦେୟ ଗ୍ରନ୍ଥ । ଏ ପୁସ୍ତକ ବିରଳ ଓ ଏହା ଉତ୍ତରପିଢୀକୁ ମାର୍ଗଦର୍ଶନ କରିବ । ସମ୍ମାନୀତ ବକ୍ତା ଶ୍ରୀ ଚୌଧୁରୀ କହିଲେ – ‘ବିଶ୍ୱଭବିଷ୍ୟବାଣୀ’ ପୁସ୍ତକ ମାୟାଧରବାବୁଙ୍କୁ ଏକବିଂଶ ଶତାଦ୍ଦୀର ବିଶିଷ୍ଟ ଚିନ୍ତାନାୟକ ଭାବେ ପ୍ରତିପାଦିତ କରୁଛି । ଏ ପୁସ୍ତକରେ ସେ ସାରାବିଶ୍ୱର ଅର୍ଥନୈତିକ, ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଅବକ୍ଷୟର କରୁଣ ଚିତ୍ର ଆଙ୍କିଦେଇଛନ୍ତି । ନଷ୍ଟ୍ରାଦାମୁସ୍‍, ହାଡିଦାସ ମାଳିକା ଓ ବିଶ୍ୱର ବୈଜ୍ଞାନିକମାନଙ୍କ ବାଣୀକୁ ଗଭୀରଭାବେ ଗବେଷଣାକରି ଆଗାମୀଦିନରେ ମାନବସମାଜକୁ ବଂଚିବାର ରାସ୍ତା ଦେଖାଇଛନ୍ତି । ଶିକ୍ଷାବିତ୍‍ ଶ୍ରୀମତୀ ଦାସ ଭାବବିହ୍ୱଳହୋଇ କହିଲେ – ମୋ ସ୍ୱାମୀ ମାୟାଧରବାବୁଙ୍କୁ ‘ବିଶ୍ୱଭବିଷ୍ୟବାଣୀ’ ଲେଖିବାରେ ଆମ ସମଗ୍ର ପରିବାର ପୂର୍ଣ୍ଣପ୍ରାଣରେ ସହଯୋଗ କରିଛୁୁ । ଆଶା ଓ ବିଶ୍ୱାସ ଏ ପୁସ୍ତକଟି ସାରାବିଶ୍ୱରେ ଆଦୃତ ହେବ ।
ମୁଖ୍ୟବକ୍ତା ଶ୍ରୀ ପଟ୍ଟନାୟକ ତାଙ୍କ ସାରଗର୍ଭକ ଭାଷଣରେ କହିଲେ – ‘ବିଶ୍ୱଭବିଷ୍ୟବାଣୀ’ ପୁସ୍ତକ ସାରାବିଶ୍ୱର ଜନଗଣଙ୍କ ପାଇଁ ଏକ ଅମୂଲ୍ୟ ସଂପଦ । ମାୟାଧରବାବୁ କେବଳ ଜଣେ ଭବିଷ୍ୟଦ୍ରଷ୍ଟା ନୁହଁନ୍ତି – ସେ ଏକାଧାରାରେ ବିପ୍ଲବୀ, ଶ୍ରମିକନେତା, ସାମ୍ବାଦିକ, ଔପନ୍ୟାସିକ ଓ ବହୁ ଗଣଆନ୍ଦୋଳନର ପଥପ୍ରଦର୍ଶକ । ତାଙ୍କ ସଂଗେ ମୋର ୧୯୬୭ ମସିହାରୁ ଘନିଷ୍ଠତା ଆଜିପର୍ୟ୍ୟନ୍ତ ରହିଛି ଓ ତାଙ୍କର ସମସ୍ତ କାର୍ୟ୍ୟକଳାପକୁ ଦୂରରୁ ଏବଂ ପାଖରେ ମୁଁ ଦେଖିଛି । ସେଇଭଳି ଜଣେ ମଣିଷ ଖୋଜିପାଇବା ଅତ୍ୟକ୍ତ କାଠିକର ପାଠ । ଏ ପୁସ୍ତକଟି ଓଡିଶାରୁ ଇଂରାଜୀ ଆଦି ସବୁ ଭାଷାରେ ଅନୁଦିତ ହୋଇ ବିଶ୍ୱପରିକ୍ରମା କରିବବୋଲି ଦୃଢ ବିଶ୍ୱାସ ।
ଏହି ଜର୍ନାଦୃତ ଉତ୍ସବରେ ଅଧ୍ୟକ୍ଷତା କରି ଶ୍ରୀ ଦାସନାୟକ କହିଲେ – ବାପା ୫୫ଟି ପୁସ୍ତକ ଲେଖିଥିଲେ ମଧ୍ୟ କେବେ କୌଣସି ପୁସ୍ତକ ଲୋକାର୍ପିତ କରିନଥିଲେ । କିନ୍ତୁ ଏହି ‘ବିଶ୍ୱଭବିଷ୍ୟବାଣୀ’ ପୁସ୍ତକଟି ଆଜି ଜନାର୍ପିତ ହୋଇଛି । ଏହା ଓଡିଶାର ଜନଗଣଙ୍କୁ ନିଶ୍ଚୟ ସୁପଥ ଦେଖାଇବ ବୋଲି ମୋର ବିଶ୍ୱାସ । ଶେଷରେ ପ୍ରଫେସର ସୁକାନ୍ତ ରାଉତ ଧନ୍ୟବାଦ ଦେବା ଅବସରରେ କହିଲେ –‘ବିଶ୍ୱଭବିଷ୍ୟବାଣୀ’ ପୁସ୍ତକଟି ସମଗ୍ର ବିଶ୍ୱପାଇଁ ଏକ ସତର୍କବାଣୀ ।
Leave A Reply

Your email address will not be published.