Before Header

ଦିନମଜୁରିଆ ମହିଳା ଙ୍କ ଆବାସ ଯୋଜନା ଘର ଟଙ୍କା ହଡ଼ପ !

ସୁନିତା ର ଘର ଟଙ୍କା ଗଲା କୁଆଡେ ?

0 21

ରାଜଗାଙ୍ଗପୁର : ସରକାରଙ୍କ ମାଳ ମାଳ ଯୋଜନା । କିନ୍ତୁ ସରକାରୀ ଯୋଜନା ଗରିବଙ୍କ ପାଖରେ ପହଞ୍ଚିବା ଆଗରୁ ହେଉଛି ବାଟ ମାରଣା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁଟଣିଆ ପଞ୍ଚାୟତ ର ବିର୍ଶା ପଡାରେ । ଏଠାରେ ସୁନିତା ମାଝୀ ନାମକ ଜଣେ ବିଧବା ମହିଳା ନିଜ ଦୁଇ ସନ୍ତାନଙ୍କ ସହ ବସବାସ କରନ୍ତି । ଦୀର୍ଘ ୧୧ ବର୍ଷ ତଳେ ସ୍ୱାମୀ ସୁଶୀଲ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନିତା ଦିନ ମଜୁରିଆ ଭାବରେ କାମ କରି ନିଜର ଏବଂ ଦୁଇ ଛୋଟ ସନ୍ତାନଙ୍କ ଭରଣ ପୋଷଣ କରନ୍ତି । ସ୍ୱାମୀ ଚାଲିଗଲା ପରେ ବହୁ ବର୍ଷର ପୁରୁଣା ମାଟି ଘର ଟି ମଧ୍ୟ ଭାଙ୍ଗି ଯାଇଥିଲା । ଅର୍ଥ ଅଭାବରୁ ଘର ମରାମତି କରି ନ ପାରି ଶେଷରେ ପର ଘରେ ଦୁଇ ସନ୍ତାନଙ୍କୁ ଧରି ମୁଣ୍ଡ ଗୁଞ୍ଜି ଥିଲେ ଓ ବିଜୁ ପକ୍କା ଘରଟିଏ ପାଇଁ ଆବେଦନ କରିଥିଲେ । ଅନେକ ଦୌଡାଦୌଡ଼ି କରିବା ପରେ ଘର ଖଣ୍ଡେ ନିର୍ମାଣ ପାଇଁ ମଞ୍ଜୁରୀ ପାଇଲେ । ଧାର ଉଧାର କରି ଆରମ୍ଭ କଲେ ଘର ନିର୍ମାଣ । କିଛି ଦିନ ପରେ ଘର ବାବଦରେ ପ୍ରଥମ କିସ୍ତି ଭାବରେ ୧୫ହଜାର ଟଙ୍କା ବ୍ୟାଙ୍କ ଖାତାରେ ଆସିଥିଲା । ଘର କାମ ଶୀଘ୍ର ସରିବା ପାଇଁ ସୁନିତା ଟଙ୍କା କରଜ କରି କାମ କରି ଚାଲିଲେ । ଘର କାର୍ଯ୍ୟ ଛାତ ପର୍ଯ୍ୟନ୍ତ ପହଞ୍ଚିବା ପାଖାପାଖି ହେଲା ବେଳକୁ ସ୍ଥାନୀୟ ଅଧିକାରୀ ଆସି ଘରର ଫୋଟୋ ଉଠାଇ ନେବା ସହ ଦ୍ୱିତୀୟ କିସ୍ତି ଶୀଘ୍ର ଆସିଯିବ ବୋଲି କହିଥିଲେ । କିନ୍ତୁ ମାସ ପରେ ମାସ ବିତିଗଲା ଘର ଟଙ୍କା ଆସିଲା ନାହିଁ । ଅଧିକାରୀଙ୍କ ଠାରୁ କେବଳ ମିଳିଲା ମିଛ ଆଶ୍ୱାସନା । ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ଦୌଡ଼ି ନୟାନ୍ତ ହୋଇ ପଡିଲେ ସୁନିତା । ଅଧିକାରୀ ବ୍ୟାଙ୍କ ଖାତାରେ ଟଙ୍କା ଚାଲିଯାଇଛି କହିଲେ ସୁନିତା ବ୍ୟାଙ୍କକୁ ଯାଇ ନିଜ ଏକାଉଣ୍ଟ ଦେଖିଲା ବେଳକୁ ଟଙ୍କା ଆସିନାହିଁ ।ଏପରି ଭାବରେ ଦୀର୍ଘ ୬ ବର୍ଷ ବିତିଗଲା ପରେ ଅଧିକାରୀ କହିଲେ ତୁମ ଟଙ୍କା ଫେରିଯାଇଛି । ଏହା ଶୁଣି ସୁନିତା ଭାଙ୍ଗି ପଡିଲା । ତା ଘର ର ସ୍ୱପ୍ନ ସପ୍ନ ହୋଇ ରହିଗଲା । ଯାହାଙ୍କ ଠାରୁ ଧାର ଉଧାର କରି ବାଲି, ଗୋଡି , ସିମେଣ୍ଟ ଓ ଇଟା ଆଣି ଥିଲା ସେମାନେ ଟଙ୍କା ମାଗିବା ଆରମ୍ଭ କଲେ । ପର ଘରେ କାମ କରି ଦିନକୁ ଦି ଓଳି ଖାଇବା ପାଇଁ ସଂଘର୍ଷ କରୁଥିବା ବିଧବା ମହିଳା ସୁନିତାଙ୍କ ଜୀବନ ଦୁର୍ବିସହ ହୋଇପଡିଛି ।
ଘର ପାଇବାର ଛଅ ବର୍ଷ ବିତି ଯାଇଥିବା ବେଳେ ସୁନିତା ଘର ଟଙ୍କା କାହିଁକି ଏ ପର୍ଯ୍ୟନ୍ତ ମିଳିଲା ନାହିଁ ତାର ତଦନ୍ତ କରିବାରୁ ଜଣା ପଡିଲା ଯେ ତା ଘର ପାଇଁ ଆସିଥିବା ୭୫୦୦୦ ରାଶିରୁ ରୁ ୧୫ ହଜାର ଟଙ୍କା ୧୧-୧୧-୨୦୧୪ (ଚେକ ନଂ ୩୪୨୩୧୯ )ରେ ସୁନିତା ଏକାଉଣ୍ଟରେ ଆସିଥିବା ବେଳେ ବକେୟା ୬୦ ହଜାର ଟଙ୍କା ଦୁଇଟି କିସ୍ତିରେ ୫୦,୦୦୦/-ଟଙ୍କା ୧୨-୦୮-୧୫ ତାରିଖରେ ( ଚେକ ନଂ ୪୨୪୫୨୮ ) ଏବଂ ତୃତୀୟ କିସ୍ତି ୧୦,୦୦୦/-ଟଙ୍କା ୨୩/୧୧/୨୦୧୫ ତାରିଖରେ( ଚେକ ନଂ ୫୨୪୫୨୫) ସରକାରୀ ଭାବରେ ପ୍ରଦାନ କରାଯାଇଥିବା ଉଲ୍ଲେଖ ରହିଛି । ଘର ସମ୍ପୂର୍ଣ ହୋଇଯାଇଛି ବୋଲି ସରକାରୀ ଭାବରେ କାଗଜ ପତ୍ରରେ ଦର୍ଶାଯାଇଛି । ସୁନିତା ର କହିବା କଥା ହେଲା ତାଙ୍କ ବ୍ୟାଙ୍କ ଖାତାରେ ପ୍ରଥମ କିସ୍ତିର ମାତ୍ର ୧୫ହଜାର ଟଙ୍କା ଆସିଥିବା ବେଳେ ବାକି ଦୁଇଟି କିସ୍ତିର ୬୦ ହଜାର ଟଙ୍କା ତାଙ୍କ ଖାତାକୁ ପହଞ୍ଚି ନାହିଁ । ଏଠି ପ୍ରଶ୍ନ ଉଠୁଛି ୬୦ହଜାର ଟଙ୍କା ଗଲା କୁଆଡେ ? ବାସ୍ତବ ରେ ଘର ଅଧପନ୍ତରିଆ ହୋଇ ପଡିରହିଥିବା ବେଳେ ସରକାରୀ ଭାବରେ ସମ୍ପୂର୍ଣ ହୋଇଛି ବୋଲି ମିଥ୍ୟା ତଥ୍ୟ ଦେଲା କିଏ ? ଏ ନେଇ ଖୋଳ ତାଡ଼ କରିବାରୁ ସରକାରୀ ୱେବ ସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଜଣା ପଡିଲା ସେହିଁ ସମୟର କୂଟଣିଆ ପଞ୍ଚାୟତର ସମ୍ପୃକ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପକ କୁମାର ପାଣ୍ଡେ ଘର ପରିଦର୍ଶନ ରେ ଦୁଇ ଥର ଆସି ୧୨/୦୮/୧୫ ଘର ଲିଣ୍ଟଲ ସ୍ତର ରେ ଥିବା ଏବଂ ୧୯/୧୧/୧୫ରେ ସୁନିତାଙ୍କ ଘର ନିର୍ମାଣ ସମ୍ପୂର୍ଣ ହୋଇଥିବା ନେଇ ସରକାରୀ ଭାବରେ ରିପୋର୍ଟ ପ୍ରଦାନ କରିଛନ୍ତି । ସମସ୍ତ ଦସ୍ତାବିଜ ସହ ଆମେ ଏ ନେଇ ଗୋଷ୍ଟି ଉନ୍ନୟନ କାର୍ଯ୍ୟାଳୟ ରେ ସମସ୍ତ ତଥ୍ୟକୁ ଯାଞ୍ଚ କରିଥିଲୁ । ଏହି ମାମଲାରେ ଟଙ୍କା ପକୃତ ହିତାଧିକାରୀଙ୍କୁ ମିଳି ନ ଥିବା ନେଇ ଆମେ ରାଜଗାଙ୍ଗପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ଏ ବିଷୟରେ ଅବଗତ କରିବା ସହ ତାଙ୍କ ଠାରୁ ଏ ବାବଦରେ ପଚାରି ବୁଝିଥିଲୁ ।

ସୁନିତା ର ଘର ଟଙ୍କା ଗଲା କୁଆଡେ ? ଏମିତି ଆଉ କେତେ ସୁନିତା ଅଛନ୍ତି ଯାହାଙ୍କ ଟଙ୍କା ହଡପ ହୋଇଛି ? ଏହାର ବିଧିବଦ୍ଧ ଭାବରେ ତଦନ୍ତ ହେଲେ ପକୃତ ତଥ୍ୟ ପଦାକୁ ଆସିବ । ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ଗରିବ ବିଧବା ମହିଳାଙ୍କୁ ତାଙ୍କ ହକ୍ ପ୍ରଦାନ କରାଯାଉ ଏବଂ ପକୃତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସ୍ଥାନୀୟ ଜନ ସାଧାରଣ ଦାବି ଜଣାଇଛନ୍ତି ।

Leave A Reply

Your email address will not be published.