ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ପୋଲିସର ଏନକାଉଣ୍ଟର, ଦୁର୍ଦାନ୍ତ ଅପରାଧୀ ଆହତ । ଆଜି ଭୋର 5.45 ରେ ଏନକାଉଣ୍ଟର ହୋଇଥିବା ସୂଚନା । ସମ୍ବଲପୁର ସଦର ଥାନା ଅନ୍ତର୍ଗତ କେନାଲ ରୋଡ୍, ସୁଡୁଙ୍ଗା ଜଙ୍ଗଲ ନିକଟ ରେ ଏନକାଉଣ୍ଟର ହୋଇଥିବା ସୂଚନା । ଅଭିଯୁକ୍ତ ମହମ୍ମଦ ଇରଫାନ (ସୁନାପାଲି)ଙ୍କ ନାମରେ ଡକାୟତି, ରାହାଜାନି, ଆଲୁମିନିୟମ ତାର ଚୋରି, ଚୋରି ଏବଂ ନିଶାକାରବାର ଭଳି 24 ରୁ ଅଧିକ ଅପରାଧିକ ମାମଲା ରହିଥିବା ପୋଲିସ ର ସୂଚନା ।
ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଲେ ଅତିରିକ୍ତ ଏସପି ଶଶାଙ୍କ ଶେଖର ବେଉରା । ଅଜି ଭୋର 5 ଟା ବେଳେ ସମ୍ବଲପୁର ସଦର ଥାନା ପୋଲିସ କର୍ମଚାରୀମାନେ ସୁଡୁଙ୍ଗା ଜଙ୍ଗଲ ନିକଟରେ ଏକ କଳା ରଙ୍ଗର ବାଜାଜ ପଲସର ମୋଟରସାଇକେଲରେ ଯାଉଥିବା ମହମ୍ମଦ ଇରଫାନ ଏବଂ ତାଙ୍କର ୨ ଜଣ ସହଯୋଗୀଙ୍କୁ ଅଟକାଇଥିଲେ। ଅଟକାଇବା ସମୟରେ ପୋଲିସ ଟିମ୍ ୨ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ମାତ୍ର ମହମ୍ମଦ ଇରଫାନ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ ।
ଖସିଯିବା ସମୟରେ ସେ ପୋଲିସ ଟିମ୍ ଉପରକୁ ପ୍ରଥମେ ଗୁଳିଚାଳନା କରିଥିଲେ । ଆତ୍ମରକ୍ଷା ପାଇଁ ପୋଲିସ ଟିମ୍ ପକ୍ଷରୁ ନିୟନ୍ତ୍ରିତ ପାଲଟା ଗୁଳିଚାଳନା କରାଯାଇଥିଲା, ଯେଉଁଥିରେ ଇରଫାନଙ୍କ ବାମ ଗୋଡ଼ରେ ଗୁଳି ବାଜିଥିଲା । ସୂଚନା ଅନୁସାରେ ଇରଫାନ 3 ତି ଗୁଳି ଚଲେଇ ଥିବା ବେଳେ ପୋଲିସ 2 ରାଉଣ୍ଡ ଗୁଳି ମାରିଥିଲା । ଏହି ଘଟଣା ରେ ପୋଲିସ 1ଟି ପିସ୍ତୁଲ, କିଛି ଜୀବନ୍ତ ଗୁଳ, ୩ଟି ଖାଲି କୋଖା (Empty cartridges), ବ୍ୟବହୃତ ବାଜାଜ ପଲସର ମୋଟରସାଇକେଲ ଜବତ କରିଛି । ବର୍ତ୍ତମାନ ଆହତ ଅଭିଯୁକ୍ତ ମହମ୍ମଦ ଇରଫାନଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ବୁର୍ଲା ସ୍ଥିତ ଭୀମସାର (VIMSAR) ରେ ଭର୍ତ୍ତି କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
