ବୌଦ୍ଧ (ବଡ଼ ଖବର ବ୍ୟୁରୋ): ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଦଣ୍ଡ । ଦଣ୍ଡ ଦେଲେ ଖେଳ ଶିକ୍ଷକ। ଶିକ୍ଷକଙ୍କ ମାଡ଼ରେ ଗୁରୁତର ସପ୍ତମ ଶ୍ରେଣୀ ଛାତ୍ର ବୈଭବ ମହାକୁଡ଼ । ବୌଦ୍ଧ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ଏକ ବାଡ଼ି ଯୋଗେ ମାଡ ମାରିଥିବା ପରିବାର ଲୋକଙ୍କ ଅଭିଯୋଗ । ଗୁରୁତର ଅବସ୍ଥାରେ ବୌଦ୍ଧ ମେଡିକାଲରେ ଛାତ୍ରଙ୍କୁ ଭର୍ତ୍ତି କରାଯାଇଛି । ଅଭିଯୋଗ ଅନୁଯାୟୀ ବହିରା ଗ୍ରାମର ସସ୍ମିତା ଜେନାଙ୍କ ୧୨ ବର୍ଷୀୟ ପୁଅ ବୈଭବ ମହାକୁଡ଼ ନବୋଦୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିଲେ। ଆଜି ସକାଳୁ ଖେଳ ଶିକ୍ଷକ ଖେଳ କ୍ଲାସ କରୁଥିବା ବେଳେ ଛାତ୍ର ଜଣକ ଅମାନିଆ ହୋଇଥିଲା । ଶିକ୍ଷକ ଆଜାଦ୍ ଶତପଥୀ ଉତ୍ୟକ୍ତ ହୋଇ ଛାତ୍ରଙ୍କୁ ବାଡ଼ିରେ ନିର୍ଦ୍ଧୁମ ମାଡ଼ ମାରିଥିଲେ ।
ଶିକ୍ଷକଙ୍କ ମାଡ଼ରେ ଛାତ୍ର ଜଣକ ଗୁରୁତର ହୋଇଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଙ୍କୁ ଉଦ୍ଧାର କରି ବୌଦ୍ଧ ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଛାତ୍ରଙ୍କ ହାତ ଏବଂ ଗୋଡ଼ରେ ଆଘାତ ଲାଗିଥିବା ବେଳେ ଦାନ୍ତ ଗୁଡ଼ିକ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ସେପଟେ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗକୁ ପ୍ରିନ୍ସିପାଲ ସ୍ୱୀକାର କରିଥିବା ବେଳେ ଉକ୍ତ ଶିକ୍ଷକ ଜଣକ ପୂର୍ବରୁ ମଧ୍ୟ ଏଭଳି ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିବା ନେଇ ନଜିର ରହିଥିବା କହିଛନ୍ତି। ତେବେ ଏ ଘଟଣାକୁ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ଏବଂ ଶିକ୍ଷକଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରିନ୍ସିପାଲ କହିଛନ୍ତି।
