ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆର୍ଜେଣ୍ଟିନାରେ ଆଟ୍ଲାଣ୍ଟିକ୍ ମହାସାଗର ରହସ୍ୟମୟ ଢଙ୍ଗରେ ଉଭାନ୍ ହୋଇଗଲା ସମୁଦ୍ର! ଜଳସ୍ତର ଏତେ କମିଗଲା ଯେ ସମୁଦ୍ର ତଳର ଚଟାଣ ଦୃଶ୍ୟମାନ ହେଲା । ଭିଡିଓରେ ସମୁଦ୍ର ତଳର ଏକ ବିଶାଳ ଅଂଶ ଦେଖାଯାଉଛି, ଯେଉଁଠି ଜାହାଜ ଓ ଡଙ୍ଗା ସମୁଦ୍ର ତଳେ ଚଟାଣରେ ଠିଆ ହୋଇଥିବା ଦେଖାଯାଉଛି । ଏହା ଦ୍ୱାରା ସେ କ୍ଷେତ୍ରରେ ଏକ ରହସ୍ୟମୟୀ ଟାପୁ ଭଳି ସ୍ଥାନ ବି ଦେଖିବାକୁ ମିଳିଛି । କିଛି ଏହାକୁ ପ୍ରଳୟର ସଙ୍କେତ ବୋଲି ଦାବି କରିଛନ୍ତି ।
ଏହି ଘଟଣା ଆର୍ଜେଣ୍ଟିନାର ମାର୍ ଡେଲ୍ ପ୍ଲାଟା ନିକଟର। ଅସ୍ୱାଭାବିକ ଭାବେ କମ୍ ଜୁଆର ସମୟରେ ସମୁଦ୍ର ଜଳ ବହୁତ ପଛକୁ ଚାଲିଯାଇଥିଲା। ଫଳରେ ସାଧାରଣତଃ ପାଣି ତଳେ ରହୁଥିବା ‘ରେଷ୍ଟିଂଗା ଡେଲ୍ ଫାରୋ’ ନାମକ ବିଶାଳ ପଥୁରିଆ ଭୂମି ଦେଖାଯାଇଥିଲା। ଦୂରରୁ ଦେଖିଲେ ଏହା ଏକ ନୂଆ ଦ୍ୱୀପ ଭଳି ଲାଗୁଥିଲା। ତେବେ ସମୁଦ୍ରରେ କାହିଁକି ଏତେ ଜୁଆର ଆସିବାରୁ ପଛକୁ ଚାଲିଗଲା ? ତା’ ସ୍ବଷ୍ଟ ଭାବେ ଜଣାପଡ଼ିନାହିଁ। ହେଲେ ବିଶେଷଜ୍ଞଙ୍କ ମତ ଅନୁସାରେ ପ୍ରବଳ ପବନ, ବାୟୁମଣ୍ଡଳୀୟ ଚାପ ଓ କମ୍ ଜୁଆର ଏହାର ମୁଖ୍ୟ କାରଣ ହୋଇପାରେ। ଏହା କୌଣସି ବିପଦ ନୁହେଁ। ଜୁଆର ଚକ୍ର ସ୍ୱାଭାବିକ ହେବା ପରେ ସମୁଦ୍ର ପୁଣି ଫେରିଆସିଥିଲା। ରହସ୍ୟମୟ ଦ୍ୱୀପଟି ମଧ୍ୟ ପୁଣି ସମୁଦ୍ର ଗର୍ଭରେ ଲୁଚିଗଲା।
ବ୍ୟୁନସ ଆୟର୍ସରେ ସମୁଦ୍ର ଜଳସ୍ତର ହ୍ରାସର ଅନେକ କାରଣ ଚର୍ଚ୍ଚା ହେଉଛି । ତଟରୁ ସମୁଦ୍ର ଅଭିମୁଖେ ପ୍ରବାହିତ ଦ୍ରୁତ ପବନ ତଟବର୍ତ୍ତୀ ଜଳକୁ ଦୂରକୁ ଠେଲିପାରେ । ଏହା ଦ୍ୱାରା ସମୁଦ୍ର ଜଳସ୍ତର ଜୁଆର-ଭଟ୍ଟା ସମୟରେ ଖୁବ୍ କମିଯାଇପାରେ । ବାୟୁମଣ୍ଡଳୀୟ ଚାପକୁ ମଧ୍ୟ ଏକ କାରଣ ବୋଲି କୁହାଯାଉଛି, ଯାହା ଦ୍ୱାରା ସାମୁଦ୍ରିକ ଜଳସ୍ତରରେ ଅସ୍ଥାୟୀ ପରିବର୍ତ୍ତନ ହୋଇପାରେ । ନିମ୍ନ ଜୁଆର ସମୟରେ ମଧ୍ୟ ତଟବର୍ତ୍ତୀ ଜଳସ୍ତର ଦ୍ରୁତ ବେଗରେ କମିପାରେ ।
