ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୧୯୮୦ ଦଶକ—ଯେତେବେଳେ ନା ଥିଲା ସ୍ମାର୍ଟଫୋନ୍, ନା ଥିଲା ଇଣ୍ଟରନେଟ୍ କି ସୋସିଆଲ୍ ମିଡିଆ। ତଥାପି, ଆଜିକାଲିର ସୋସିଆଲ୍ ମିଡିଆ (ଫେସବୁକ୍, ଇନଷ୍ଟାଗ୍ରାମ୍, ଏକ୍ସ, ୟୁଟ୍ୟୁବ୍) ରେ ୧୯୮୦ ଦଶକକୁ ନେଇ ଏକ ଅଦ୍ଭୁତ କ୍ରେଜ୍ ବା “ନୋଷ୍ଟାଲଜିଆର ଝଡ଼” ଦେଖିବାକୁ ମିଳୁଛି । ‘ସୋସିଆଲ୍ ମିଡିଆ’ କିମ୍ବା ‘ଇଣ୍ଟରନେଟ୍’ ଭଳି ଶବ୍ଦ ସହିତ କାହାର ପରିଚୟ ନଥିଲା । ଟେଲିଫୋନ୍ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବା, ଚିଠି ମାଧ୍ୟମରେ ଖବର ପଠାଇବା, ଏବଂ ସଞ୍ଜ ନଇଁଲେ ରେଡିଓ କିମ୍ବା ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଟିଭି ଚାରିପାଖରେ ପରିବାର ଏକାଠି ବସିବା ଥିଲା ସେହି ସମୟର ବାସ୍ତବତା ।
ମାତ୍ର ଆଜିର ୨୧ଶ ଶତାବ୍ଦୀର ଡିଜିଟାଲ୍ ଯୁଗରେ, ସାମାଜିକ ଗଣମାଧ୍ୟମ (ଫେସବୁକ୍, ଇନଷ୍ଟାଗ୍ରାମ୍, ୟୁଟ୍ୟୁବ୍, ଏକ୍ସ, ଓ ଥ୍ରେଡ୍ସ) ରେ ୧୯୮୦ ଦଶକକୁ ନେଇ ଏକ ଅଦ୍ଭୁତ ଆଲୋଡ଼ନ କିମ୍ବା “ନୋଷ୍ଟାଲଜିଆର ଝଡ଼” ଦେଖିବାକୁ ମିଳୁଛି। ଆଜିର ପିଢ଼ି, ଯିଏ ସେହି ସମୟକୁ ଦେଖିନାହାନ୍ତି, ସେମାନେ ମଧ୍ୟ ଏହି ୮୦ ଦଶକର ଜୀବନଶୈଳୀ ଓ ସଂସ୍କୃତି ପ୍ରତି ଗଭୀର ଭାବେ ଆକୃଷ୍ଟ ହେଉଛନ୍ତି । ୮୦ ଦଶକର ପୁରୁଣା ଆଲବମ୍, ଷ୍ଟ୍ରିଟ୍ ଫୋଟୋଗ୍ରାଫି, କାସେଟ୍ ପ୍ଲେୟାର୍ (Tape Recorder), ଏବଂ ଟାଇପରାଇଟରର ଭିଡିଓଗୁଡ଼ିକ ଆଜି ଲକ୍ଷ ଲକ୍ଷ ଭ୍ୟୁ ପାଉଛି।
ଏଆଇ ସାହାଯ୍ୟରେ ଚାଟ୍ ଜିପିଟି ବ୍ୟବହାର କରି ସମସ୍ତେ ନିଜ ଫଟୋକୁ ଏଭଳି ୮୦ ଦଶକର ରେଟ୍ରୋ ଲୁକ୍ ଦେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି । ଏଆଇ ବି ଫଟୋକୁ ଏମିତି ଲୁକ୍ ଦେଉଛି, ଦେଖିଲେ ଲାଗୁଛି ଫଟୋଟି ସତେ ଯେମିତି ୮୦ ଦଶକରେ ନିଆଯାଇଥିଲା । ଜଣେ ବ୍ୟକ୍ତିଙ୍କ ପୋଷାକ, କେଶସଜ୍ଜା, ପୋଜ୍, ପରିବେଶ, ଆଲୋକ ସହ ମୁହଁକୁ ସାମାନ୍ୟ ପରିବର୍ତ୍ତନ କରିବା, ପୁରୁଣା ପାରିବାରିକ ଫଟୋଗ୍ରାଫ, ବଲିଉଡ୍ ପବ୍ଲିସିଟି ଷ୍ଟିଲ୍, ପତ୍ରିକା ପୋଟ୍ରେଟ୍, ବିବାହ ଫଟୋଗ୍ରାଫ କିମ୍ବା କ୍ଲାସିକ୍ ଷ୍ଟୁଡିଓ ଫଟୋଗ୍ରାଫ ଭାବରେ ଷ୍ଟାଇଲ୍ କରିବାକୁ ଏଆଇକୁ ସୂଚନା ଦେବା ପରେ କ୍ଷଣିକ ଭିତରେ ପ୍ରସ୍ତୁତ ହେଇଯାଉଛି ସେହି ଶୈଳୀର ଫଟୋ ।
୮୦ ଦଶକରେ ମୁଖ୍ୟତଃ ରଙ୍ଗୀନ ଶାଢ଼ି, ଷ୍ଟେଟମେଣ୍ଟ ଅଳଙ୍କାର, ବଡ଼ କେଶ ସଜ୍ଜା, ନିଶ, ଚଉଡ଼ା କଲର ସାର୍ଟ, ବେଲ୍ ବଟମ୍ ଟ୍ରାଉଜର ଏବଂ ରେଟ୍ରୋ ସନଗ୍ଲାସ୍, ଚେନବାଲା ଘଣ୍ଟା ପିନ୍ଧୁଥିଲେ । ଏବେ ଫଟୋଗୁଡ଼ିକ ସେହି ସମୟରେ ବୋଲି ଅଧିକ ପ୍ରାମାଣିକ ଦେଖାଇବା ପାଇଁ ଭିଣ୍ଟେଜ୍ ଷ୍ଟୁଡିଓ ପୃଷ୍ଠଭୂମି ସହ ୱାର୍ମ ଲାଇଟିଂ, ସଫ୍ଟ ଫୋକସ୍, ଫିକା ରଙ୍ଗ ଏବଂ ଆନାଲଗ୍-ଶୈଳୀର ଫିଲ୍ମ ଗ୍ରେନ୍ ସାଧାରଣତଃ ବ୍ୟବହୃତ ହୋଇଥାଏ, ଯାହା ଏହି ଫଟୋଗୁଡ଼ିକରେ ଦେଖିବାକୁ ମିଳୁଛି । ଯାହାର ଝଲକ ଏବେ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ୭ରୁ ୭୦ ବୟସ୍କ, ସମସ୍ତଙ୍କୁ ବାୟା କରୁଛି । ପୂର୍ବରୁ ଘିବିଲି ଆର୍ଟ ଏବଂ ଅନ୍ୟ କିଛି ଏଆଇ ଆର୍ଟ ଟ୍ରେଣ୍ଡ ରେ ଥିବାବେଳେ ଏବେ ୮୦ ଦଶକର ରେଟ୍ରୋ ଲୁକ୍ ଟ୍ରେଣ୍ଡ୍ କରୁଛି ।
