ଭଦ୍ରକ, (ବଡ଼ ଖବର ବ୍ୟୁରୋ): ଅସହାୟ, ଭିନ୍ନକ୍ଷମମାନଙ୍କ ପାଇଁ ଯୋଜନା ପରେ ଯୋଜନା । କିନ୍ତୁ ଏହି ଯୋଜନା କେତେ ମାତ୍ରାରେ ସଫଳ ହୋଇପାରିଛି ତାହାର ତଦାରଖ କରିବାକୁ ଯେମିତି କେହି ନାହିଁ । ଯୋଜନାର କରି ସରକାର ଡିଣ୍ଡିମ ପିଟୁଛନ୍ତି କିନ୍ତୁ ସେ ଯୋଜନାରୁ କେତେ ଲୋକ ଉପକୃତ ହେଉଛନ୍ତି ତାହା ବିଭାଗୀୟ ଅଧିକାରୀଙ୍କୁ ଜଣାନାହିଁ। ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ଚଣ୍ଡିଗାଁ ପଞ୍ଚାୟତ ଏକତାଳି ଗ୍ରାମରେ ସରକାରଙ୍କ ଯୋଜନାରୁ ବଞ୍ଚିତ ହୋଇଥିବା ଗୋଟିଏ ପରିବାରକୁ ଠାବ କରିଛୁ ଆମେ । ଏହି ଗାଁର ୭୦ ବର୍ଷର ଅସହାୟ ବୃଦ୍ଧ ମହେନ୍ଦ୍ର ସାମଲଙ୍କ ଦୁଃଖ କହିଲେ ନ ସରେ। ବୟସର ଅପରାହ୍ନରେ ଆଜି ବି ସେ ଏକ ଭଙ୍ଗା ଘରେ ପରିବାରର ତିନି ଭିନ୍ନକ୍ଷମ ପୁଅଙ୍କ ସାହାରା ପାଲଟିଛନ୍ତି।
ତାଙ୍କ ଦେହର ଚମଡ଼ା ଧୁଡୁଧୁଡୁ ହେଉଥିବା ବେଳେ ଆଖିକୁ ମଧ୍ୟ ଠିକ୍ ଭାବରେ ଦେଖାଯାଉନାହିଁ । ଏପରି ଅବସ୍ଥାରେ ତିନି ପୁଅଙ୍କ ଜୀବନର ଆଶାବାଡ଼ି ସାଜିଛନ୍ତି। ସରକାରୀ ସାହାଯ୍ୟ ସତେ ଯେପରି ତାଙ୍କ ପରିବାର ପାଇଁ ସାତସପନ ପାଲଟିଛି। ପରିବାରର ମାସିକ ରାସନ ଚାଉଳ ଏବଂ ମହେନ୍ଦ୍ରଙ୍କ ୫୦୦ ଟଙ୍କା ଭତ୍ତା ଏହି ପରିବାରର ସାହାଭରସା ହୋଇଥିବା ବେଳେ ସମସ୍ତ ସରକାରୀ ସହାୟତାରୁ ବଞ୍ଚିତ ସେମାନେ। ମହେନ୍ଦ୍ରଙ୍କ ପରିବାର କହିଲେ ସେ ଓ ତାଙ୍କ ତିନି ଭିନ୍ନକ୍ଷମ ପୁଅ। ମହେନ୍ଦ୍ରଙ୍କର ଜଣେ ଝିଅ ବି ଥିଲେ। କିନ୍ତୁ ଦୁଃଖର କଥା ବୋଝ ଉପରେ ନଳିତା ବିଡ଼ା ସଦୃଶ ତାଙ୍କ ଉପରେ ଦୁଃଖର ପାହଡ଼ ଲଦି ହୋଇପଡ଼ିଛି। ଜମିବାଡ଼ି ବିକ୍ରିକରି ଝିଅକୁ ବାହା ଦେବାର ଦୁଇ ବର୍ଷ ପରେ ଝିଅ, ଜ୍ୱାଇଁ ଓ ତିନି ମାସର ନାତୁଣୀଙ୍କର ଗୋଟିଏ ବର୍ଷ ମଧ୍ୟରେ ମୃତ୍ୟୁ ଘଟିଲା। ମହେନ୍ଦ୍ରଙ୍କ ଦୁଃଖ ଏତିକିରେ ସରି ନ ଥିଲା। ତାଙ୍କ ସ୍ତ୍ରୀ ମଧ୍ୟ ଆରପାରିକୁ ଚାଲିଗଲେ। ସ୍ତ୍ରୀଙ୍କ ମୃତ୍ୟୁ ପରେ ପରିବାରର ସମସ୍ତ ବୋଝ ତାଙ୍କ ମୁଣ୍ଡ ଉପରେ ଲଦି ହୋଇପଡ଼ିଲା। ବଡ଼ପୁଅ ଅକ୍ଷୟ ସାମଲ (୪୫) ୨୦୦୩ ମସିହାରୁ ପାରାଲିସିସରେ ଆକ୍ରାନ୍ତ ହୋଇ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିଲେ ମଧ୍ୟ ଏଯାଏ ଭିନ୍ନକ୍ଷମ ଭତ୍ତାଟିଏ ପାଇପାରି ନାହାନ୍ତି।
ମଝିଆଁ ପୁଅ ଅଜୟ ସାମଲ (୪୦) ଦୀର୍ଘ ୭ ବର୍ଷ ହେବ ସ୍ନାୟୁ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚାଲିପାରୁନାହାଁନ୍ତି। ସେ ବିଏ ପାସ କରିବା ସହ କମ୍ପ୍ୟୁଟର ଶିକ୍ଷା କରିଛନ୍ତି। କିନ୍ତୁ ଦୁଃଖର କଥା ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ପାଖରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଏଯାଏ ତାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର କିମ୍ବା କୌଣସି ସରକାରୀ ସହାୟତା ମିଳି ନାହିଁ। ସେହିପରି ସାନପୁଅ ବିଜୟ ସାମଲ (୩୭) ମଧ୍ୟ ଦୀର୍ଘ ୬ବର୍ଷ ହେବ ସ୍ନାୟୁ ଜନିତ ରୋଗରେ ଆକ୍ରାନ୍ତ ହୋଇ ଭିନ୍ନକ୍ଷମ ପାଲଟିଯାଇଥିବା ସତ୍ତେ୍ୱ ଭତ୍ତା ତ ଦୂରର କଥା ଏଯାଏ ଭିନ୍ନକ୍ଷମ ପ୍ରମାଣପତ୍ର ପାଇପାରି ନାହାଁନ୍ତି। ଡାକ୍ତର କହୁଛନ୍ତି ଯଦି ଏମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଏ ତେବେ କିଛି ମାତ୍ରାରେ ଭଲ ହୋଇପାରିବେ । ହେଲେ ଏଥିପାଇଁ ପାଖାପାଖି ୧୫ ଲକ୍ଷ ଟଙ୍କା ଲାଗିବ। ଏଯାଏ କାହାରିକୁ ସରକାରଙ୍କଠାରୁ ଟ୍ରାଇସାଇକେଲଟିଏ ମଧ୍ୟ ମିଳିପାରିଲା ନାହିଁ। ସବୁଠୁ ବଡ଼ ବିଡମ୍ବନାର ବିଷୟ, ମହେନ୍ଦ୍ରଙ୍କ ନାମରେ ଆବାସ ଯୋଜନାରେ ଘର ଆସିଥିଲେ ମଧ୍ୟ ରାଜନୈତିକ ଚାପ ଯୋଗୁ ସେ ଘର ପାଇ ପାରୁନାହାନ୍ତି। ଘରେ କୌଣସି ସ୍ତ୍ରୀ ଲୋକ ନ ଥିବାରୁ ରୋଷେଇ କରି ଖାଇବା ସେମାନଙ୍କ ପକ୍ଷରେ ସମ୍ଭବ ହେଉ ନ ଥିବାବେଳେ ପାଖ ପଡେ଼ାଶୀ ରୋଷେଇ କରି ବେଳେ ବେଳେ ଖାଇବାକୁ ଦେଉଛନ୍ତି। ତେବେ ଏଭଳି ପରିବାର ଉପରେ କେବେ ପଡ଼ିବ ପ୍ରଶାସନର ଦୃଷ୍ଟି ତାହା ଉପରେ ସମସ୍ତଙ୍କର ନଜର ।