hhhhh

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପରାଧୀନ ଭାରତରେ ବନ୍ଦେ ମାତାରାମ ନାରା ଦେବା କୌଣସି ଭାରତୀୟଙ୍କ ପକ୍ଷେ ସମ୍ଭବ ନଥିଲା। ହାତଗଣତି କିଛି ଦେଶଭକ୍ତଙ୍କ ଧମନିରେ ଗୁଞ୍ଜରିତ ହେଉଥିଲା ବନ୍ଦେ ମାତାରାମ । ସେଭଳି ଜଣେ ଦେଶଭକ୍ତ ହେଉଛନ୍ତି ଭଗତ ସିଂ । ସେ ଇଂରେଜଙ୍କ ଆଗରେ ଛାତି ଉଚ୍ଚା କରି ଛିଡା ହେଉଥିଲେ । ଇଂରେଜଙ୍କ ବିରୋଧରେ କରୁଥିଲେ ସମ୍ମୁଖ ଲଢେଇ । ସେହି ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ଆଜି ହେଉଛି ଶ୍ରାଦ୍ଧ ବାର୍ଷିକୀ । ଆଜିର ଦିନରେ ହସି ହସି ଫାଶୀ ଖୁଣ୍ଟରେ ଝୁଲିଯାଇଥିଲେ ଭଗତ ସିଂ । ଦେଶ ପାଇଁ ସେ ମୃତ୍ୟୁକୁ ମଧ୍ୟ ଖାତିର କରିନଥିଲେ । ଦେଶ ମାତୃକା ପାଇଁ ତାଙ୍କ ବଳିଦାନକୁ ଆଜି ବି ଭୁଲି ନାହିଁ ଦେଶ । ସେଥିପାଇଁ ଆଜିର ଦିନକୁ ସହିଦ ଦିବସ ଭାବେ ପାଳନ କରାଯାଉଛି । ଭଗତ ସିଂଙ୍କ ବୀର ଗାଥାକୁ ମନେ ପକାଇଲେ ଆଜି ବି ପ୍ରତିଟି ଭାରତୀୟଙ୍କ ଲୋମ ଟାଙ୍କୁରି ଉଠେ । କେବଳ ଭଗତ ସିଂ ନୁହଁନ୍ତି, ତାଙ୍କର ଦୁଇ ସାଥୀ ରାଜଗୁରୁ ଓ ସୁଖଦେବଙ୍କୁ ମଧ୍ୟ ଆଜିର ଦିନରେ ଫାଶୀ ଦିଆଯାଇଥିଲା।

୧୯୦୭ ମସିହା ସେପ୍ଟେମ୍ବର ୨୮ରେ ପଞ୍ଜାବର ଲୟାଲପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଭଗତ ସିଂ । ତାଙ୍କର ଜନ୍ମ ଏକ ଶିଖ ପରିବାରରେ ହୋଇଥିଲା । ତାଙ୍କ ବାପାଙ୍କ ନାମ କିଷାନ ସିଂ ଓ ମାଙ୍କ ନାମ ବିଦ୍ୟାବତୀ । ଡିଏଭି ସ୍କୁଲରୁ ନିଜ ପାଠ ପଢା ଆରମ୍ଭ କରିଥିଲେ ଭଗତ ସିଂ । ପିଲାବେଳୁ ସେ ବେଶ ଚାଲାକ ଓ ବିଚକ୍ଷଣ ଥିଲେ । ପାଠପଢା ପ୍ରତି ତାଙ୍କର ବେଶ ଆଗ୍ରହ ଥିଲା । ସ୍କୁଲ ସମୟରେ ୫୦ରୁ ଅଧିକ ବହି ପଢିସାରିଥିଲେ ଭଗତ ସିଂ ।

ଭଗତ ସିଂ ଏଭଳି ପରିବେଶରେ ବଢିଥିଲେ ଯେଉଁଠି କେବଳ ଆଜାଦିର ସ୍ୱର ପ୍ରତିଦିନ ଗୁଞ୍ଜରି ଉଠୁଥିଲା । ଭଗତ ସିଂଙ୍କ ପରିବାର ଦେଶର ସ୍ୱାଧୀନତା ପାଇଁ ଲଢେଇ କରୁଥିଲେ । ଏଥିପାଇଁ ତାଙ୍କ ବାପା ଓ ଦାଦା ଜେଲରେ ବନ୍ଦୀ ମଧ୍ୟ ରହିଥିଲେ । ତେବେ ପିଲାବେଳୁ ଏହି ପରିବେଶ ସହ ନିଜକୁ ମଜବୁତ କରିଥିଲେ ଭଗତ ସିଂ । ପିଲାବେଳୁ ତାଙ୍କ ଭିତରେ ଦେଶପ୍ରେମ ଜାଗ୍ରତ ହୋଇଥିଲା ।
ନିଜ ଆଖିରେ ସେ ଦେଖିଥିଲେ ୧୯୧୯ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ଭୟଙ୍କର ଦୃଶ୍ୟ । ଭଗତ ସିଂ ୪୦ କିଲୋମିଟର ଚାଲି ଚାଲି ନିଜ ଦେଶବାସୀଙ୍କ ରକ୍ତଭିଜା ମାଟିକୁ ଦେଖିବାକୁ ଜାଲିଆନାୱାଲା ବାଗରେ ପହଞ୍ଚିଥିଲେ ।

ବଡ ହେବା ପରେ ଭଗତ ସିଂ ଇଂରେଜଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଭାରତକୁ ଆଜାଦି ଦେବାକୁ ସେ ଅନେକ ସଂଗଠନରେ ଯୋଗଦେଇଥିଲେ ଓ ଅନେକ ସଂଗଠନ ତିଆରି ମଧ୍ୟ କରିଥିଲେ । ସଂଗଠନରେ ମିଶି ଇଂରେଜମାନଙ୍କ ବିରୋଧରେ ଲଢେଇ କରୁଥିଲେ । କାଳକ୍ରମେ ଭଗତ ସିଂ ଇଂରେଜମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଯାଇଥିଲେ । ଭଗତ ସିଂଙ୍କ ନାଁ ଶୁଣିଲେ ଭୟଭୀତ ହୋଇପଡୁଥିଲେ ଇଂରେଜ ସରକାର । ତେଣୁ ଭଗତ ସିଂଙ୍କୁ ରାସ୍ତାରୁ ହଟାଇବାକୁ ଇଂରେଜମାନେ ପ୍ରସ୍ତୁତ କରିଥିଲେ ଯୋଜନା । ତାଙ୍କୁ ଇଂରେଜମାନେ ବନ୍ଦୀ କରିଦେଇଥିଲେ । ଭଗତ ସିଂ ଜେଲରେ ରହି ମଧ୍ୟ ତାଙ୍କର ଦୁଃସାହସିକ କାମ ବନ୍ଦ କରିନଥିଲେ ।

ତେଣୁ ବ୍ରିଟିଶ ସରକାର ଏହାକୁ ତୁରନ୍ତ ସମାଧାନ କରିବାକୁ ଚାହୁଁଥିଲେ । ସେଥିପାଇଁ ବ୍ରିଟିଶ ସରକାର ୧୯୩୦ ମସିହା ମେ ୧ ତାରିଖରେ ଏକ ଟ୍ରିବ୍ୟୁନାଲ ବୈଠକ ଡକାଇଥିଲେ । ବୈଠକରେ ଭଗତ ସିଂ ଓ ତାଙ୍କ ସାଥୀମାନଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା । ୨୪ ମାର୍ଚ୍ଚ ୧୯୩୧ ମସିହାରେ ଭଗତ ସିଂଙ୍କୁ ଫାଶୀ ଦେବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ଜନ ଆନ୍ଦୋଳନକୁ ଆଖିଆଗରେ ରଖି ଭଗତ ସିଂ, ସୁଖ ଦେବ ଓ ରାଜଗୁରୁଙ୍କୁ ମାର୍ଚ୍ଚ ୨୩ ତାରିଖରେ ଫାଶି ଦିଆଯାଇଥିଲା । ଏହି ବୀରଙ୍କ ବଳିଦାନ ବ୍ୟର୍ଥ ଯାଇନି । ତାଙ୍କ ଦେଶ ପ୍ରେମ ପରାଧୀନ ଭାରତରେ ସୃଷ୍ଟି କରିଥିଲା ଅନେକ ଭଗତ ସିଂଙ୍କୁ । ତାଙ୍କର ଦେଶ ଭକ୍ତିକୁ ଆଜି ସଲାମ କରୁଛନ୍ତି ପ୍ରତିଟି ଭାରତୀୟ ।

Leave a Reply

Your email address will not be published. Required fields are marked *