ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ମଧ୍ୟ ସରଗରମ ହୋଇପାରେ ବିଧାନସଭା । ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗା ଘଟଣାରେ ଦୁଇ ବିଧାୟକଙ୍କୁ ନିଲମ୍ବନ ପ୍ରତିବାଦ କରିପାରନ୍ତି ବିଜେପି ଦଳ । ମହିଳାଙ୍କୁ ଅସମ୍ମାନ ନେଇ କାଉଣ୍ଟର କରିପାରେ ଶାସକ ଦଳ । ସେପଟେ ଶନିବାର ଗୃହରେ ଅତିରିକ୍ତ ବଜେଟର ଖର୍ଚ୍ଚ ଦାବି ଆଲୋଚନା ରହିଛି । ପଞ୍ଚାୟତି ରାଜ ଓ ସ୍କୁଲ୍ ଗଣଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ । ସେହିପରି ପର୍ଯ୍ୟଟନ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ,ମହିଳା ଓ ଶିଶୁ ବିକାଶ,ଅବକାରୀ,ଆଇନ,ମିଶନ ଶକ୍ତି,ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ର ପ୍ରଶ୍ନ କାଳ ରହିଛି ।
ମୁଖ୍ୟ ବିରୋଧୀ ବିଜେପି ବିଧାୟକ ମାନେ ଗୃହକୁ ନଚଳାଇ ଦେବାକୁ ରଣନୀତି କରି ଆସୁଥିବାରୁ ପ୍ରଶ୍ନକାଳ ସ୍ଵାଭାବିକ ଭାବେ ଚାଲିବ କି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପଟେ ଗୁରୁବାର ବିଧାନସଭାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ବିଜେପି ବୋଲି କହିଛି ଶାସକ ଦଳ । ବାଚସ୍ପତିଙ୍କ ଚେୟାରକୁ ଡାଲି ଫୋପାଡ଼ି ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛି ବିଜେପି । ଏନେଇ ବିଜେପିର ଦୁଇ ବିଧାୟକଙ୍କୁ ନିଲମ୍ବିତ କରିଛି ଗୃହ ।