ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗଣତନ୍ତ୍ର ଦିବସ ପାଇଁ ଝଲସୁଛି ସାରା ଦେଶ । କାଶ୍ମୀରରୁ କନ୍ୟାକୁମାରୀ ସବୁଠି ଫର ଫର ହୋଇ ଉଡ଼ୁଛି ତ୍ରିରଙ୍ଗା । ସବୁଠି ଶୁଭୁଛି ବିଜୟର ଗାଥା । ସବୁଠି ଜାତୀୟତାଭାବ । ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରି ଗଣତନ୍ତ୍ରର ଶ୍ରେଷ୍ଠ ପର୍ବ ପାଳନ କରାଯାଉଛି । କର୍ତ୍ତବ୍ୟ ପଥରେ ଶୌର୍ଯ୍ୟ, ବୀରତ୍ୱ ଦେଖାଇଛି ସେନା । ରାଇସିନା ହିଲରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କର୍ତ୍ତବ୍ୟ ପଥକୁ ଆସିଥିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ସ୍ୱତନ୍ତ୍ର ଘୋଡ଼ା ଗାଡ଼ିରେ ପତାକା ଉତ୍ତୋଳନ ସ୍ଥଳୀରେ ପହଞ୍ଚିଥିଲେ । ପତାକା ଉତ୍ତୋଳନ କରିଥିଲେ ଦ୍ରୌପଦୀ ମୁର୍ମୁ । ପରେ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତିା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଆରମ୍ଭ ହୋଇଥିଲା ପରେଡ । କର୍ତ୍ତବ୍ୟ ପଥରେ ପଥରେ ଦେଖିବାକୁ ମିଳିଥିଲା ନୂଆ ଧାରା । ପ୍ରଥମେ ମାର୍ଚ୍ଚ ନୁହେଁ ଶଙ୍ଖନାଦ, ଭେରୀତୂରୀ, ଝାଞ୍ଜ, ମୃଦଙ୍ଗ, ଧ୍ୱନୀରୁ ଆରମ୍ଭ ହୋଇଥିଲା ଆବହାନ । ମୋର୍ଚ୍ଚା ସମ୍ଭାଳିଥିଲେ ମହିଳା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହା ପରେ ରାଜପଥକୁ ଓହ୍ଲାଇଥିଲେ ଫ୍ରାନ୍ସର ଆର୍ମି ମୁ୍ୟଜିକ ବ୍ୟାଣ୍ଡ । ପରେ ପରେ ଦର୍ପ ଦେଖାଇଥିଲା ଋଷ ଟି୨୦ ଟ୍ୟାଙ୍କର । ଆକାଶ ମାର୍ଗରେ ଗର୍ଜି ଉଠିଥିଲା ରାଫେଲ ଯୁଦ୍ଧ ବିମାନ । ପ୍ରଦର୍ଶିତ ହୋଇଥିଲା ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର । ଟି-୯୦ ଭୀଷ୍ମ ଟ୍ୟାଙ୍କ, ନାଗ ମିଜାଇଲ୍, ପିନାକ ମିଜାଇଲ, ୱିପନ ଲୋକେଟିଂ ରାଡ଼ର ସିଷ୍ଟମ, ଡ୍ରୋନ ଜାମର ସିଷ୍ଟମ ପ୍ରଦର୍ଶିତ ହୋଇଥିଲା । ପ୍ରଥମ କରି କର୍ତ୍ତବ୍ୟ ପଥରେ ୩ ବାହୀନି ମହିଳା ଅଫିସରମାନେ ବୀରତ୍ୱ ପ୍ରଦର୍ଶନ କରିଥିଲେ । ନାରୀ ଶକ୍ତିର ଝଲକ ଦେଖାଇ ଥିଲେ ସେନା ବାହୀନିର ମେଡିକାଲ ମହିଳା କଣ୍ଟିଜେଣ୍ଟ ।
ପ୍ରଥମ କରି ସାମିଲ ହୋଇଥିବା ବିଏସଏଫର ମହିଳା ବ୍ରାସ ବ୍ୟାଣ୍ଡ ଝଲକ ଦେଖିଲା ପୂରା ଦେଶ । ନାରୀ ଶକ୍ତି ନାଁରେ ସାମିଲ ହୋଇଥିଲା ମହିଳା ସୀମା ସୁରକ୍ଷା ବଳ । ପରେ କର୍ତ୍ତବ୍ୟ ପଥର ଶୋଭା ବଢାଇଥିଲା ଓଡ଼ିଶା ପ୍ରଜ୍ଞାପନ ମେଢ । ଅରୁଣାଚଳ ପ୍ରଦେଶ, ହରିୟାଣ, ଛତିଶଗଡ଼, ରାଜସ୍ଥାନ, ଆନ୍ଧ୍ର, ଲଦାଖ, ମହାରାଷ୍ଟ୍ର, ଗୁଜୁରାଟର ପ୍ରଜ୍ଞାପନ ମେଢର ଝଲକ ଦେଖିବାକୁ ମିଳିଥିଲା । ଅଯୋଧ୍ୟାର ରାମଲାଲାଙ୍କୁ ନେଇ ୟୁପିର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ପ୍ରଦର୍ଶିତ ହୋଇଥିଲା ଦକ୍ଷିଣ ମେରୁରେ ଅବସ୍ଥାପିତ ଚନ୍ଦ୍ରଯାନ । ଭାରତ ଦେଖିଥିଲା ନାରୀ ଶକ୍ତିର ମୋଟର ସାଇକେଲ ଶୋ । ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରହିଥିଲା ରାଜଧାନୀ ଦିଲ୍ଲୀ । ୮ ହଜାରରୁ ଅଧିକ ଫୋର୍ସ ହୋଇଥିଲେ ମୁତୟନ ।