ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ, ନିଜ ନିଜର ମତାଧିକାର ସାବ୍ୟସ୍ତ କରି ନେତା ବାଛିବେ ଜନତା । ଏଥିପାଇଁ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି ପ୍ରଶାସନିକ ପ୍ରସ୍ତୁତି । ଶେଷ ହୋଇଛି ନିର୍ବାଚନୀ ପ୍ରଚାର । ଏବେ ଭିତରେ ଭିତରେ ଜମିବ ଅସଲ ଖେଳ । ଏଣିକି ପ୍ରାର୍ଥୀମାନେ ବୁଲାବୁଲି ପ୍ରଚାର କରିବା ବନ୍ଦ କରି ଘରେ ବସି ଅଙ୍କ କଷିବା ଆରମ୍ଭ କରିଛନ୍ତି ।
ଆଜି ବିଭିନ୍ନ ମତଦାନ କେନ୍ଦ୍ର ଗୁଡ଼ିକରେ ପହଁଚିବେ ପୁଲିଂ ପାର୍ଟି । ସମ୍ବେଦନଶୀଳ ୮ଟି ବୁଥକୁ ସ୍ବତନ୍ତ୍ର ହେଲିକପ୍ଟରରେ ଯିବାର ବ୍ୟବସ୍ଥା କରାଯାଇଛି । ଇଭିଏମରେ କିପରି ମତଦାନ କରାଇବେ ପୁଲିଂ ଅଧିକାରୀଙ୍କୁ ସେନେଇ ପ୍ରଶିକ୍ଷଣ ଦିଆଯାଇଛି । ମତଦାନ ଦିନ ଅପରାହ୍ନ ୫ଟା ଯାଏଁ ଭୋଟିଂ ପ୍ରକ୍ରିୟା ଜାରି ରହିବ । ସମ୍ବେଦନଶୀଳ ବୁଥରେ ୪ଟା ଯାଏ ହେବ ଭୋଟ୍। ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାକର୍ମୀ ସୁରକ୍ଷା ଯୋଗାଇଦେବେ ।
ମଙ୍ଗଳବାର ନୂଆପଡ଼ା ଭୋଟ୍ ନେଇ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୋଟ୍ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର୍। ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୫ ଓ ପୁରୁଷଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୧୦୮ । ନିର୍ବାଚନ ମଣ୍ଡଳୀରେ ଥିବା ମୋଟ ୩୫୮ଟି ବୁଥ୍ ଭିତରୁ ୪୭ଟି ସମ୍ୱେଦନଶୀଳ ଓ ୮ଟିକୁ ଅତି ସମ୍ୱେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ମାଓପ୍ରବଣ ଏହି ୮ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି । ଏହିସବୁ ବୁଥ୍କୁ ପୋଲିଂ ପାର୍ଟିଙ୍କୁ ନେବାକୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି ।
