ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦରମା ବଢାଇବା ଦାବିରେ ଉଗ୍ର ହେଲା ଆନ୍ଦୋଳନ । ପୁଲିସ୍-ଶ୍ରମିକ ମୁହାଁମୁହିଁ । ଗାଡ଼ି ଭାଙ୍ଗିବା ସହ ପୋଡାଜଳା । ଗ୍ରେଟର ନୋଏଡାରେ ଦରମା ବୃଦ୍ଧି ସହିତ ବିଭିନ୍ନ ଦାବିକୁ ନେଇ ଶ୍ରମିକଙ୍କ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି । ଘରୋଇ କମ୍ପାନୀଗୁଡିକର କର୍ମଚାରୀଙ୍କ ପ୍ରତିବାଦ ତୀବ୍ର ହୋଇଛି । ପୁଲିସ ଏବଂ ଶ୍ରମିକଙ୍କ ମଧ୍ୟରେ ସଂଘର୍ଷ ଫଳରେ ଭଙ୍ଗାରୁଜା ଏବଂ ପୋଡ଼ାଜଳା ହୋଇଛି । ପୁଲିସ୍ ଗାଡି ଭାଙ୍ଗିବା ସହିତ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ ଶ୍ରମିକ । ଯାହା ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହ ବୁହା ଗ୍ୟାସ ସ୍ପ୍ରେ କରିଛି ।
ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ ଉତ୍ତର ପ୍ରଦେଶରେ ସର୍ବନିମ୍ନ ମଜୁରୀ ୧୩,୦୦୦ ଟଙ୍କା ରହିଛି। ଯେତେବେଳେ ହରିୟାଣାରେ ଏହା ୧୯,୦୦୦ ଟଙ୍କା ଅଛି। ଏହି ଭେଦଭାବ ଉପରେ ସେମାନଙ୍କର କ୍ରୋଧ ବୃଦ୍ଧି ପାଇଛି। ରବିବାର ଘଟିଥିବା ବିବାଦରେ ଜଣେ ମହିଳା ଶ୍ରମିକ ଆହତ ହେବା ପରେ ପରିସ୍ଥିତି ଆହୁରି ଖରାପ ହୋଇ ଯାଇଛି। ପରବର୍ତ୍ତୀ ସମୟରେ, ସୋମବାର ବହୁ ସଂଖ୍ୟକ ଶ୍ରମିକ ରାସ୍ତାକୁ ଓହ୍ଲାଇ ଟ୍ରାଫିକ୍ ଜାମ୍ ସୃଷ୍ଟି କରିଛନ୍ତି ।
ନୋଏଡାରେ ପ୍ରବେଶ କରୁଥିବା ସମସ୍ତ ରାସ୍ତାରେ ଶ୍ରମିକମାନେ ପ୍ରତିବାଦ କରିବାକୁ ଆରମ୍ଭ କରିଛନ୍ତି। ମୟୂର ବିହାରରୁ ନୋଏଡା ଯାଉଥିବା ରାସ୍ତା , ଦିଲ୍ଲୀର ଆଶ୍ରମରୁ ନୋଏଡାର ସେକ୍ଟର ୧୬ ଏବଂ ଫିଲ୍ମ ସିଟି ଯାଉଥିବା ଡିଏନଡି ରାସ୍ତା , କିମ୍ବା ସେକ୍ଟର ୬୨ଟ୍ରୋ ଷ୍ଟେସନ ତଳେ ମେରଠ ଏକ୍ସପ୍ରେସୱେକୁ ସଂଯୋଗ କରୁଥିବା ପ୍ରଭୃତି ରାସ୍ତାରେ ଶ୍ରମିକଙ୍କ ପ୍ରତିବାଦ ଜୋରଦାର ହୋଇଛି ।
ସାମଗ୍ରିକ ଭାବରେ, ଆନ୍ଦୋଳନକାରୀମାନେ ଦିଲ୍ଲୀରୁ ନୋଏଡା ଏବଂ ଦିଲ୍ଲୀରୁ ନୋଏଡା ଯିବା ପାଇଁ ପ୍ରମୁଖ ରାସ୍ତାଗୁଡ଼ିକୁ ସମ୍ପୂର୍ଣ୍ଣ ଅବରୋଧ କରିଛନ୍ତି। ବହୁ ସଂଖ୍ୟକ ଶ୍ରମିକ ସେକ୍ଟର ୧୫ ଫ୍ଲାଏଓଭର ତଳେ ରାସ୍ତାରେ ବସି ରହିବା ଫଳରେ ଯାତାୟାତ ଠପ୍ ହୋଇଯାଇଥିଲା । ଏହି ସମୟରେ, ବିଭିନ୍ନ କମ୍ପାନିର କର୍ମଚାରୀମାନେ ସେକ୍ଟର ୬୨ ସ୍ଥିତ ଫୋର୍ଟିସ୍ ହସ୍ପିଟାଲ ନିକଟରେ ମଧ୍ୟ ଧାରଣା ଦେଇଥିଲେ, ଯାହା ପରିସ୍ଥିତିକୁ ଆହୁରି ଜଟିଳ କରିଛନ୍ତି ।
ଅଭିଯୋଗ ହୋଇଛି ଯେ, ଉତ୍ତ୍ୟକ୍ତ କର୍ମୀମାନେ ପୁଲିସ ଉପରକୁ ପଥର ମାଡ଼ କରିଥିଲେ ଏବଂ ଘଟଣାସ୍ଥଳରେ ଠିଆ ହୋଇଥିବା ପୁଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏହା ବ୍ୟତୀତ, ଗୋଟିଏ ପୁଲିସ ଗାଡ଼ି ଓଲଟି ପଡ଼ିଥିଲା । ପ୍ରତିବାଦ ସମୟରେ କିଛି ସ୍ଥାନରେ ପୋଡ଼ାଜଳା ଘଟଣା ମଧ୍ୟ ଘଟିଥିବା ରିପୋର୍ଟ ହସ୍ତଗତ ହୋଇଛି । ଯାହା ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି । ପରିସ୍ଥିତି ଖରାପ ହେଉଥିବା ଦେଖି, ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଥିଲା। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ୍ ସେଲ୍ ଫୁଟାଇଥିଲେ । ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ଏବଂ ପରିସ୍ଥିତିକୁ ଧୀରେ ଧୀରେ ନିୟନ୍ତ୍ରଣ କରାଯାଇଥିଲା ।
