ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆକାଶ ମାର୍ଗରୁ ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ୫ଟି ଜିଲ୍ଲାର ୧୨ଟିରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ । ପରିଦର୍ଶନ ପରେ ଗଣମାଧ୍ୟମ ଆଗରେ ବିବୃତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଲକ୍ଷ ୬୯ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୧୭ଟି ଓଡ୍ରାଫ୍, ୭ଟି NDRF ଏବଂ ୧୨୯ଟି ଅଗ୍ନିଶମ ବାହିନୀ ଟିମ୍ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ନିୟୋଜିତ ରହିଛନ୍ତି। ବନ୍ୟା ପାଣି ସମ୍ପୂର୍ଣ୍ଣ କମିବାର ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦାଖଲ କରିବାକୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ତୁରନ୍ତ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟ ପାଇଁ ଏସ୍ଡିଆରଏଫ୍ (SDRF) ପାଣ୍ଠିରୁ ୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ନଦୀରେ ପାଣି କମିବା ଆରମ୍ଭ କରିଛି, ୨ ଦିନରେ ସ୍ଥିତି ସୁଧୁରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
