ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇରାନ୍ ବିରୋଧରେ ବଡ଼ ଆକ୍ରମଣ ଯୋଜାନକୁ ସ୍ଥଗିତ ରଖିଲା ଆମେରିକା । ଏନେଇ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡିଲ୍ ନେଇ ଆଜି ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ସମ୍ଭାବନା କହିଲେ ଟ୍ରମ୍ପ । ସାଉଦି ଆରବ, ୟୁଏଇ, କତାରର ମଧ୍ୟସ୍ଥତା ପରେ କଥାବାର୍ତ୍ତା ସମ୍ଭାବନା । ଶୁକ୍ରବାର ଇରାନ୍ ଉପରେ ବଡ଼ ଧରଣର ଆକ୍ରମଣ ଯୋଜନା ଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସବୁଠୁ ବଡ଼ ଆକ୍ରମଣ ଯୋଜନା ଥିଲା । କିନ୍ତୁ ଇରାନ୍ ସମେତ ସବୁ ସହଯୋଗୀ ରାଷ୍ଟ୍ର ଏପରି ନ କରିବାକୁ ଅନୁରୋଧ କଲେ । ମୁଁ ଆକ୍ରମଣ କରିବାକୁ ଚାହୁଁନି, ଏହାଦ୍ବାରା ସାଧାରଣ ନାଗରିକଙ୍କ ମୃତ୍ୟୁ ହେବ । ହର୍ମୁଜ ପ୍ରଣାଳୀ ଓ ପରମାଣୁ ମୁକ୍ତ ଇରାନ୍କୁ ନେଇ ଡିଲ୍ ହେବ ବୋଲି କହିଛନ୍ତି ଟ୍ରମ୍ପ ।
ବିଶ୍ୱ ବଜାରରେ କମିଲା କଚା ତେଲର ଦର । ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା କିଛିଟା ହ୍ରାସ ପାଇବା ପରେ ତେଲ ବଜାରରେ ଦେଖିବାକୁ ମିଳିଛି ବଡ଼ ପରିବର୍ତ୍ତନ । ଆମେରିକା ପକ୍ଷରୁ ଇରାନ ଉପରେ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଆଶଙ୍କା କମିବା ପରେ ନିବେଶକଙ୍କ ମଧ୍ୟରେ ଆଶ୍ୱସ୍ତି ଫେରିଛି । ଏହାର ପ୍ରଭାବରେ ବ୍ରେଣ୍ଟ ଓ WTI କ୍ରୁଡ୍ ଅଏଲ୍ର ଦରରେ ହ୍ରାସ ଘଟିଛି । ପୂର୍ବରୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ବଢ଼ିବା ଆଶଙ୍କା ଯୋଗୁଁ କଚା ତେଲ ଦର ବଢ଼ିବା ଆରମ୍ଭ କରିଥିଲା । ବିଶେଷକରି ଇରାନ ସହ ସାମରିକ ବିବାଦ ବଢ଼ିଲେ ବିଶ୍ୱର ତେଲ ଯୋଗାଣ ବାଧାପ୍ରାପ୍ତ ହେବା ନେଇ ଭୟ ରହିଥିଲା । କିନ୍ତୁ ଏବେ ଆଲୋଚନା ଓ କୂଟନୈତିକ ପଦକ୍ଷେପର ସମ୍ଭାବନା ବଢ଼ିବା ପରେ ବଜାରରେ ଚାପ କମିଛି ।
କ୍ରୁଡ୍ ଅଏଲ୍ ଦର ହ୍ରାସର ସିଧାସଳଖ ପ୍ରଭାବ ଭାରତ ଭଳି ତେଲ ଆମଦାନୀକାରୀ ଦେଶ ଉପରେ ପଡ଼ିପାରେ । କାରଣ ଭାରତ ନିଜର ଆବଶ୍ୟକତାର ବଡ଼ ଅଂଶ ବିଦେଶରୁ କଚା ତେଲ ଆମଦାନୀ କରିଥାଏ । ତେଲ ଦର କମିଲେ ପେଟ୍ରୋଲ, ଡିଜେଲ ଦର ଉପରେ ମଧ୍ୟ ଚାପ କମିବାର ସମ୍ଭାବନା ରହିଛି । ତେବେ ମଧ୍ୟପ୍ରାଚ୍ୟର ପରିସ୍ଥିତି ଏବେ ବି ସମ୍ବେଦନଶୀଳ ରହିଛି । ଆଗାମୀ ଦିନରେ ଆମେରିକା-ଇରାନ ସମ୍ପର୍କ ଓ ବିଶ୍ୱ ରାଜନୈତିକ ପରିସ୍ଥିତି ଉପରେ ହିଁ ନିର୍ଭର କରିବ କଚା ତେଲ ବଜାରର ଗତିପଥ ।
