ତାମିଲନାଡୁ(ବଡ଼ ଖବର ବ୍ୟୁରୋ): ବିବାଦରେ ଫସିଲେ ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ । ଚେନ୍ନାଇ ପୁଲିସ୍ ତାଙ୍କ ବାସଭବନରୁ ମଙ୍ଗଳବାର ସକାଳେ ଉଦୟନିଧି ଷ୍ଟାଲିନ୍ ଙ୍କୁ ଗିରଫ କରିଛି । ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ବିରୋଧରେ ଦିଆଯାଇଥିବା ଏକ ବିବାଦୀୟ ମନ୍ତବ୍ୟକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ସୋମବାର ଏକ ରାଲିରେ ଅଭିନେତ୍ରୀ ତ୍ରିଷ୍ଣାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ସେ କଡା ସମାଲୋଚନାର ଶିକାର ହୋଇଛନ୍ତି । ଗିରଫ ପରେ ଉଦୟନିଧି କହିଛନ୍ତି ଯେ, ସେ ଏହି ମାମଲାର ଆଇନଗତ ଭାବେ ଦୃଢ଼ତାର ସହ ସାମ୍ନା କରିବେ। ଏହି ମାମଲାରେ ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୁଲିସ ତାଙ୍କ ବିରୋଧରେ ୬ଟି ଧାରା ଅନୁଯାୟୀ ମାମଲା ରୁଜୁ କରିଛି ।
ସୂଚନା ଅନୁସାରେ, ଉଦୟନିଧି ଷ୍ଟାଲିନଙ୍କ ବୟାନ ଏବେ କଠୋର ସମାଲୋଚନାର ସମ୍ମୁଖୀନ ହେଉଛି। ଶାସକ ଟିଭିକେ ଦଳ ଡିଏମକେ ନେତାଙ୍କୁ ସମାଲୋଚନା କରି କ୍ଷମା ମାଗିଛି। ଟିଭିକେ ନେତା ଆଧବ ଅର୍ଜୁନ ଉଦୟନିଧିଙ୍କୁ ରାଜନୀତିର ମାନଦଣ୍ଡକୁ ନିମ୍ନଗାମୀ କରିବା ଏବଂ ମହିଳାଙ୍କୁ ଅପମାନିତ କରିବାର ଅଭିଯୋଗ ଆଣିଛନ୍ତି । ଉଦୟନିଧିଙ୍କ ଏହି ମନ୍ତବ୍ୟ ପରଠାରୁ ରାଜ୍ୟରେ ତୀବ୍ର ବିବାଦ ଏବଂ ରାଜନୈତିକ ହଙ୍ଗାମା ଦେଖାଦେଇଥିଲା ।
